ମଦପି କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର; ୨ ଗିରଫ
ଭୁବନେଶ୍ୱର,୧୮ା୧୦ : ଦିନକୁ ଦିନ ରାଜଧାନୀ ରାସ୍ତାରେ ନିଶାଡ଼ିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧୀବଙ୍କୁ ଆକ୍ରମଣ କରିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଗୁରୁବାର ରାତିରେ ନୟାପଲ୍ଳୀ ଥାନା ଅନ୍ତର୍ଗତ ବେହେରା ସାହି ଛକରେ ଦୁଇ ମଦ୍ୟପ ଯୁବକ କୋଷ୍ଟଗାର୍ଡ ଡିଆଇଜି ଓ ତାଙ୍କ ପତ୍ନୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଘଟଣା ପରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସଙ୍କ ରିପୋର୍ଟ ଅନୁଯାୟୀ ପୁଲିସ ୨ଜଣ ମଦ୍ୟପଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ଯୁବକ ହେଉଛନ୍ତି ଜଗତସିଂପୁର ବାଲିକୁଦା ଅଞ୍ଚଳର ଶିବାଶିଷ ମହାନ୍ତି (୩୦) ଓ ବିକାଶ ମହାନ୍ତି (୨୭) । ଦୁଇ ମଦ୍ୟପ ଯୁବକଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୁଲିସ ଏକ ସ୍କୁଟି ଜବତ କରିଛି ।
ସୂଚନା ଅନୁଯାୟୀ, କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଗୁରୁବାର ରାତି ପ୍ରାୟ ୯ଟା ୪୦ ମିନିଟ ସମୟରେ ପତ୍ନୀଙ୍କ ସହ ସରକାରୀ ଗାଡ଼ିରେ ପାୱାର ହାଉସ ଛକ ପଟରୁ ବେହେରା ସାହି ଛକ ପଟକୁ ଆସିଥିଲେ । ବେହେରା ସାହି ଛକରେ ଡିଆଇଜିଙ୍କ ଗାଡ଼ି ଅଟକି ଥିବା ବେଳେ, ହଠାତ ଦୁଇ ଯୁବକ ଏକ ସ୍କୁଟି ଯୋଗେ ଆସି ତାଙ୍କ ଗାଡ଼ି ସମ୍ମୁଖରେ ରହିଥିଲେ । ପରେ ଟ୍ରାଫିକ ଛାଡ଼ି ଥିଲେ ମଧ୍ୟ ଦୁଇ ଯୁବକ ଡିଆଇଜିଙ୍କ ଗାଡ଼ିକୁ ଛାଡ଼ି ନଥିଲେ ଓଲଟା ତାଙ୍କୁ ଖରାପ ଭାଷାରେ ଗାଲିଗୁଲଜ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଏନେଇ ତୁରନ୍ତ ଡିଆଇଜି ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ଖବର ପାଇଁ ନିଜେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ଥାନାରେ ପହଞ୍ଚି ଘଟଣାର ତନାଘନା କରିବା ସହ ସିସିଟିଭି ଆଧାରରେ ତୁରନ୍ତ ଦୁଇ ଅଭିଯୁକ୍ତଙ୍କୁ ପିସିଆର ଯୋଗେ ଥାନାକୁ ଅଣାଯାଇଥିଲା । ଥାନାକୁ ଆସିବା ପରେ ଦୁଇ ଅଭିଯୁକ୍ତ ମଦ୍ୟପାନ କରିଥିବା ନେଇ ତାଙ୍କ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା । ତେବେ ଆଗାମୀ ଦିନରେ ମଦୁଆ ଧରପଗଡ଼ ଅଭିଯାନକୁ ଅଧିକ ବ୍ୟାପକ କରାଯିବ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।