ମରାମତି ଅଭାବରୁ ପାଟରଙ୍ଗା ରାସ୍ତା ବିପର୍ଯ୍ୟସ୍ତ
ରଗଡି : ସହରାଞ୍ଚଳ ପରି ଗ୍ରାମାଞ୍ଚଳ ଲୋକଙ୍କୁ ପକ୍କା ରାସ୍ତା ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଗାଁ କୁ ପକ୍କା ରାସ୍ତା ନିର୍ମାଣ ହୋଇଛି ସତ ହେଲେ ଦୀର୍ଘ ଦିନ ହେଲା ଏହାର ମରାମତି ଉପରେ ଦୃଷ୍ଟି ଦିଆଯାଉନାହିଁ । ଯାହା ଫଳରେ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ୁଛି । କୋରେଇ ବ୍ଲକ ପାଟରଙ୍ଗା ଗ୍ରାମ ଉନ୍ନୟନ ଅଧିନରେ ଥିବା ପ୍ରଧାନମନ୍ତୀ ସଡ଼କ ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇ ପଡିଛି । ୨୦ନମ୍ବର ଜାତୀୟ ରାଜପଥ କଣ୍ଟାଝରିଗଡ଼ ନିକଟରୁ ୩କିମି ବ୍ୟାପି ଏହି ରାସ୍ତା ଗ୍ରାମକୁ ସଂଯୋଗ କରିଛି । ପିଚୁ ଉଠି ଅନେକ ସ୍ଥାନରେ ବଡ଼ ବଡ଼ ଗର୍ତ ସୃଷ୍ଟି ହୋଇ ଏଥିରେ ପାଣି ଜମୁଛି । ଯାହା ଯାତାୟାତକୁ ଅଧିକ ସମସ୍ୟା ବହୁଳ କରିଛି । ସ୍କୁଲ କଲେଜକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅସୁବିଧାରେ ଯିବାକୁ ପଡୁଛି । ଗ୍ରାମ ନିକଟରେ ଜିନ୍ଦଲ କମ୍ପାନୀର ଏକ କଲୋନୀ ରହିଥିବାରୁ ଏହି ରାସ୍ତାରେ ସେମାନଙ୍କ ଏକାଧିକ ବସ ଯାତାୟାତ କରୁଛି । ରାସ୍ତା ଅଧିକ ଖରାପ ହୋଇ ପଡ଼ିବାର ଏହା ମୁଖ୍ୟ କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତୃପକ୍ଷ ରାସ୍ତା ମରାମତି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।