ମନ୍ଥର ଗତିରେ ଚାଲିଛି ରାସ୍ତା କାର୍ଯ୍ୟ

 ନିମାପଡା : ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ପଂଚାୟତ ଅଧୀନସ୍ଥ ପିପଳିଆ ଠାରୁ ବକୁ ଗ୍ରାମ ପର୍ଯ୍ୟନ୍ତ ଆରଡି ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆରମ୍ଭରୁ ଅତି ନିମ୍ନମାନର କାମ ହେଉଥିବା ସହିତ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ନ ହେଲେ ଅଞ୍ଚଳବାସୀ ଘୋର ଅସୁବିଧାର ସମ୍ମୁଖିନ ହେବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନିମାପଡ଼ା ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ପାଟପୁର-ବଳଙ୍ଗା ପୂର୍ତ୍ତ ରାସ୍ତାର ପିପଳିଆ ଛକ ଠାରୁ ବକୁ ଭାୟା ପିପଳିଆ, କମଦରୀ, ସାଦେରିଆ,ବରାଳ ସାହି, ଗାଦୀ ସାଦେରିଆ ଓ ରଥସାହି ଯାଏଁ ୭କୋଟି ୨ଲକ୍ଷ ୩୫ହଜାର ୭୨୧ଟଙ୍କା ବ୍ୟୟରେ ୭.୨ କିଲୋମିଟର ରାସ୍ତାକୁ ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଗତ ୨୦୨୪ ମସିହା ଫେବୃଆରୀ ୨୭ ତାରିଖରେ  ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭିତ୍ତିପ୍ରସ୍ତର ସ୍ଥାପନ ହେବାର ଏକବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସେମିତି କିଛି ଆଖି ଦୃଷ୍ଟିଆ କାର୍ଯ୍ୟ ହୋଇ ନଥିବାବେଳେ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବା ଜଣାପଡିଛି । ଆଉ ମଧ୍ୟ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରା ଯୋଗୁଁ କିଛି ପଦକ୍ଷେପ ନିଆଯାଇନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ମାଟି ସଂପୃକ୍ତ ଠିକାଦାର ମାଗଣା ପାଇଥିବାବେଳେ ସେଥିରୁ ଅଳ୍ପ କିଛି ମାଟି ରାସ୍ତାରେ ପକାଇ ଅବଶିଷ୍ଟ ମାଟିକୁ ନିଜେ ନେଇ ଇଟା ଫ୍ୟାକ୍ଟ୍ରି କରୁଥିବା ଏକ ଖାଲ ଜାଗାରେ ପକାଇଛି । ସୂଚନାଯୋଗ୍ୟ, ନିର୍ମାଣ କାର୍ଯ୍ୟରେ ମାଟି କିଣିବା ପାଇଁ ବ୍ୟୟ ବରାଦ ଥିଲେ ମଧ୍ୟ ସଂପୃକ୍ତ ଠିକାଦାର ମାଟି ନ କିଣି ମାଗଣା ମାଟିକୁ ନିଜ ବ୍ୟକ୍ତିଗତ ବ୍ୟବସାୟରେ ଲଗାଇଥିବା ଅଞ୍ଚଳବାସୀଙ୍କ ସମେତ ସ୍ଥାନୀୟ ସରପଞ୍ଚ କହିଛନ୍ତି । ଆଉ ୩/୪ ମାସ ପରେ ବର୍ଷା ରୁତୁ ଆସିବ । ଏଣୁ ସଂପୃକ୍ତ ଠିକାଦାର ଏହିପରି ନିର୍ମାଣ କାର୍ଯ୍ୟ କଲେ ଅଞ୍ଚଳବାସୀ ଆଉ ଘରୁ ବାହାରି ପାରିବେ ନାହିଁ । ନିମାପଡ଼ା ବିଧାୟିକା ତଥା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉକ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।