ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତାର ରକ୍ଷକ
ବାଲେଶ୍ୱର : ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଓ ଆଇନଜୀବୀ ଦିବସ ଓକିଲ ସଂଘ, ବାଲେଶ୍ୱର ପକ୍ଷରୁ ଆଜି ସକାଳେ ବାର୍ ହଲ୍ ନମ୍ବର-୨ରେ ସଂଘର ସଭାପତି କେଶବ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥିଭାବେ ବାଲେଶ୍ୱର ଜିଲ୍ଲା ଓ ଦୌରାଜଜ୍ ସତ୍ୟନାରାୟଣ ମିଶ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ରବୀନ୍ ଚନ୍ଦ୍ର ଦାସ ଓ ସମ୍ମାନୀତ ଅତିଥିଭାବେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଓ ଡେପୁଟି ସଲିସିଟର ଜେନେରାଲ୍ ପ୍ରସନ୍ନ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସୂଚନା ଦେବା ସହ ସେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ ଭାବେ କୃତିତ୍ୱ ଅର୍ଜନ କରି ସମଗ୍ର ଦେଶରେ ‘ମଧୁ ବାରିଷ୍ଟର’ ଭାବେ ପରିଚିତ ଥିଲେ ବୋଲି ମତପ୍ରକାଶ କରିଥିଲେ । ସଂଘର ସମ୍ପାଦକ ସମ୍ବିତ୍ କୁମାର ନନ୍ଦୀ ‘ମଧୁବାବୁ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ଓ ନିର୍ଭିକ ବ୍ୟକ୍ତି ଥିବା ସହ ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଓକିଲ ଓ ବୁଦ୍ଧିଜୀବୀମାନଙ୍କ ପାଇଁ ଆଦର୍ଶବ୍ୟକ୍ତି ଥିଲେ’ ବୋଲି ପ୍ରକାଶ କରିଥିଲେ । ତେଣୁ ତାଙ୍କର ଜନ୍ମଦିବସକୁ ‘ଆଇନଜୀବୀ ଦିବସ’ ରୂପେ ପାଳନ କରାଯାଉଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ମଧୁ ବାରିଷ୍ଟରଙ୍କୁ ‘ଭାରତରତ୍ନ’ ପ୍ରଦାନ ପାଇଁ ବକ୍ତାମାନେ ଦାବି କରିଥିଲେ ।
ଏହି ଅବସରରେ ସମାଜର ବିଭିନ୍ନକ୍ଷେତ୍ରରେ ନିଜର ଅବଦାନ ରଖିଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମାନପତ୍ର ପାଠ କରିଥିଲେ ଆଇନଜୀବୀ ଜିତେନ୍ଦ୍ର କୁମାର ଉପାଧ୍ୟାୟ । ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ (ଡାକ୍ତରୀ ସେବା), ଗୌରାଙ୍ଗ ପାଣିଗ୍ରାହୀ (ସମାଜସେବା), ସୁଧାକର ସେଠୀ (ପରିବେଶବିତ୍), ଅରୁଣ କୁମାର କର (ସମାଜସେବା) ଏବଂ ଡମ୍ବରୁଧର ଚଣ୍ଡ (କ୍ରୀଡ଼ାବିତ୍)ଙ୍କୁ ସଂଘ ତରଫରୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଆଇନଜୀବୀ ‘ରମେନ୍ଦ୍ର ପାଢ଼ୀ ସ୍ମୃତି କମିଟି’ ସହଯୋଗରେ ସଂଘ ତରଫରୁ ୫ ଜଣ ନୂତନ ଆଇନଜୀବୀଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଆଇନପୁସ୍ତକ ପ୍ରଦାନ କରାଯାଇଥିଲା । ପୂର୍ବରୁ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଶାନ୍ତ ପଟ୍ଟନାୟକ, ପ୍ରଭାତ ଦାସ, ସୌରୀ ଶଙ୍କର ପରିଡ଼ା, ସଞ୍ଜୟ ଚୌଧୁରୀ, ବାସନ୍ତୀ ସାହୁ, କିଶୋର ବଲ୍ଲଭ ଦାସ, ଜ୍ଞାନ ରଞ୍ଜନ ପାଣି, ଦେବାଶିଷ ପାତ୍ର, ଅକ୍ଷୟ ପାତ୍ର, ହେମଲତା ମହାପାତ୍ର, ପ୍ରଭାତ କୁମାର ଖଣ୍ଡେଲୱାଲ୍, ମହେଶ ପ୍ରହରାଜ, ଧୀରେନ୍ଦ୍ର କୁମାର ମିଶ୍ର ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟା ବନ୍ଦନା ବିଶ୍ୱାଳ ପ୍ରମୁଖମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ରଣଜିତ୍ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।