ମନରେଗାରେ ମହାଦୁର୍ନୀତି: ସରପଞ୍ଚଙ୍କ ସ୍ୱାମୀ ପାଉଛନ୍ତି ମଜୁରୀ ଟଙ୍କା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କେରାପଦର ଗ୍ରାମରେ ମନରେଗାରେ ହେଉଥିବା ବିଭିନ୍ନ କାମରେ ଗାଁ ସାଥି ଦୁର୍ନୀତି କରୁଥିବା ବେଳେ,ପ୍ରଶାସନ ତାଙ୍କୁ ସହଯୋଗ କରୁଥିବା ନେଇ ଲୋକେ ମତ ଦେଇଛନ୍ତି । ବେଲମତି ପାଣ୍ଡେ ଗାଁ ସାଥୀ ଥିବା ବେଳେ, ତାଙ୍କ ଶ୍ୱଶୁର ଜଳଧର ହରିଜନଙ୍କ ନାମରେ ଦୁଇଥର ଗାଈ ଗୁହାଳ କରିଛନ୍ତି । ସେହିପରି ଗ୍ରାମର ଦିବ୍ୟ ମାଧବ ବେହେରା ଯଜମାନି କାମ କରନ୍ତି, ହେଲେ କେବେ ମଧ୍ୟ ମନରେଗାରେ କାମ କରି ନାହାନ୍ତି କିନ୍ତୁ ପ୍ରତ୍ୟେକ କାମରେ ତାଙ୍କ ଆକାଉଣ୍ଟରେ ଟଙ୍କା ପକାଯାଏ ।ଏପରିକି ତାଙ୍କ ପରିବାରର ସମସ୍ତଙ୍କ ନାମରେ ପଇସା ପଡୁଛି । ସେହିପରି ଗାଁ ସାଥୀଙ୍କ ପୁଅ ସାହିଲ ପାଣ୍ଡେଙ୍କୁ ଏହି ବର୍ଷ ଅଠର ପୁରିଥିବା ବେଳେ ଦୁଇ ବର୍ଷ ହେଲା ତାଙ୍କ ନାମରେ ମନରେଗା ମଜୁରୀ ଟଙ୍କା ପଡୁଛି । ଆହୁରି ଆଶ୍ଚର୍ଯ୍ୟର କଥା ହେଲା ସରପଞ୍ଚ ରଶ୍ମିତା ସିନ୍ହାଙ୍କ ସ୍ୱାମୀ ବିଜୟ ଦଣ୍ଡସେନାଙ୍କ ନାମରେ ମଧ୍ୟ ଟଙ୍କା ପଡ଼ିଛି । କେରାପଦର୍ ପାଇକ ପଡ଼ା ଠାରୁ ବୋଲାଡ ଛକ ରାସ୍ତା ଉନ୍ନତି କରଣରେ ବିଜୟ ଦଣ୍ଡସେନାଙ୍କ ସମେତ ବୋଡେନ ପଞ୍ଚାୟତର ନାଇଟ ୱାଚର ବୈଷ୍ଣବ ମାଝୀ, ୱାର୍ଡ ମେମ୍ବର ଶୁକଦେବ ସେଠୀ, ଖଡିଆଳ ଗାନ୍ଧୀ କଲେଜରେ ପିଅନ ଥିବା ବିକାଶ ରଞ୍ଜନ ନାଏକ ଆଦି କାମ କରି ନଥିବା ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିଛି । ଏନେଇ ଗ୍ରାମବାସୀ ଅନେକ ଥର ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳଙ୍କ ଆଦେଶରେ ରାସ୍ତା କାମ ବନ୍ଦ ରହିଥିବା ଏବେ ପୁଣି ଆରମ୍ଭ ହୋଇଛି । ଏନେଇ ଗ୍ରାମବାସୀ ଗତକାଲି ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିବା ବେଳେ ସରପଞ୍ଚ କିଛି କହୁ ନାହାନ୍ତି । ଏନେଇ ତଦନ୍ତ କରାଯିବ ଓ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବୋଡେନ ବିଡିଓ ସୁଶାନ୍ତ ରଣା । ଅପର ପକ୍ଷରେ ଅଭିଯୋଗକାରୀଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଓକିଲ ନୋଟିସ ପଠାଇଛନ୍ତି ଗାଆଁ ସାଥି ବେଲମତି ପାଣ୍ଡେ ଯାହାକୁ ନେଇ ଗ୍ରାମବାସୀଙ୍କ ମଧରେ ଅସନ୍ତୋଷ ଦେଖା ଦେଇଛି ।