କାଳୀପୂଜା ପାଇଁ ଝଲସୁଛି ଯାଜପୁର ସହର

କାଳୀପୂଜା ପାଇଁ ଝଲସୁଛି ଯାଜପୁର ସହର

ଯାଜପୁର ଟାଉନ: କାଳୀପୂଜା ପାଇଁ ଝଲସୁଛି ଯାଜୁପର ସହର । ବୁଧବାର ରାତିରୁ ବିଭିନ୍ନ ମଣ୍ଡପରେ ଲକ୍ଷ୍ମୀ ନାରାୟଣ ରୀତିନୀତି ଅନୁସାରେ ପୂଜା ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ମଣ୍ଡପରେ ବିଭିନ୍ନ ପ୍ରକାରର ଆଲୋକସଜ୍ଜା କରାଯାଇ ତୋରଣମାନ ନିର୍ମାଣ କରାଯାଇଛି । ସନ୍ଧ୍ୟା ହେବାମାତ୍ରେ ସମଗ୍ର ସହର ଚଳଚଞ୍ଚଳ ହୋଇଯାଉଥିବା ବେଳେ ଆଲୋକ ମାଳାରେ ଝଲସି ହୋଇଉଠୁଛି । ସେହିପରି ସହର ଏବଂ ଏହାର ଆଖପାଖ  ଅଂଚଳରେ ବସବାସ କରୁଥିବା ସହରବାସୀ ସେମାନଙ୍କର ନିଜ ନିଜର ଘରଗୁଡିକରେ ଲିଚୁ ଲାଇଟ୍ ଆଲୋକମାଳାରେ ସଜିତ କାରଣରୁ ସମଗ୍ର ସହରଟି ଆଲୋକମାଳାରେ ବାନ୍ଧି ହୋଇଥିବା ପରି ଦେଖିବାକୁ ମିଳିଛି । ଚଳିତବର୍ଷ ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୬ରୁ ଉଦ୍ଧ୍ୱର୍ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟ ମୂର୍ତ୍ତିମାନ ପୂଜା ପାଉଛନ୍ତି । ଯାଜପୁର ସହରର ସର୍ବପୂରାତନ ବାହାବଳପୁର ଗରୁଡକାଳୀଙ୍କ ଠାରୁ ପ୍ରାଚୀନ ସଦାବ୍ରତମଠ ଓ ଗରିଆପୁର ପ୍ରଭୃତି ଆଦି ଶ୍ୟାମାକାଳୀଙ୍କ ଦର୍ଶନ ଏକ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିଛି । ସେହିପରି ସାନବଜାର, ବଡବଜାର, ନାରାୟଣଛକ, ଯୋଡିକୂଅ, ଶିତଳେଶ୍ୱର, ବିରଜାହାଟ, ଡେଲିମାର୍କେଟ, କିଆନାଳିକୂଳ, ବୈଦ୍ୟରାଜପୁର, ମାନସାପୋଲ, ଟାଉନହଲ, କଚେରୀ ବଜାର, ସରକାରୀ ବସଷ୍ଟାଣ୍ଡ, ଭବାନୀଗଞ୍ଜ, ବିରଜା ସିନେମାହଲ, ହାବେଳି ବଜାର, ହରପାର୍ବତିଛକ, ଜାଉଁଳି ବନ୍ଧ, ଟ୍ୟାକ୍ସିଷ୍ଟାଣ୍ଡ, ଖଣ୍ଡେଶ୍ୱର, କୁଆଁସରପୁର, ଅମ୍ବିକାଇଛକ, ଲଳିତେଶ୍ୱର, କଲେଜଛକ, ରକ୍ଷାକାଳୀ, ଷ୍ଟେଟବ୍ୟାଙ୍କ, ମାର୍କଣ୍ଡପୁର, ଇତ୍ୟାଦି ସ୍ଥାନମାନଙ୍କରେ ତୋରଣ ଓ ଆଲୋକସଜ୍ଜା ବ୍ୟାପକ ହୋଇଛି । ଚଳିତବର୍ଷ କମିଟି ଗୁଡିକ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଦର୍ଶକଙ୍କ ମନମୋହୁଛି ।