ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ବୁଲା କୁକୁରଙ୍କୁ ବଳକା ଚିକେନ୍-ମଟନ ଦିଆଯିବ ନାହିଁ
କୁକୁରମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ କଡାକଡି ପାଳନ କରିବ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ । ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟିକାକରଣ କରାଯିବ । ବନ୍ଧ୍ୟାକରଣ ପରେ ବୁଲା କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ଛଡ଼ାଯିବ । ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ସେମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବ ବୋଲି ମତ୍ସ୍ୟ ପ୍ରାଣୀ ଓ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ରହିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୭ଲକ୍ଷ ବୁଲା କୁକୁର ଏବଂ ୬୪ହଜାର ପୋଷା କୁକୁର ଥିବା ଜଣାପଡ଼ିଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାସ୍ତା କଡରେ ବୁଲା କୁକୁରଙ୍କୁ ଖାଇବାକୁ ନଦେବାକୁ ମୁନିସିପାଲିଟି ସଚେତନ କରିବ । ଏଣିକି ରାସ୍ତା କଡ଼ରେ ଚିକେନ-ମଟନ କାଟି ଏଣେ ତେଣେ ପକାଇପାରିବେ ନାହିଁ ଦୋକାନୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବୁଲା କୁକୁରଙ୍କୁ ବଳକା ଚିକେନ-ମଟନ ମାଂସ ଖାଇବାକୁ ନଦେବାକୁ ନିର୍ଦ୍ଦେଶ ଦିଆଯିବ। ନିର୍ଦ୍ଧିଷ୍ଟ ସ୍ଥାନରେ ଚିକେନ-ମଟନ କାଟିବେ ଦୋକାନୀ । ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯିବ। ଏଣିକି କୁକୁରମାନଙ୍କୁ ଏଣେତେଣେ ଖାଇବାକୁ ନଦେଇ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦିଆଯିବ। ସାମଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରାଯାଇଛି।