ଭତ୍ତା ପାଇବାରୁ ବଞ୍ଚିତ ବାସନ୍ତୀ
ବିଞ୍ଝାରପୁର : ଯୋଜନା ମାଳ ମାଳ, ବିକାଶର ପ୍ରଚାର ନାଁ ଥମିବାରେ ଲାଗୁନି । ଫଟୋ ଉଠାଇ ସୋସିଆଲ ମିଡିଆରେ ଅନେକ ପ୍ରଚାର । ଲୋକଙ୍କ ସମସ୍ୟା ସମାଧାନ ପାଇଁ ହେଉଛି ଅଭିଯୋଗ ଶୁଣାଣି । ହେଲେ ଏସବୁ ଏଠି ମାରିଛି ଫେଲ୍ । କାହାର ନଜର ପଡୁନି ଅପହଁଚ ଇଲାକାରେ ଥିବା ବାସନ୍ତୀ ମଲ୍ଲିକଙ୍କ ଉପରେ । ବୟସ ପାଖାପାଖି ୭୦ଛୁଇଁଲାଣି । ନିଜର ବାର୍ଦ୍ଧକ୍ୟ ଭତା ଖଣ୍ଡେ ପାଇଁ ପଞ୍ଚାୟତର ସରପଂଚ, ବିଡିଓ ଓ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଶେଷରେ ଶାସକ ଓ ପ୍ରଶାସକ ଉପରେ ବିଶ୍ୱାସ ଭରସା ତୁଟାଇ ଦେଇଛନ୍ତି ଜରୀ ପଞ୍ଚାୟତ ସାହାଣୀ ସାହିର ବାସନ୍ତୀ ମଲ୍ଲିକ । ଅନେକ ଥର ପୂର୍ବ ସରପଂଚ, ବର୍ତମାନର ସରପଞ୍ଚ ଓ ବ୍ଳକ୍ର ବିଡିଓଙ୍କୁ ନିଜର ଡକୁ୍ୟମେଣ୍ଟ ଦେଇ କିଛି ସୁଫଳ ମିଳି ପାରିନଥିଲା । ସବୁ କିଛି ଚପି ଯାଇଥିଲା ସରକାରୀ ଦପ୍ତରରେ । କାରଣ କେହି ନଥିଲେ ବାସନ୍ତୀଙ୍କ ପାଇଁ ଦାବୀ କରିବାକୁ । ଏମିତି କି ନେତାଙ୍କୁ ହାତଗୁଞ୍ଜା ଦେଇ ପାରିନଥିବାରୁ ତାଙ୍କର ଭତାଟି ହୋଇପାରୁନଥିବା କହିଛନ୍ତି ବାସନ୍ତୀ । କମସେ କମ୍ ଯେତିକି ଭତ୍ତା ମିଳିବ ତାହା ବାସନ୍ତୀଙ୍କ ପାଇଁ ଏକ ବଡ଼ ସହଯୋଗ ହୋଇପାରିବ । ନିଜର ଗରିବ ପରିବାର ନଚେତ୍ ନିଜର ଔଷଧ ଖର୍ଚ୍ଚରେ ଲାଗିପାରିବ । ହେଲେ ବ୍ଳକ୍ରେ ହତାଗୁଞ୍ଜାରେ ପ୍ରାୟ ୫୦୦ଊର୍ଦ୍ଧ ଭେଣ୍ଡିଆ ଭତା ହେଇ ପାରିଲା କିନ୍ତୁ ବସନ୍ତୀଙ୍କ ଉପରେ କହାର ନଜର ପଡ଼ିପାରିଲା ନାହିଁ । ଯାହାକୁ ନେଇ ବାସନ୍ତୀ କହିଛନ୍ତି ଏଥର ଭୋଟ ପାଇଁ ଯେଉଁ ନେତା ଆସିବ ତାକୁ ଠିକ୍ ଜବାବ ମିଳିବା ସହିତ ଆଉ କାହାକୁ ଭୋଟ ଦେବେ ନାହିଁ । ତେବେ ପ୍ରଶାସନର ନଜର କେବେ ବାସନ୍ତୀଙ୍କ ଉପରେ ପଡ଼ିବ ଆଉ ଭତା ଅନୁରୋଧଟିକୁ ପୁରଣ କରିବେ ତାହା କେବଳ ଦେଖିବାକୁ ବାକି ରହିଲା ।