ସାଧୁ - ସର୍ବ ଭୂତ ହିତେ ରତଃ

ହେମନ୍ତ କୁମାର ପରିଡ଼ା : 

ଭଗବାନ ତାଙ୍କ ପରମ ଶାସ୍ତ୍ର ଭାଗବତରେ ଏକ ଘୋଷଣା କରିଛନ୍ତି । "ଏ ଜୀବ ସାଧୁସଙ୍ଗ ବିନୁ । ଲଭି ନପାରେ ମୋର ତନୁ ।' ଏହା ଏକ ସିଦ୍ଧାନ୍ତ, ଏକ ଉଦ୍ଘୋଷଣା । ଜୀବନରେ ପରମ ଶାନ୍ତି ଓ ଆନନ୍ଦ ପ୍ରାପ୍ତି ପାଇଁ ଭଗବତ ସାକ୍ଷାତକାର ସଭିଙ୍କର ଶ୍ରେଷ୍ଠ ଅଭିଳାଷ । କିନ୍ତୁ ଏହି ଅଭିଳାଷର ପୂର୍ତ୍ତି ପାଇଁ ସାଧୁସଙ୍ଗ ଏକମାତ୍ର ପଥ ବୋଲି ସ୍ୱୟଂ ଭଗବାନ ନିଦେ୍ର୍ଦଶ କରିଛନ୍ତି । ଭାଗବତ ମହାପୁରାଣରେ ସାଧୁଙ୍କ ମହିମା ଘୋାଷଣା କରି କୁହାଯାଇଛି "ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇଁ ଚନ୍ଦନ ।' ଯେପରି ମଳୟ ସ୍ପର୍ଶରେ ନିମ୍ବ ଦାରୁ ଚନ୍ଦନରେ ରୂପାନ୍ତର ହୋଇଯାଏ, ସେହିଭଳି ସାଧୁଙ୍କ ସଂସ୍ପର୍ଶରେ ପାଶାଣ୍ଡ ମଧ୍ୟ ପ୍ରସିଦ୍ଧ ସନ୍ଥ ହୋଇଥିବାର ବହୁ ଉଦାହରଣ ଆମ ଶାସ୍ତ୍ର ପୁରାଣ ଓ ଲୋକ କଥାରେ ବର୍ଣ୍ଣିତ ହୋଇଛି ।
ଦସୁ୍ୟ ରତ୍ନାକର ଭଳି ଦୂରାଚାରୀ ଦେବର୍ଷି ନାରଦଙ୍କ ସଂସ୍ପର୍ଶରେ ଆସି ମହାନ ତପସ୍ୱୀ ହୋଇଗଲେ । ସାଧୁ ହୋଇ ଆଦିକବି ଭାବେ ପ୍ରସିଦ୍ଧି ଲାଭ କଲେ । ଅଙ୍ଗୁଳୀମାଳ ଭଳି ଦୁଦ୍ଧର୍ଷ ଡାକୁ ଭଗବାନ ବୁଦ୍ଧଙ୍କ ଦର୍ଶନ କରି ମହାତ୍ମା ହୋଇଗଲେ । ଜଗାଇ ମାଧୋଇ ଦୁଇଜଣ ଦୁରାଚାରୀ ଥିଲେ । ପ୍ରେମମୂର୍ତ୍ତି ଶ୍ରୀଚୈତନ୍ୟଙ୍କ ସଂସ୍ପର୍ଶରେ ଆସି ସାଧୁ ବୈଷ୍ଣବ ହୋଇଗଲେ ଜୟ ପ୍ରକାଶ ନାରାୟଣଙ୍କ ପ୍ରଭାବରେ ଚମ୍ବଲ ଉପତ୍ୟକାର ଦସୁ୍ୟମାନେ ତାଙ୍କର କୁପ୍ରବୃତ୍ତି ପରିତ୍ୟାଗ କରି ଭଲ ମଣିଷ ହେବାକୁ ସଙ୍କଳ୍ପ ନେଇଥିଲେ । ଏହିଭଳି ଅନେକ ଉଦାହରଣ ଆମ ସମାଜରେ ଅଛି । ଅଗ୍ନି ସଂସ୍ପର୍ଶରେ ଆସି ଧାତୁ କାଷ୍ଠାଦି ଇତର ପଦାର୍ଥମାନ ଅଗ୍ନିରୂପ ଧାରଣ କରିଥାନ୍ତି । ଚୁମ୍ବକ ପ୍ରଭାବରେ ଲୁହା ଚୁମ୍ବକର ଗୁଣମାନ ଧାରଣ କରିଥାଏ । ଏହା ମହତ ଆଶ୍ରୟ ବା ସାଧୁ ସଙ୍ଗର ପ୍ରଭାବ । ସ୍ପର୍ଶମଣିର ସ୍ପର୍ଶରେ ଲୁହା ସୁନାରେ ପରିଣତ ହୋଇଯାଏ । ସେହିଭଳି ମଣିଷ ମଣିଷ ଇତର ପ୍ରାଣୀମାନେ ମଧ୍ୟ ସାଧୁସଙ୍ଗ ପ୍ରଭାବରେ ପରିବର୍ତ୍ତନ ହେବାର ଅନେକ ଉଦାହରଣ ଅଛି । ସଂସାର ବନ୍ଧନରୁ ପରିତ୍ରାଣ ପାଇଁ ସାଧୁସଙ୍ଗ ପ୍ରସସ୍ତ ପଥ ଅଟେ । ସେଥିପାଇଁ କୁହାଯାଇଛି "କ୍ଷଣମିହ ସଜ୍ଜନ ସଙ୍ଗତିରେକା, ଭବତି ଭବାର୍ଣ୍ଣବ ତରଣେନୌକା ।' 
ସାଧୁସନ୍ଥମାନେ ଏ ଧରଣୀର ଆଶୀର୍ବାଦ । ଏମାନେ ଚଳନ୍ତି ଈଶ୍ୱର ଭାବେ ଅବିହିତ । ବର୍ଷାଣାଂ ଭାରତ ଶ୍ରେଷ୍ଠ । ବିଶ୍ୱ ବକ୍ଷରେ ଭାତ ଭୂଖଣ୍ଡ ସର୍ବ ଶ୍ରେଷ୍ଠ ବୋଲି ବିହିତ ଅଛି । ପ୍ରାୟ ସମସ୍ତ ଦେବାଦେବୀମାନେ ଏହି ଭୂଖଣ୍ଡରେ ହିଁ ଅବତାର ଗ୍ରହଣ କରିଛନ୍ତି । ଏହା କେବଳ ମାଟି ଗୋଡ଼ିର ଏକ ଭୂଭାଗ ନୁହେଁ, ଏହି ମାଟି ଆମର ମା' । ଏହି ଦେଶର ମାଟି ପାଣି ପବନ ସବୁ ଅତ୍ୟନ୍ତ ପବିତ୍ର । ଏହାର ମାଟି ଆମ ପାଇଁ ଚନ୍ଦନ, ପାଣି ପବିତ୍ର ଗଙ୍ଗାଜଳ, ପବନ ସାକ୍ଷାତ ମଳୟ ହିଲ୍ଲେଳ । ଏଠିକାର ସମୁଦ୍ର ମହୋଦଧି । ଏହି ମାର ଧୂଳିକୁ ଆମେ ତିଳକ କରି ମଥାରେ ଧାରଣ କରୁ । ଭାରତମାତା ତୀର୍ଥ ରାଜିରେ ପରିପୂର୍ଣ୍ଣ ବୋଲି ନକହି କୁହାଯାଇପାରେ ଏହି ବିଶାଳ ଭାରତ ଭୂଖଣ୍ଡ ଏକ ତୀର୍ଥକ୍ଷେତ୍ର । ଯେତେବେଳେ ସାରା ବିଶ୍ୱ ଅଜ୍ଞାନ ଅନ୍ଧକାରରେ ଆବୃତ ଥିଲା ସେତେବେଳେ ଭାରତ ବର୍ଷରେ ଜ୍ଞାନଦୀପ ପ୍ରଜ୍ଜୋଳିତ ଥିଲା । ଭାରତର ଅଧିବାସୀମାନେ ନିତ୍ୟ ଜ୍ଞାନରତ ରହି ଭାରତ ମାତାର ମୁଖଶ୍ରୀକୁ ଉଜ୍ଜ୍ୱଳ କରିବା ସହିତ ବିଶ୍ୱବାସୀଙ୍କୁ ଆପଣା ଜ୍ଞାନାଲୋକରେ ଜ୍ଞାନଦୀପ୍ତ କରିଥିଲେ । ଜୀବନର ପରିପୂର୍ଣ୍ଣତା ପଥେ ଏମାନଙ୍କ ମାର୍ଗ ଦର୍ଶନ ଅବିସ୍ମରଣୀୟ । 
 ସର୍ବ ଭୂତଙ୍କ ହିତରେ ରତିଥିବା ବ୍ୟକ୍ତି ହେଉଛନ୍ତି ସାଧୁ । ସଫଳ ଜୀବନର ସହଜ ନିର୍ଯ୍ୟାସକୁ ଯେଉଁମାନେ ପ୍ରତିପାଦନ କରିଛନ୍ତି । ସମାଜ ତାଙ୍କୁ ସାଧୁ, ଗୁରୁ, ମାର୍ଗଦର୍ଶକ କହି ଶ୍ରଦ୍ଧା ସମ୍ମାନ କରିଛି । ଅନ୍ୟର ପିତାକୁ ଅନୁଭବ କରୁଥିବା ବ୍ୟକ୍ତି ବୈଷ୍ଣବ ବୋଲି କୁହାଯାଇଛି । ସମାଜ ସେମାନଙ୍କୁ ପୂଜା ଅର୍ଘ୍ୟ ପ୍ରଦାନ କରି ଶ୍ରେଷ୍ଠସ୍ଥାନ ପ୍ରଦାନ କରିଛି । ସେଥିପାଇଁ କୁହାଯାଇଛି ସାଧୁନାଂ ଦର୍ଶନଂ ପୂଣ୍ୟ ତୀର୍ଥ ଭୂତାଃ ହି ସାଧବଃ, କାଳେନ ଫଳତେ ତୀର୍ଥଂ ସଦ୍ୟଃ ସାଧୁ ସମାଗମଃ ।' ଅର୍ଥାତ୍ ସାଧୁ ଦର୍ଶନରେ ଅଶେଷ ପୂଣ୍ୟ । ସାଧୁ ସାକ୍ଷାତ ତୀର୍ଥମୟ । ତୀର୍ଥମାନେ ସମୟ କ୍ରମେ ଫଳଦାନ କରନ୍ତି । ସାଧୁ ମାନଙ୍କ ଦର୍ଶନ ତତକ୍ଷଣାତ ଫଳଦାୟକ ଅଟେ । ସାଧୁମାନେ ସାକ୍ଷାତ ଈଶ୍ୱରଙ୍କ ସ୍ୱରୂପ ଅଟନ୍ତି । ଭଗବାନ ମଧ୍ୟ ସ୍ୱୟଂ ସବୁବେଳେ ସାଧୁମାନଙ୍କ ପଦ ବନ୍ଦନ କରିଛନ୍ତି । ଆଶୀର୍ବାଦ ନେଇଛନ୍ତି, ଅଭିଶାପକୁ ମଥାପାତି ସହିଛନ୍ତି । କ୍ଷମା ଯାଚନା କରିଛନ୍ତି ପୁନଶ୍ଚ ସେମାନଙ୍କ ପରିତ୍ରାଣ ପାଇଁ ଅବତାର ମଧ୍ୟ ଗ୍ରହଣ କରିଛନ୍ତି । ସନ୍ଥ ତୁଳସୀ ଦାସଙ୍କ ଭାଷାରେ - "ନିର୍ମଳ ଯେନ ସୋମୋହି ପାବା, ମୋହ କପଟ ଛଲ ଚିଦ୍ରନ ପାବା ।' ଯାହାର ହୃଦୟ ନିର୍ମଳ, ମନ ପବିତ୍ର ଏବଂ ମୋହ, କପଟାଚାର, ଛଳନାମୁକ୍ତ ସେହି କେବଳ ପ୍ରଭୁଙ୍କୁ ପାଇ ପାରିବ । ଅଭିଧାନରେ ସାଧୁ ଶବ୍ଦର ଅନେକ ପରିଭାଷା ଉଲ୍ଲେଖ ଅଛି । ସେ ସବୁ ମଧ୍ୟରେ ସୁଶୀଳ, ସତସ୍ୱଭାବ, ସାଦାଶ୍ରୟ, ସଦାଚାର, ଧର୍ମ ନିପୁଣ ଆଦି ପ୍ରଧାନ । ସଦଗୁଣଯୁକ୍ତ ଦୈବୀ ଭାବାପନ୍ନ ଉଦାର ହୃଦୟଶୀଳ ବ୍ୟକ୍ତି ସାଧୁ ସ୍ୱଭାବର । ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଅତି ସୁନ୍ଦର ଭାବେ ଦୈବୀ ଗୁଣ ସମ୍ପନ୍ନ ସାଧୁ ସ୍ୱଭାବର ବର୍ଣ୍ଣନା କରିଛନ୍ତି । "ଅଭୟଂ ସତ୍ୱସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତି । ଦାନଂ ଦମଶ୍ଚ ଯଜ୍ଞଶୁ ସ୍ୱାଧ୍ୟାୟସ୍ତପ ଆର୍ଜବମ୍ । ଅହିଂସା ସତ୍ୟମକ୍ରୋଧ ସ୍ତ୍ୟାଗଃ ଶାନ୍ତିରପୈଶୁନମ୍ । ଦୟା ଭୂତେଷ୍ୱଲୋ ଲୁପ୍ତଂ ମାର୍ଜବଂ ହୀରଚାପଳମ୍ । ତେଜଃ କ୍ଷମା ଧୃତିଃ ଶୌଚମଦ୍ରୋହୋନାତି ମାନିତା । ଭବନ୍ତି ସମ୍ପଦଂ ଦୈବୀମ ଅଭିଜାତସ୍ୟ ଭାରତ ।'  ଶ୍ରୀ ଭଗବାନ କହିଲେ ହେ ଅର୍ଜ୍ଜୁନ! ଅଭୟ, ଶୁଦ୍ଧ ଅନ୍ତକରଣ, ଜ୍ଞାନ ନିମନ୍ତେ ଯୋଗରେ ଦୃଢ଼ ସ୍ଥିତି, ସାତ୍ୱିକ ଦାନ, ଇନ୍ଦ୍ରିୟ ସଂଯମ, ଯଜ୍ଞ, ସ୍ୱାଧ୍ୟାୟ, କର୍ତ୍ତବ୍ୟ ପାଳନ ନିମନ୍ତେ କଷ୍ଟ ସହନ, କାୟମନ ବାକ୍ୟରେ ସରଳତା, ଅହିଂସା, ସତ୍ୟ କଥନ, କ୍ରୋଧଶୂନ୍ୟତା, ବିଷୟବାସନା ତ୍ୟାଗ, ରାଗଦ୍ୱେଷ ବିବର୍ଜିତ ଅନ୍ତକରଣ, ଚୁଗୁଲି ନକରିବା, ଦୟାଶୀଳ, ଆସକ୍ତି ରହିତ ଅନ୍ତକରଣ, ଅକରଣ କରଣେ ଲଜ୍ଜ୍ୟା ବୋଧ, ଚପଳତା ରହିତ ସ୍ଥିର ବୁଦ୍ଧି, ତେଜ, କ୍ଷମା, ଧୈର୍ଯ୍ୟ, ଶାରୀରିକ ଶୁଚି, ନିବୈର ଭାବ ଏବଂ ନମ୍ରଭାବ ଆଦି ଦୈବୀ ଗୁଣ ଗୁଡ଼ିକ ସାଧୁର ସ୍ୱଭାବ ଅଟେ ।
ଭାରତବର୍ଷରେ ସାଧୁ ସନ୍ଥ ମାନଙ୍କୁ ସର୍ବାଗ୍ରେ ସମ୍ମାନ ପ୍ରଦର୍ଶନ କରାଯାଇଛି । ଆମେମାନେ ସାଧୁ କହିଲେ ଉପରୋକ୍ତ ସ୍ୱଭାବଯୁକ୍ତ ବ୍ୟକ୍ତିଙ୍କୁ ବୁଝୁ । ବେଶବାସ ପରିଧାନଯୁକ୍ତ ସାଧୁବେଶଧାରୀ ମାନଙ୍କୁ ଆମ ସମାଜ ଅଧିକ ମାନ୍ୟତା ପ୍ରଦାନ କରେ । ସେଥିପାଇଁ ତ ସାଧୁ ବେଶରେ ଅନେକ ଭଣ୍ଡଙ୍କର ଉତ୍ପାତ ସମାଜ ସହିଛି । ସାଧୁବେଶରେ ରାବଣ ମା’ ସୀତାଙ୍କୁ ହରଣ କରି ନେଇଥିଲେ, କାଳନେମି ସାଧୁବେଶରେ ହନୁମାନଙ୍କୁ ଭଣ୍ଡିବାକୁ ଚେଷ୍ଟା କରିଥିଲା । ଏହିଭଳି ଏକାଧିକ ଦୃଷ୍ଟାନ୍ତ ସମାଜରେ ଅଛି । ସାଧୁ ବେଶ ସାଧୁର ଏକ ଭୂଷଣ । ଏହି ସାଧୁବେଶ ଶଠତାର ପରିଚାୟକ ନହୋଇ ଆତ୍ମା ବିଶ୍ୱାସ, ସରଳତାର ପ୍ରତୀକ ହେଉ । ସାଧୁର ଯେଉଁ ମହାନ ପରମ୍ପରା ଅନାଦି କାଳରୁ ପ୍ରତିଷ୍ଠିତ ହୋଇ ଆସିଛି । ସେଥିରେ କଳଙ୍କ ନଲାଗୁ । ଭାରତ ବର୍ଷ ସାଧୁ ସ୍ୱଭାବକୁ ସମ୍ମାନ ଦିଏ । ସେ ପଟଧାରୀ ସନ୍ନ୍ୟାସୀ ବା ବୈଷ୍ଣବ ହୁଅନ୍ତୁ ଅଥବା ଗୃହସ୍ଥ ହୁଅନ୍ତୁ । ସାଧୁ ସ୍ୱଭାବ ହିଁ ଜଣେ ବାସ୍ତବ ସାଧୁର ପରିଚୟ । 
       ଆମର ସବୁ ମୁନିଋଷି ଗୃହସ୍ଥ ଥିଲେ । ବିଶ୍ୱଗୁରୁ ବ୍ୟାସ ମଧ୍ୟ ଗୃହସ୍ଥ ଥିଲେ । ସାଧୁର ବେଶବାସ ବାହ୍ୟ ଶୁଚି ଅପେକ୍ଷା ଅନ୍ତଶୁଚିକୁ ଅଧିକ ମହତ୍ୱ ପ୍ରଦାନ କରାଯାଇଛି । ସମାଜରେ ନାନା ପ୍ରକାର ବେଶ ଧାରୀ ସାଧୁ ସନ୍ଥ ଦୃଶ୍ୟ ହୁଅନ୍ତି । ଗୈରିକ କଷାୟ, ଶୁଭ୍ର, ରକ୍ତ, ପିତ, କୃଷ୍ଣ, ଏହିପରି ଅନେକ ବେଶବାସର ସାଧୁସନ୍ଥ ଦୃଷ୍ଟ ହୁଅନ୍ତି । କିଏ ଲଣ୍ଡିତ କିଏ ଜଟାଜୁଟ ବିମଣ୍ଡିତ କିଏ ଚିତାଚଇତନ ଯୁକ୍ତ ତ କିଏ ଭଷ୍ମ ବିଲେପିତ ଧୂଳିଧୁଷରିତ, କିଏ କୌପୁନିବନ୍ତ ତ କିଏ ବସ୍ତ୍ର ବିରହିତ ତ୍ୟାଗ ବୈରାଗ୍ୟଯୁକ୍ତ । ନିର୍ମଳ ହୃଦୟ, ସରଳ ଜୀବନ, ଉଚ୍ଚ ଚିନ୍ତନ, ତ୍ୟାଗ ବୈରାଗ୍ୟଯୁକ୍ତ ଜୀବନ ଯାପନ ସାଧୁର ଭୂଷଣ ଅଟେ । କାଚକାଚ ମଣି ମଣି କ୍ରୟ ବିକ୍ରୟେ ଜଣାଜଣି । ବିଶେଷକରି ସର୍ବଭୂତ ହିତେରତା । ଦୈବୀଗୁଣଯୁକ୍ତ ତ୍ୟାଗୀ ବ୍ୟକ୍ତି ହିଁ ବାସ୍ତବ ସାଧୁ ପଦବାଚ୍ୟ । ସେହିମାନେ ଏ ଧରଣୀର ଆଶୀର୍ବାଦ ତଥା ସମସ୍ତଙ୍କର ପୂଜ୍ୟ ଓ ଆଦର୍ଶ । 
ମୋ : ୮୭୬୩୧୦୭୧୨୬