ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାର ତତ୍ପର
୩ଟି ଦିଗକୁ ଟୁଇନ୍ସିଟି ପୁଲିସର ଗୁରୁତ୍ୱ; ଆକ୍ସନ ମୋଡରେ ସିପି
ଭୁବନେଶ୍ୱର,୨୩ା୧: ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଣ୍ଟା ଭିଡ଼ିଛନ୍ତି । କଡାକଡ଼ି ଭାବେ ଓଡ଼ିଶାରୁ କେମିତି ନିଶା, ଅପରାଧ, ସାଇବର ଠକେଇ, ଟ୍ରାଫିକ ସମସ୍ୟା ଦୁର କରାଯାଇପାରିବ ସେ ନେଇ ପୁଲିସ ମୁଖିଆଙ୍କୁ କଡା ତାଗିଦ୍ କରିଛନ୍ତି । ଏହାସହ ରାଜ୍ୟରେ ସାଇବର ଠକେଇ ବଢ଼ୁଥିବା ନେଇ ପ୍ରତେକ ଜିଲ୍ଲାରେ ସାଇବର ଥାନା ଓ ଟ୍ରାଫିକ୍ ଥାନାକୁ ବଢ଼ାଇବାକୁ ଲକ୍ଷ ରଖାଯାଇଛି । ଫଳରେ ରାଜ୍ୟରୁ ଅପରାଧ, ନିଶା, ଠକେଇ ମୁକ୍ତ ହୋଇପାରିବ । ଯାହା ପୂର୍ବର୍ ସରକାରରେ ଦେଖାଯାଇନଥିଲା । ଏଭଳି ମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ ପରେ ଆକ୍ସନ ମୋଡରେ ଓଡ଼ିଶା ପୁଲିସ ଓ କମିଶନରେଟ୍ ପୁଲିସ । ରାଜଧାନୀକୁ ଅପରାଧମୁକ୍ତ କରିବାକୁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ବିଭିନ୍ନ ସମୟରେ ଗ୍ରହଣ କରାଯାଉଛି । ଏଥିପାଇଁ ସବୁ ସମୟରେ ସଜାଗ ରହିଛି ପୁଲିସ । ପୁଲିସ କମିଶନର ସୁରେଶ ଦେବଦତ ସିଂ ଗୁରୁବାର ଅନୁଷ୍ଠିତ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ପୁଲିସ ମୁଖ୍ୟତଃ ୩ଟି ଦିଗ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଉଛି ସଡ଼କ ସୁରକ୍ଷା, ନିଶା କାରବାର ଓ ଷ୍ଟ୍ରିଟ କ୍ରାଇମ । ଏହି ୩ଟି ଜିନିଷ ବର୍ତ୍ତମାନ ସମୟରେ ପୁଲିସ ପାଇଁ ଯେତିକି ମୁଣ୍ଡ ବ୍ୟଥାର କାରଣ ହୋଇନାହିଁ ତାହା ଠାରୁ ଅଧିକ ସହରବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି । ଏଥିପାଇଁ ଏହାର ମୂଳ ଉତ୍ପୋଟନ ପାଇଁ ପୁଲିସ ସବୁ ସମୟରେ ତତ୍ପର ବୋଲି ପୁଲିସ କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି । ନିଶା କାରବାର ରୋକିବା ଦିଗରେ ପୁଲିସ ତାହାର ସ୍ୱତନ୍ତ୍ର ଡ୍ରାଇଭ ଜାରି ରଖିଛି । ଏହିକ୍ରମରେ ହିଁ ମୈତ୍ରୀବିହାର ଓ ବାଲିଅନ୍ତା ଥାନା ପୁଲିସ ଦୁଇଟି ପୃଥକ ପୃଥକ ମାମଲାରେ ୯ଜଣ ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତାଙ୍କ ଠାରୁ ୩୦ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ନିଶା ସାମଗ୍ରୀକୁ ଜବତ କରିଛି । ସେହିପରି ଏହି ନିଶା ସାମଗ୍ରୀ କେଉଁ ସ୍ଥାନରୁ ଆସୁଛି ଏବଂ କେଉଁଠିକୁ ଯାଉଛି ତାହାର ମଧ୍ୟ ତଦନ୍ତ ଜାରି ରହିଛି । ସେହିପରି ଶିକ୍ଷାନୁଷ୍ଠାନ ଆଖପାଖ ଅଞ୍ଚଳରେ ବିପୁଳ ପରିମାଣର ନିଶା ସାମଗ୍ରୀ ବିକ୍ରି ହେଉଥିବା ନେଇ ବିଭିନ୍ନ ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଅଭିଯୋଗକୁ ଭିର୍ତ୍ତି କରି ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ପୁଲିସ ନିଜ ଅଞ୍ଚଳରେ ଥିବା ନିର୍ଦ୍ଧିଷ୍ଟ କିଛି ଶିକ୍ଷାନୁଷ୍ଠାନ ପାଖରେ ଥିବା ପାନ ଦୋକାନ ଓ ଅନ୍ୟାନ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇ ବ୍ୟାପକ ନିଶା ସାମଗ୍ରୀ ଜବତ କରାଯିବା ସହ ୨୬ ଜଣ ଦୋକାନୀକୁ ପ୍ରାଥମିକ ପର୍ଯ୍ୟାୟରେ ଅଟକ ରଖାଯାଇଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି । ଏଥିପ୍ରତି ପୁଲିସ ବେଶ ଯତ୍ନବାନ ଥିବା ଏବଂ ଆଗାମୀ ଦିନରେ ଏଦିଗରେ ଅଧିକ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି । ଟ୍ରାଫିକ ଦିଗରେ ମଧ୍ୟ ପୁଲିସ ଯଥେଷ୍ଟ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ଲୋକମାନେ ଯେପରି ଟ୍ରାଫିକ ସମସ୍ୟାରେ ନ ପଡ଼ନ୍ତି କିମ୍ବା ଅଧିକ ସମୟ ଲାଇନରେ ଛିଡ଼ା ନ ହୁଅନ୍ତି ସେ ନେଇ ମଧ୍ୟ ପୁଲିସ କାର୍ଯ୍ୟ କରୁଥିବା ଶ୍ରୀ ସିଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।