ମୁକ୍ତି ଆନ୍ଦୋଳନରେ ଆଦିବାସୀ ସଂଗ୍ରାମୀ

ଦଶରଥ ହେମ୍ବ୍ରମ୍‌ : ଦୀର୍ଘ ଦୁଇଶହ ବର୍ଷରୁ ଉଦ୍ଧ୍ୱର୍ ଇଂରେଜମାନେ ଭାରତକୁ ଶାସନ କରିଥିଲେ । ସେହି ସମୟରେ ଯଦିଓ ଭାରତରେ ରାଜତନ୍ତ୍ର ପ୍ରଚଳିତ ଥିଲା, ମାତ୍ର ଯୁଦ୍ଧରେ ରାଜାମାନଙ୍କୁ ପରାସ୍ତ କରି ଇଂରେଜମାନେ କଲିକତାରେ Company Council of Bengal ପ୍ରତିଷ୍ଠା କଲେ । କିନ୍ତୁ ଭାରତରେ ଥିବା ପାରମ୍ପରିକ ନୀତିକୁ ହଟାଇ Self-Governance Rules ପ୍ରଚଳନ ହେଲା, ଯାହାଦ୍ୱାରା Company ଲାଭବାନ ହେଲା । ତା’ପରେ ଗୋଟିଏ ଭାରତୀୟ ସାମ୍ରାଜ୍ୟ ବ୍ରିଟିଶ ଅଧୀନକୁ ଚାଲିଗଲା । ଆମ ଓଡ଼ିଶା ମଧ୍ୟ ୧୮୦୩ରେ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା । ପରେ ଇଂରେଜମାନେ ସମ୍ପତ୍ତି ସମ୍ବନ୍ଧିତ ନୂତନ ନିୟମ ଲାଗୁ କଲେ, ଯାହାଫଳରେ ଜମିଗୁଡ଼ିକ ବିକ୍ରିଯୋଗ୍ୟ କରାଗଲା ଏବଂ ଜମିର ବ୍ୟକ୍ତିଗତ ମାଲିକାନା ପ୍ରଦାନ କରାଗଲା । କିନ୍ତୁ ଏହା ଚାଷୀଙ୍କଠୁ ଅଧିକରୁ ଅଧିକ ଖଜଣା ଆଦାୟ କରିବାରେ ସହାୟକ ହେଲା । ଯେଉଁମାନେ ଭୂ-ରାଜସ୍ୱ ଖଜଣା ଦେଇ ପାରିଲେ ନାହିଁ ସେମାନଙ୍କଠୁ ଜବରଦସ୍ତ ଜମିକୁ ଛଡ଼ାଇ ନିଆଯିବାର ଆଇନରେ ବ୍ୟବସ୍ଥା ହେଲା । କୃଷି ଅର୍ଥ ବ୍ୟବସ୍ଥା ଏବଂ ସାମାଜିକ ଢାଞ୍ଚାରେ ନୂତନ ପରିବର୍ତ୍ତନର ଅର୍ଥ କୃଷକକୁ କିପରି ଅଧିକରୁ ଅଧିକ ଶୋଷଣ କରାଯିବ । ଏଭଳି ଇଂରେଜମାନଙ୍କ ଆଇନ ପ୍ରଣୟନକୁ ଓଡ଼ିଶାରେ ରହିଥିବା ଆଦିବାସୀ ସଂଗ୍ରାମୀମାନେ ସହଜରେ ଗ୍ରହଣ କରି ନପାରିବାରୁ ଇଂରେଜ ବିରୋଧରେ ବିଦ୍ରୋହ କରିବା ପାଇଁ ଡାକରା ଦେଇଥିଲେ । ଓଡ଼ିଶାରୁ ଦୋରା ବିଶୋଇ, ଚକରା ବିଶୋଇ, ରେଣ୍ଡୋ ମାଝୀ, କଙ୍କା ମାଝୀ, କାଳିଆ ମହାନ୍ତ, ଲକ୍ଷ୍ମଣ ନାୟକ, ଧରଣିଧର ନାୟକ, ମାଧୋ ସିଂ, ଦୟାନିଧି ଧାରୁଆ, ରତ୍ନା ନାୟକ, ନବଘନ କହଁରଙ୍କ ଭଳି ପ୍ରମୁଖ ଆଦିବାସୀ ସଂଗ୍ରାମୀଙ୍କର ଭୂମିକା ଅବିସ୍ମରଣୀୟ । 
ଇଂରେଜମାନେ ପୂର୍ବ ଉପକୂଳବର୍ତ୍ତୀ ଓଡ଼ିଶାକୁ ନିଜ ଅଧିକାରଭୁକ୍ତ କଲା ପରେ ରାଜସ୍ୱତ୍ତ୍ୱ ଲୋପ ନୀତି ବଳରେ ପଶ୍ଚିମ ଓଡ଼ିଶାକୁ ଅକ୍ତିଆର କରିନେଲେ । ଏହି ନୀତି ବଳରେ ନିରୀହ ତଥା ନିଃସ୍ୱାର୍ଥପର ଆଦିବାସୀ ସମ୍ପ୍ରଦାୟ ଉପରେ ଇଂରେଜ ସରକାର ଶୋଷଣ ଓ ଅତ୍ୟାଚାର ଆରମ୍ଭ କଲେ । ତାହାର ପ୍ରତିବାଦ କରି ଆଦିବାସୀ କନ୍ଧ ସମ୍ପ୍ରଦାୟର କମଳଲୋଚନ ଦୋରା ବିଶୋୟୀଙ୍କ ନେତୃତ୍ୱରେ ବିଦ୍ରୋହ ହୋଇଥିଲା । ସେହିପରି କନ୍ଧବୀର ଦୋରା ବିଶୋଇ ଓ ଚକରା ବିଶୋଇଙ୍କ ନେତୃତ୍ୱରେ ‘ଘୁମସୁର ବିଦ୍ରୋହ’ ଦ୍ୱାରା ୧୮୩୫ ରୁ ୧୮୩୭ ପର୍ଯ୍ୟନ୍ତ କନ୍ଧମାନଙ୍କୁ ଏକତ୍ରିତ କରି ବିଦ୍ରୋହ ହୋଇଥିଲା । କନ୍ଧ ସଂଗ୍ରାମୀ ଦୋରାଙ୍କୁ ଅନୁଗୁଳରୁ ଗିରଫ କରି ମାଡ୍ରାସ କାରାଗାର ରଖାଗଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହେଲା । ଏ ଖବର ଜାଣି ତାଙ୍କ ପୁତୁରା ଚକରା ବିଶୋଇ ଘୁମସୁର ବିଦ୍ରୋହକୁ ତୀବ୍ରତର କଲେ, ଯାହା ୧୮୪୨ ରୁ ୧୮୫୫ ମସିହା ଯାଏଁ ଚାଲିଥିଲା । ଚକରାଙ୍କ ବିଦ୍ରୋହର ରୂପରେଖ ସମଗ୍ର ଦେଶରେ ଛାଇ ପରି ଖେଳି ଯାଇଥିଲା । ଘୁମସୁର ବିଦ୍ରୋହ ସମାପ୍ତ ଘଟିବା ପରେ ପୁଣିଥରେ କନ୍ଧ ବିଦ୍ରୋହ କଳାହାଣ୍ଡିରେ କନ୍ଧ ସର୍ଦ୍ଧାର ରେଣ୍ଡୋ ମାଝୀଙ୍କ ନେତୃତ୍ୱରେ ଆରମ୍ଭ ହେଲା । ପାରମ୍ପରିକ ପ୍ରଥାର ଉଚ୍ଛେଦ ଓ ଭୂ-ରାଜସ୍ୱ ଆଇନ ବଳରେ ଜମି ଉପରେ ଅତ୍ୟଧିକ ଖଜଣା ଲଗାଯିବା କାରଣରୁ ୧୮୩୭ରୁ ୧୮୫୫ ମସିହା ଯାଏଁ ବିଦ୍ରୋହ ଚାଲିଥିଲା । ଏହି ବିଦ୍ରୋହରେ ଅନେକ ଇଂରେଜ ସେନାଙ୍କୁ ହତ୍ୟା କରାଯାଇଥିଲା । ପ୍ରତିଶୋଧପରାୟଣ ହୋଇ ଇଂରେଜ ଗୁଳିମାଡ଼ରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖରେ ରେଣ୍ଡୋ ମାଝୀ ସହିଦ ହୋଇଥିଲେ । ଗଞ୍ଜାମ ଜିଲାର ନବଘନ କହଁରଙ୍କ ନେତୃତ୍ୱରେ ଆଦିବାସୀଙ୍କୁ ସଂଗଠିତ କରି ବ୍ରିଟିଶ ନୀତି ଓ ଔପନିବେଶିକ ଶାସନ ବିରୋଧରେ ବିଦ୍ରୋହ ହେଲା । ଅନ୍ୟାୟରେ ଜମି ଅଧିଗ୍ରହଣ ଏବଂ ଅତ୍ୟଧିକ ଟିକସ ବ୍ୟବସ୍ଥା ସମେତ ବ୍ରିଟିଶମାନଙ୍କ ଶୋଷଣନୀତି ବିରୋଧରେ ଦୟାନିଧି ଧାରୁଆଙ୍କ ନେତୃତ୍ୱରେ ଆଉ ଏକ ଆଦିବାସୀ ବିଦ୍ରୋହ ଜନ୍ମ ନେଇଥିଲା । ସେହିପରି ଆଉ ଜଣେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଘେଁସ ଗ୍ରାମର ଜମିଦାର ବୀର ଶହୀଦ୍‌ ମାଧୋ ସିଂ । ସେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ । ୧୮୫୭ ମସିହାରେ ପ୍ରଥମ ମୁକ୍ତି ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏଙ୍କ ଡାକରାରେ ମାଧୋ ସିଂ ଆନ୍ଦୋଳନରେ ଯୋଡ଼ି ହୋଇଥିଲେ । କିନ୍ତୁ ସହକର୍ମୀଙ୍କ କୁଚକ୍ରାନ୍ତର ଶିକାର ହୋଇ ମାଧୋ ସିଂ ଗିରଫ ହେଲେ ଏବଂ ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ତାଙ୍କୁ ଫାଶୀ ଦିଆଗଲା । ଏହାର ଦଶବର୍ଷ ପରେ ଅର୍ଥାତ ୧୮୬୮ରେ ଭୂୟାଁ ବିଦ୍ରୋହୀ ରତ୍ନା ନାଏକଙ୍କ ନେତୃତ୍ୱରେ କେଉଁଝରର ଭୂୟାଁ ଆଦିବାସୀମାନେ ଅତ୍ୟାଚାରୀ ରାଜା ଧନୁର୍ଜୟ ଭଞ୍ଜ ଓ ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ଏହି ବିଦ୍ରୋହରେ ଭୂୟାଁ, କୋହ୍ଲ ଓ ଜୁଆଙ୍ଗ ଜାତିର ଆଦିବାସୀମାନେ ସାମିଲଥିଲେ । ବିଦ୍ରୋହର ସମାପ୍ତ ଘଟି ନଥିଲା, ପୁଣିଥରେ ଅତ୍ୟାଚାରୀ ରାଜା ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ କେଉଁଝରର ଭୂୟାଁ ଆଦିବାସୀମାନେ ୧୮୯୧ରେ ବିଦ୍ରୋହ କରିଥିଲେ । ଏହି ବିଦ୍ରୋହରେ ନେତୃତ୍ୱ ନେଇଥିଲେ ଧରଣୀଧର ଭୂୟାଁ । ଇଂରେଜ ଅତ୍ୟାଚାର ବିରୋଧରେ ଆଦିବାସୀ ପ୍ରତିରୋଧ ଆନ୍ଦୋଳନରେ ତମା ଦୋରା ଆଦିବାସୀମାନଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ । ତାଙ୍କ ଉଦ୍ୟମରେ ବ୍ରିଟିଶଙ୍କ ବିରୋଧରେ କୋୟା ବିଦ୍ରୋହ ସୂତ୍ରପାତ ହୋଇଥିଲା । ମାଦ୍ରି କାଲୋ ଆଦିବାସୀ ଆନ୍ଦୋଳନର ଅନ୍ୟଜଣେ ପ୍ରମୁଖ ସ୍ୱାଧୀନତା ଆଂଦୋଳନର ସଂଗ୍ରାମୀ ଥିଲେ । ସେହିପରି ଆଦିବାସୀଙ୍କ ଅଧିକାର ଏବଂ ସମ୍ମାନ ପାଇଁ ଯୋଦ୍ଧା ନିର୍ମଳ ମୁଣ୍ଡା ଇଂରେଜ ଶାସନ ବିରୋଧରେ ଯେଉଁ ଆନ୍ଦୋଳନ ଚଳାଇଥିଲେ, ତାହା ଆଦିବାସୀଙ୍କ ସାହସର ପ୍ରତୀକ ଥିଲା ।  ମୟୁରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ମୃତ୍ୟୁ ପରେ “କୋର୍ଟ ଅଫ ୱାର୍ଡସ’ ଶାସନ ଇଂରେଜ ଅଧୀନରେ ରହିଲା । ଏହାଦ୍ୱାରା ରାଜସ୍ୱ ଆଦାୟ କରିବା ପାଇଁ ସର୍ଦ୍ଦାର, ପ୍ରଧାନ, ମୁଖିଆ ଏବଂ ଛାଟିଆମାନଙ୍କୁ ନିଯୁକ୍ତି ଦିଆଯିବା ଏବଂ ବର୍ଷକରେ ଦୁଇ ତିନି ଥର ରାଜସ୍ୱ ଆଦାୟ କରିବା କାରଣରୁ ୧୯୧୭ ମସିହା ଜାନୁଆରୀ ୧୫ ତାରିଖରେ କଙ୍କା ମାଝୀ ଓ କାଳିଆ ମହାନ୍ତଙ୍କ ନେତୃତ୍ୱରେ “ସାନ୍ତାଳ ବିଦ୍ରୋହ’ ହୋଇଥିଲା । ଚାରିମାସ ବିଦ୍ରୋହ ଚାଲିଲା ପରେ ଅର୍ଥାତ ମଇ ୩ ତାରିଖ ୧୯୧୭ରେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା । ୧୯୩୯ରେ ସୁନ୍ଦରଗଡ଼ ଜିଲା ଗାଙ୍ଗପୁର ଗଡ଼ଜାତ ରାଜ୍ୟରେ ଆଉ ଏକ ଇଂରେଜ ବିରୋଧୀ ବିଦ୍ରୋହର ନେତୃତ୍ୱ ନେଇଥିଲେ ମୁଣ୍ଡା ଜାତିର ଆଦିବାସୀଙ୍କ ମଉଡ଼ମଣି ନିର୍ମଳ ମୁଣ୍ଡା । ଏପ୍ରିଲ ୨୫ରେ ରାଇବୋଗା ନିକଟସ୍ଥ ଆମ୍‌କୋ ସିମ୍‌କୋଠାରେ ନିରସ୍ତ୍ର ଆଦିବାସୀମାନଙ୍କ ଉପରେ ଇଂରେଜମାନଙ୍କ ଦ୍ୱାରା ନିଷ୍ଠୁର ଭାବେ ଗୁଳିଚାଳନା କରାଯାଇ ସଂଗ୍ରାମୀ ଏବଂ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଇଥିଲା । ୧୯୪୨ ମସିହା ଅକ୍ଟୋବର ୧୦ ତାରିଖ ଦିନ ନୟାଗଡ଼ ଗଡ଼ଜାତ ରାଜ୍ୟର ନୂଆଗାଁଠାରେ ଇଂରେଜ ବିରୋଧୀ ଆନ୍ଦୋଳନ ଯୋଗୁଁ କନ୍ଧ ଯୁବକ କଷ୍ଟି ଡାକୁଆ ସହିଦ ହୋଇଥିଲେ । ଭାରତ ସ୍ୱାଧୀନତା ଆନ୍ଦୋଳନରେ ସହିଦ ଲକ୍ଷ୍ମଣ ନାୟକ ହେଉଛନ୍ତି ଜନଜାତି ବପ୍ଳବୀଙ୍କ ଏକ ଶ୍ରେଷ୍ଠ ଦୃଷ୍ଟାନ୍ତ । ଗାନ୍ଧୀଙ୍କ ଡାକରାରେ ୧୯୨୧ରେ ଅସହଯୋଗ ଏବଂ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନକୁ ବ୍ୟାପକ କରିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଗାଁଗାଁ ବୁଲି ଇଂରେଜମାନଙ୍କୁ ସହଯୋଗ ନକରିବାକୁ ଲୋକମାନଙ୍କୁ ବୁଝାଉଥିଲେ । ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ତାଙ୍କ ନେତୃତ୍ୱରେ ଶତାଧିକ ବିପ୍ଳବୀ ଜନଜାତି ମାଥିଲି ହାଟପଡ଼ିଆରେ ଏକତ୍ରିତ ହୋଇ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ସ୍ୱରାଜ୍ୟ ଫେରାଇ ଆଣିବାକୁ ଶପଥ ନେଇଥିଲେ । ଇଂରେଜ ଏବଂ ଆଦିବାସୀ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଅନେକ ଆଦିବାସୀ ସତ୍ୟାଗ୍ରହୀ ଇଂରେଜ ଗୁଳିରେ ସହିଦ ହେଲେ । ୧୯୪୩ ମାର୍ଚ୍ଚ ୨୯ ତାରିଖ ଦିନ ଲକ୍ଷ୍ମଣଙ୍କୁ ଫାଶୀ ଦିଆଗଲା ଏବଂ ତାଙ୍କର ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ଏହିପରି ଭାବରେ ଓଡ଼ିଶାରେ ବିଭିନ୍ନ ସମୟରେ ଆଦିବାସୀ ସ୍ୱାଧୀନତା ଆନ୍ଦୋଳନ ଓ ଗଣବିଦ୍ରୋହକୁ ଇଂରେଜ ଦମନ କରିବାରେ ସଫଳ ହୋଇଥିଲା । ତଥାପି, ଦେଶମାତୃକା ପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରାଣ ପ୍ରଚେଷ୍ଟାରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଫିରିଙ୍ଗି ଶାସନ କବଳରୁ ଭାରତ ମୁକ୍ତି ପାଇ ସ୍ୱଶାସନ କରିବାରେ ସୁବର୍ଣ୍ଣ ସୁଯୋଗ ପାଇଥିଲା । ତେଣୁ ଏହି ଦିନଟି ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇ ଦେଇଥାଏ ।  
ଦୁର୍ନୀତି ନିବାରଣ ଅଧିକାରୀ,ବାଲେଶ୍ୱର
ମୋ -୯୩୩୭୪୦୪୨୫୪