ବାଲାଙ୍ଗିଆ ଗ୍ରାମରେ ରକ୍ତ ନମୁନା ସଂଗ୍ରହ : ୧୮ଜଣ କିଡ୍ନୀ ରୋଗରେ ସଂକ୍ରମିତ 

 କବାଟବନ୍ଧ : ଧର୍ମଶାଳା ତହସିଲ ଚକ୍ରଧରପୁର ପଞ୍ଚାୟତ ଅଧିନ ଆଦିବାସୀ ଗ୍ରାମ ବାଲାଙ୍ଗିଆ ଗ୍ରାମରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗିଆ ଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଡ୍ନୀ ରୋଗ ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । କ୍ରୋନିକ କିଡ୍ୀନ କ୍ୟାମ୍ପରେ ୯୨ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ହେଲେ ସେଥି ମଧ୍ୟରୁ ୧୮ଜଣ କିଡ୍ୀନ ରୋଗୀ ଚିହ୍ନଟ ହୋଇଥିବା ରିପୋର୍ଟ କହୁଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା କିଡ୍ନୀ ରୋଗର ନିରାକରଣ ଓ ସଚେତନତା କରାଯାଇଥିଲା । କୀଡୀନ ରୋଗ ଜଣାପଡିବା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗ୍ରାମରେ ୪ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ । ଗ୍ରାମରେ ସମ୍ପୂର୍ଣ୍ଣ ଆଦିବାସୀ ଶ୍ରେଣୀର ଲୋକ ବସବାସ କରିଥାନ୍ତି । ପୂର୍ବରେ ବିଛାଖଣ୍ଡି ଖଣି କ୍ରସର ଏବଂ ପଶ୍ଚିମ ଦିଗରେ କୁସୁନପୁର କ୍ରସର ମଝିରେ ଏହି ଗ୍ରାମ ଅବସ୍ଥିତ । ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଖଣି, କ୍ରସର ୟୁନିଟ ଗଢି ଉଠିଥିବାରୁ ପରିବେଶ ପଦୂଷଣ ସହିତ ଭୁତଳ ଜଳ ଦୂଷିତ ହେଉଛି । ସେହି ଜଳ ବ୍ୟବହାର ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।
ପ୍ରତିନିଧିଙ୍କ ଅନୁସନ୍ଧାନରୁ ଜଣାପଡିଛି କି ଏହି ଗ୍ରାମ କେବଳ ନୁହେଁ ଖଣି ଏବଂ କ୍ରସର ଗଢିଉଠିଥିବା ପାଶ୍ୱର୍ବର୍ତ୍ତୀ ଗ୍ରାମରେ ବେସରକାରୀ ରିପୋର୍ଟ ଅନୁସାରେ ଅନେକ ମୃତୁ୍ୟ ବରଣ କରିଥିବା ସହିତ ଅନେକ ରୋଗରେ ପୀଡିତ ରହିଛନ୍ତି । ପାହାଡ଼ ପାଦ ଦେଶରେ ଜନବସତି ନିକଟରେ ଗଢି ଉଠିଥିବା ଏହି କ୍ରସର, ଖଣି ଗୁଡିକ ନିର୍ବାଚନ ସମୟ ପରଠାରୁ କିଛି ଦିନ ପାଇଁ ସାମୟିକ ଭାବେ ବନ୍ଦ ରହିବା ପରେ ଏବେ ୨୪ ଘଂଟିଆ ଚାଲୁଥିବା ଦେଖିବାକୁ ମିଳିଛି । ପ୍ରତିଷ୍ଠା କରାଯାଇଥିବା କ୍ରସର ଗୁଡିକ କୌଣସି ମତେ ପ୍ରଶାସନକୁ ହାତ କରି କାଗଜପତ୍ର ହାତେଇ ନେଇଛନ୍ତି । ମାତ୍ର କ୍ରସର ଚଳାଇବା ପାଇଁ ରହିଥିବା ବିଭିନ୍ନ ମାନଦଣ୍ଡ କିମ୍ବା ସରକାରୀ ନୀତି ନିୟମକୁ ମାନୁନାହାନ୍ତି ଓ ଯାହା ଦ୍ୱାରା ସ୍ଥାନୀୟ ଜନସାଧାରଣ ପ୍ରଭାବିତ ହେବା ସହିତ ରୋଗଗ୍ରସ୍ତ ହୋଇ ମୃତୁ୍ୟ ମୁଖରେ ପଡ଼ୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ରହିଥିବା ଜଳ ଉତ୍ସ ଗୁଡ଼ିକ ସମ୍ପୂର୍ଣ ପ୍ରଦୂଷିତ ହୋଇଥିବା ଜଣାପଡ଼ିଛି । ଉକ୍ତ କ୍ରସର ଅଞ୍ଚଳରେ ରହିଖିବା ଜଳାଶୟ ଗୁଡିକରେ ଏକ ଆବରଣ ସୃଷ୍ଟି ହୋଇଛି । ଖଣି ଏବଂ କ୍ରସର ୟୁନିଟ ସ୍ଥାପନା ପରେ ପ୍ରଭାବିତ ଗ୍ରାମ ମାନଙ୍କରେ ଜନସାଧାରଣଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଓ ପରୀକ୍ଷା କରିବାର ନିୟମ ରହିଛି । ପ୍ରଶାସନ ଏବଂ ବେଆଇନ କ୍ରସର ହେଉ କି ଖଣି ଧାରୀ ଏହା କରୁନଥିବା ଜଣାପଡିଛି । ସ୍ୱାସ୍ଥ୍ୟ ପରିସ୍ଥିତି ଏଭଳି ହେଲାଣି କି କୁସୁନପୁର କ୍ରସର ନିକଟରେ ରହିଥିବା ଆଦିବାସୀ ଗାଁ ବଲାଙ୍ଗିଆରେ ଏବେ ଘରେ ଘରେ କିଡ୍ନୀ ରୋଗୀ । ଏହା ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁ ନାହିଁ କିମ୍ବା ଏଥିପ୍ରତି ତତ୍ପରତା ପ୍ରକାଶ କରୁନାହାଁନ୍ତି । କ୍ରସର ପରିଚାଳନା ପାଇଁ ପ୍ରଦୂଷଣ ବିଭାଗ, ଲଘୁ ଖଣି ବିଭାଗ,ରାଜସ୍ୱ, ପୁଲିସ ପ୍ରଶାସନ ହେଉ କିମ୍ବା ତହସିଲ ବେଆଇନ କାର୍ଯ୍ୟ କରିବାକୁ ପ୍ରଶୟ ଦେଉଥିବାର ଅଭିଯୋଗ ହେଉଛି । ବେଆଇନ ଚାଲୁଥିବା କ୍ରସର ଗୁଡିକ ଆଖବୁଜି ସବୁ ନିଯମ କାନୁନକୁ ଦଳିମକଚି ଦେଉଥିବା ବେଳେ ପ୍ରଶାସନ ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି । ବେଆଇନ ଚାଲୁଥିବା କ୍ରସର ଗୁଡିକରୁ ଏକତ୍ରିତ କରି ମାସିକିଆ ଟଙ୍କା ଆଦାୟ କରି କାର୍ଯ୍ୟାନୁଷ୍ଠାନ ନହେବା ପାଇଁ ଅଘୋଷିତ ଚୁକ୍ତି ହୋଇଥିବା ଶୁଣିବାକୁ ମିଳୁଛି । ଏହା ଉପରେ ମୋହନ ସରକାର ଏହି ଆଦିବାସୀ ଗ୍ରାମକୁ କିଡୀନ ରୋଗ କବଳରୁ ମୁକ୍ତ କରିବା ପାଇଁ ବେଆଇନ କ୍ରସର ଏବଂ ଖଣି ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଦିବାସୀ ବାଲାଙ୍ଗିଆ ଗ୍ରାମବାସୀ ।