ଅଧା ରହିଗଲା ଜଗା ଦର୍ଶନ ଦୁର୍ଘଟଣାରେ ୩ ଯୁବତୀ ମୃତ    

ଅଧା ରହିଗଲା ଜଗା ଦର୍ଶନ ଦୁର୍ଘଟଣାରେ ୩ ଯୁବତୀ ମୃତ    


 ପିପିଲି/ରାଜନଗର : ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଚାଲିଗଲା ତିନି ଜୀବନ  । ଅଧାରେ ରହିଗଲା କାଳିଆ ଦର୍ଶନ  । ପିପିଲି ବାଇପାସ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ତିନି ଜଣ ଛାତ୍ରୀଙ୍କର ମୃତୁ୍ୟ ଘଟିଛି  । ମୃତକ ତିନି ଜଣ ଉକôଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ  । ସେମାନେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିଲେ । ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ପିପିଲି ଓଭର ବ୍ରିଜ ନିକଟରେ ସଡକ ଦୁର୍ଘଟଣାରେ ତିନି ଜଣଙ୍କ ମୃତୁ୍ୟ ହୋଇଛି  । ଏମାନେ ଏକ ସ୍କୁଟିରେ ପୁରୀ ରଥଯାତ୍ରା ଦେଖିବା ପାଇଁ ଯାଉଥିବା ସମୟରେ ଭୁଲ୍ ଦିଗରୁ ବାଇକ୍କୁ ଧକ୍କା ମାରିବା ପରେ ସ୍କୁଟିଟି ତଳେ ପଡ଼ି ରାସ୍ତା ଉପରେ ଛିଟିକି ପଡିଥିଲା  । ଏହି ସମୟରେ ହଠାତ୍ ପୁରୀ ଅଭିମୁଖେ ଯାଉଥିବା ବସ୍ ଚକ ତଳେ ତିନିଜଣ ଯୁବତୀ ପଡିଯାଇଥିବା କହିଛନ୍ତି ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ।  ମୃତକ ଭୁବନେଶ୍ୱର ଓଲ୍ଡ ଟାଉନ ଅଞ୍ଚଳର ରିମଝିମ୍ ସାହୁ ( ୨୦) ପିତା ରମେଶ ସାହୁ , କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଦୁଇ ଭଉଣୀ ଏଲିନା ଦାଶ (୨୦), କାଜଲ ଦାଶ (୨୨) ଦୁଇ ଭଉଣୀ  ବୋଲି ଜଣା ପଡିଛି  । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ବସ  ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣା ପରେ ପୁଲିସ୍ ପହଞ୍ଚି ମୃତ ୩ଜଣ ଛାତ୍ରୀଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଏନେଇ ଆମ ରାଜନଗର ପ୍ରତିନିଧି ଜଣାଇଛନ୍ତିଯେ, ଡେରା ଗ୍ରାମର ଗୋଲଖ ଦାସଙ୍କ ଝିଅ ଏଲିନା ଦାସ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ  । ତାଙ୍କ ରୁମରେ ରହୁଥିବା ରିମଝିମ ପ୍ରିୟଦର୍ଶନୀ ସାହୁ ଓ ଏଲିନାଙ୍କ ଦାଦା ବିଶ୍ୱନାଥ ଦାସଙ୍କ ଝିଅ କାଜଲ ସାଙ୍ଗ ହୋଇ ଭୁବନେଶ୍ୱରରୁ ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ  । ପିପିଲିରେ ଦୁର୍ଘଟଣାରେ ମୃତ ଖବର ମିଳିବା ପରେ ପରିବାରରେ କାନ୍ଦବୋବାଳି ଲାଗି ରହିବା ସହ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।  ଗୋଲଖ ଦାସଙ୍କର ଦୁଇ ପୁଅ ଗୋଟିଏ ଝିଅ ଏଲିନା । ବିଶ୍ୱନାଥ ଦାସଙ୍କର ଚାରି ଝିଅ ଓ ଗୋଟିଏ ପୁଅ । ତାଙ୍କର ଦ୍ୱିତୀୟ ଝିଅ କାଜଲ ଏଲିନା ପାଖକୁ ଯାଇଥିଲା । ସାଙ୍ଗ ହୋଇ ତିନିଜଣ ଭୁବନେଶ୍ୱରରୁ ପୁରୀ ରଥଯାତ୍ରା ଦେଖିବାକୁ ଯାଇଥିଲେ  ।