ମହାଜ୍ୟୋତିର୍ମୟ ଚକ୍ରନାରାୟଣ ନୀଳଚକ୍ର


ନୀଳଚକ୍ର, ନୀଳଗିରି, ନୀଳଶୈଳ, ନୀଳକନ୍ଦର, ନୀଳସିନ୍ଧୁ ଆଦି ଦେବତା ନୀଳମାଧବ ସବୁ ନୀଳ ପୁଣ୍ୟ ନୀଳାଚଳ ଧାମରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତୀକ । ନୀଳଚକ୍ର ପ୍ରକାରାନ୍ତ ଦେବାୟୁଧ ସୁଦର୍ଶନ । ନୀଳଚକ୍ର ପତିତପାବନ ବାନାର ଧାରକ । ନୀଳଚକ୍ର ହିଁ ଚକ୍ର ନାରାୟଣ । ଭକ୍ତ ଓ ଭଗବାନଙ୍କ ମିଳନର ସୂତ୍ରଧର ଭାବେ ଶ୍ରୀଜଗନ୍ନାଥ ସଂସ୍କୃତିରେ ନୀଳଚକ୍ରର ଏକ ବିଶେଷ ସ୍ଥାନ ରହିଛି । ପୁରୁଷୋତ୍ତମ କ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତମାନେ ବହୁ ଦୂରରୁ ସର୍ବ ପ୍ରଥମେ ମନ୍ଦିର ଚୂଡ଼ାରୁ ନୀଳଚକ୍ରଙ୍କୁ ଦେଖି ଭକ୍ତିପୂର୍ଣ୍ଣ ନୈବେଦ୍ୟ ଅର୍ପଣ କରି ପ୍ରଭୁଙ୍କ ଦର୍ଶନ ସୁଖ ପାଇଥାନ୍ତି । ରତ୍ନ ସିଂହାସନ ଉପରେ ଆସୀନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପୂର୍ବରୁ ଭକ୍ତଗଣ ପ୍ରଥମେ ଚକ୍ରରାଜଙ୍କୁ ନିଜ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରିଥାନ୍ତି ।  ସନ୍ଥ କବି କବୀର ଦାସ ଶ୍ରୀମନ୍ଦିର ଶୀର୍ଷରେ ନୀଳଚକ୍ର ଓ ପତିତପାବନ ବାନାକୁ ଦେଖି ଆନନ୍ଦରେ ବିଭୋର ହୋଇ ଗାଇ ଉଠିଥିଲେ, ଚକ୍ର ଉପର ଧ୍ୱଜ ଫହରେ, ମାଥ ସୋହତ ହୀରା ହରି ଆଗେ ଦାସ ନାଚେ, କହତ ଦାସ କବୀର । ଶ୍ରୀଜଗନ୍ନାଥଙ୍କ ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ଚକ୍ରରାଜ । ଋଗବେଦ ଚକ୍ରକୁ ଚିତ୍ରିତ କରେ ସୂର୍ଯ୍ୟ ଓ ସମୟ ଭାବରେ । ଚକ୍ରର ଆଦି ନାହିଁ, ଅନ୍ତ ନାହିଁ ଏବଂ ଏହାର ମୂଲ୍ୟ ଅପରିସୀମା । ଏହା ଅନ୍ତଃ କରଣର ଏକ ଉଚ୍ଛାସ, ପୂର୍ଣ୍ଣତାର ପ୍ରତିବିମ୍ବ, କ୍ରମନ୍ୱୟର ଧାରା ଓ ପ୍ରଗତିର ସଂକେତ । ନୀଳଚକ୍ର ବିଷ୍ଣୁଙ୍କର, ବାସୁଦେବଙ୍କର ଓ ଜଗନ୍ନାଥଙ୍କର ଆୟୁଧ ରୂପେ ଗ୍ରହଣ କରାଯାଏ । ଶ୍ରୀମନ୍ଦିରର ଚୂଡ଼ା ଉପରେ ନୀଳଚକ୍ର ଅଛି । ନୀଳାମ୍ବରଧର-ବିଷ୍ଣୁ ବା ନୀଳକାନ୍ତି ବିଗ୍ରହଙ୍କର ଚକ୍ର ମଧ୍ୟ ନୀଳ ଅଟେ । ଶାସନକାଳକୁ ଉତ୍ତମ ରୂପେ ଘୂରାଇ ପାରିଲେ ବା ପରିଚାଳନା କଲେ, ସ୍ୱୟଂ ବିଷ୍ଣୁ ସନ୍ତୁଷ୍ଟ ହୁଅନ୍ତି ।  ନୀଳଚକ୍ର ଉପରେ ପତାକା ବା ବାନା ବା ଧ୍ୱଜ ଉଡୁଛି ।  ନୀଳଚକ୍ରକୁ ଦର୍ଶନ କଲାମାତ୍ରେ, ବିପଦରୁ ରକ୍ଷାମିଳେ ଓ ମୁକ୍ତିଲାଭ ହୁଏ । ନୀଳଚକ୍ରକୁ "ଉହାଡ଼' ବା ରକ୍ଷାକବଚ ମଧ୍ୟ କୁହନ୍ତି । ନୀଳଚକ୍ରଙ୍କର ଏକ ବିଶେଷତ୍ୱ ହେଉଛି ଦିନର ବିଭିନ୍ନ ସମୟରେ ଏହାଙ୍କର ରଙ୍ଗର ପରିବର୍ତ୍ତନ ।  ଶ୍ରୀଜଗନ୍ନାଥ ସଂସ୍କୃତିର ବହୁମୁଖୀ ବିଚାରଧାରାକୁ ଦର୍ଶାଉଥିବା ସାମ୍ୟ, ମୈତ୍ରୀ, ସଂହତିର ପ୍ରତୀକ ପତିତପାବନ ବାନା ଏବଂ ମହାଜ୍ୟୋତିର୍ମୟ ଚକ୍ରନାରାୟଣ ନୀଳଚକ୍ର ଆଜି ମଧ୍ୟ ପତିତ ଜନତା ଏବଂ ପରଂବ୍ରହ୍ମଙ୍କ ମଧ୍ୟରେ ସଂଯୋଗର ସେତୁ ରୂପରେ ଶ୍ରୀପୁରୁଷୋତ୍ତମ ଧାମରେ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ସ୍ୱାଭିମାନ ଓ ଗୌରବର ପ୍ରତୀକ, ସାହାସ ଓ ବୀରତ୍ୱର ପ୍ରତୀକ, ଭକ୍ତି ଓ ସମର୍ପଣର ପ୍ରତୀକ, ଶୌର୍ଯ୍ୟ ଓ ବୀର୍ଯ୍ୟର ପ୍ରତୀକ, ପ୍ରୀତି ଓ ମୈତ୍ରୀର ପ୍ରତୀକ, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣତାର ପ୍ରତୀକ, ଦୁଷ୍ଟ ବିନାଶନ ଓ ପାପ ସଂହାରଣର ପ୍ରତୀକ ଏବଂ ସର୍ବୋପରି ଜଗତର ନାଥ ଜଗନ୍ନାଥ ଦର୍ଶନର ପରିପୂର୍ଣ୍ଣତାର ପ୍ରତୀକ ଶ୍ରୀନୀଳଚକ୍ର । ଶ୍ରୀଜଗନ୍ନାଥଙ୍କ ପ୍ରିୟ ନୀଳଚକ୍ର ପତିତପାବନ ବାନା ଦର୍ଶନରେ ହିଁ ପରମ ତୃପ୍ତି ଓ ଶାନ୍ତି ମିଳେ ।
ସୌର ଚନ୍ଦ୍ର ମହାପାତ୍ର
ମୋ : ୯୪୩୭୦୦୪୪୬୬