ଦୁର୍ଘଟଣାରେ ୩ ଗୁରୁତର 

ନିଶ୍ଚିନ୍ତକୋଇଲି : ରାଜ୍ୟ ରାଜପଥ କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଅନ୍ତର୍ଗତ ଜହ୍ନିଆ ମାତକତପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଅଟୋ ରିକ୍ସା ଡ୍ରାଇଭର ସହ ୩ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ୩ଜଣଙ୍କର ଅବସ୍ଥା ଉଦ୍ବେଗଜନକ ଥିବାରୁ ଡ଼ାକ୍ତର ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି । ପ୍ରକାଶ ଯେ, କଟକରୁ ରାଜନଗର ଅଭିମୁଖେ ଯାଉଥିବା ଶ୍ରୀକ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ଯାନ ପଛରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧିନ ପଥରକଣିରେ ଥିବା ଲେବର କଣ୍ଟ୍ରାକଟର କାର୍ଯ୍ୟାଳୟକୁ ଡ଼୍ରାଇଭର ସୋନା ଖାଁ ୭ଜଣ ଶ୍ରମିକ ଶ୍ରେଣୀର ଲୋକଙ୍କୁ ନେଇ ଯାଉଥିଲା । ଏହି ସମୟରେ ଦ୍ରୁତ ଗତିରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ କାର ଏହି ୩ଚକିଆ ଅଟୋଟିକୁ ସାଇଟ ମାରିଦେଇ ବସ୍କୁ ଅତିକ୍ରମ କରି ଚାଲିଯାଇଥିଲା । ଫଳରେ ଅଟୋଟି ଭାରସାମ୍ୟ ହରାଇ ବସ୍ ପଛରେ ପିଟି ହୋଇଥିଲା । ଯାହାଦ୍ୱାରା ଅଟୋରେ ଥିବା ଶ୍ରମିକ ବଳରାମ ମୁଣ୍ଡା ଓ ମହମ୍ମଦ ସକିଲଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ସେମାନଙ୍କର ହାତ, ଗୋଡ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାବେଳେ ଦେହର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ରକ୍ତସ୍ରାବ ହୋଇଛି । ଅଟୋରେ ଥିବା ଅନ୍ୟ ୪ଜଣ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣା ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଓ ଅଟୋକୁ ଜବତ କରିଥିବାବେଳେ କାର୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସାଲେପୁର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।