ମଦ ଦୋକାନ ଭଙ୍ଗାରୁଜା ଘଟଣା ; ଦୁଇ ଗିରଫ

ମଦ ଦୋକାନ ଭଙ୍ଗାରୁଜା ଘଟଣା ; ଦୁଇ ଗିରଫ

  •  ଭୁବନେଶ୍ୱର, ୨୮ା୮ : ଗତ ୨୫ ତାରିଖ ରବିବାର ରାତିରେ ଲକ୍ଷ୍ମୀସାଗର ଥାନା ଅଧିନ କଳ୍ପନା ଛକ ନିକଟ ମଦ ଦୋକାନୀ ମାଗଣାରେ ମଦ ନ ଦେବାରୁ ଦୋକାନ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ଆକ୍ରମଣ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ୨ ଅଭିଯୁକ୍ତ ହେଲେ, ପୁରୁଣା ଷ୍ଟେସନ ବଜାରର ସନ୍ତୋଷ ଦାସ ଓ ପ୍ରଧାନ ସାହି ବସ୍ତିର କାଲା ରାମ । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଅଭିଯୁକ୍ତ ସନ୍ତୋଷ ଦାସ ନାମରେ ଲକ୍ଷ୍ମୀସାଗର ଥାନାରେ ୬ଟି ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।
     ସୂଚନା ଯୋଗ୍ୟଯେ, ଗତ ୨୫ ତାରିଖ ରବିବାର ରାତି ୮.୩୦ରେ ଅଭିଯୁକ୍ତ ସନ୍ତୋଷ ଓ କାଲା ରାମ ମିଶି କଳ୍ପନା ଛକ ମଦ ଦୋକାନକୁ ଯାଇ ଦୋକାନର କର୍ମଚାରୀଙ୍କୁ ଧମକାଇ ମାଗଣାରେ ମଦ ମାଗିଥିଲେ । ହେଲେ କର୍ମଚାରୀ ଜଣଙ୍କ ମନା କରିବାରୁ ଦୁଇ ଅଭିଯୁକ୍ତ ରାଗିଯାଇ ଦୋକାନ ଭିତରେ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ । ଏନେଇ ମଦ ଦୋକନ କର୍ମଚାରୀ ମାନେ ପିସିଆରକୁ ଫୋନ କଲା ବେଳେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ସମସ୍ତଙ୍କୁ ହତ୍ୟା ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ଦୋକାନର କର୍ମଚାରୀ ଓ ମ୍ୟାନେଜର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଅଭିଯୋଗର ୩ ଦିନ ପରେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।