ନିଜେ ନିଜର ରକ୍ଷାକର୍ତ୍ତା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ନିଜେ କେମିତି ନିଜର ରକ୍ଷାକର୍ତ୍ତା, ସେ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଆମ ଜୀବନରେ, ଆମ ଚାରିପାଖରେ ବିଭିନ୍ନ କିସମର ଲୋକ, ନାନା ପ୍ରକୃତିର ଲୋକ  । କିଏ କୋଉ ପ୍ରକାରର  । ଏମାନଙ୍କ ମଧ୍ୟରୁ କୁଟିଳ ପ୍ରକୃତିର ଲୋକଙ୍କୁ ସମସ୍ତେ ନିନ୍ଦା କରନ୍ତି  । ଝଗଡା, ଝାଟି କିମ୍ବା କୁଟିଳତା ଭିତରେ ପ୍ରବେଶ କରୁନଥିବା ଲୋକମାନଙ୍କୁ ସାଧାରଣତଃ ସରଳ ବୋଲି ଆମେ କହୁ  । ବିଶେଷ ଆବଶ୍ୟକତା ନ ପଡିଲେ ଏଭଳିି ଲୋକମାନେ କୌଣସି ଝାମେଲାରେ ପଶିବାକୁ ଚାହାନ୍ତି ନାହିଁ କି ଅନ୍ୟ କାହାରି ଜାଟିନାଟିରେ ମୁଣ୍ଡ ଖେଳାନ୍ତି ନାହିଁ । ଜୀବନରେ ନିଜ ଜଞ୍ଜାଳ ନେଇ ସେମାନେ ବ୍ୟସ୍ତ ରହନ୍ତି  । ସାଧାରଣତଃ ଏହିଭଳି ଲୋକଙ୍କୁ ସମାଜରେ ସରଳ ପ୍ରକୃତିର ଲୋକ ବୋଲି କୁହାଯାଏ  । କେହି କିଛି କହିଲେ ସେସବୁ କଥାକୁ ଅବିଶ୍ୱାସ ନ କରିବା, କାହାରି କଥାରେ ପ୍ରତିବାଦ ନ କରିବା ଭଳି ଆଚରଣ ଥିବା ଲୋକେ ସାଧାରଣତଃ ସରଳ ପ୍ରକୃତିର  ।
ତେବେ ଏଭଳି ଲୋକମାନଙ୍କୁ ଠକିବା ପାଇଁ ଅନେକ ସମୟରେ ବହୁ ଲୋକ ଜାଲ ବିଛାଇଥାନ୍ତି  । ସାଧାରଣତଃ ସରଳ ବିଶ୍ୱାସୀମାନେ କୌଣସି କଥାରେ ଯୁକ୍ତିତର୍କ ବା ପ୍ରତିପ୍ରଶ୍ନ ପଚାରୁନଥିବାରୁ ଲୋକମାନେ ସେମାନଙ୍କୁ ଠକିବା ପାଇଁ ଜାଲ ବିଛେଇ ଦିଅନ୍ତି  । ସମାଜର ସବୁ ସ୍ତରରେ ସରଳ ବିଶ୍ୱାସୀମାନେ ଠକାମିର ଶିକାର ହେଉଥିବା ଦେଖିବାକୁ ମିିଳେ  ।
ଦିନକୁ ଦିନ ଆମେ ଯେତେ ପ୍ରଗତି କରୁଛେ ବୋଲି ଭାବୁଛେ, ଆମର ମାନସିକତା ବି ବଦଳିଯାଉଛି  । ତେଣୁ ସରଳ ବିଶ୍ୱାସୀ ହୋଇ ଚଳିବା ଭଲ, କିନ୍ତୁ ଏତେ ସରଳ ହେବା ନାହିଁ ଯାହା ଫଳରେ କି ଯେ କୌଣସି ବ୍ୟକ୍ତି ଠକି ଦେଇ ଚାଲିଯିବ  ।
ସାମାଜିକ ଜୀବନରେ ଅନ୍ୟମାନଙ୍କ ସହ ସମ୍ପର୍କ ରଖିବା ଜରୁରୀ  । କିନ୍ତୁ ଏହି ସାମାଜିକ ସମ୍ପର୍କ ନିଜ ପାଇଁ କୌଣସି ପ୍ରକାରର ଅସୁିବଧା ସୃଷ୍ଟି ନ କରିବା ଉଚିତ୍  । ନିଜକୁ ନିଜେ ବିପର୍ଯ୍ୟୟରେ ପକାଇ ଅନ୍ୟର ସହଯୋଗ ଲୋଡିିବା କେବେ ହେଲେ ବୁଦ୍ଧିମାନର କାର୍ଯ୍ୟ ନୁହେଁ  । ମଣିଷ ପ୍ରଥମେ ନିଜେ ନିଜର ରକ୍ଷାକର୍ତ୍ତା  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର ।