ମା’ଙ୍କ ଆଗମନେ ଉତଫୁଲ୍ଲିତ ଧରାପୃଷ୍ଠ : ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପାଳନ 

 ନୂଆପଡ଼ା : ମାଁ ଙ୍କ ଆଗମନେ ଉତଫୁଲ୍ଲିତ ଧରାପୃଷ୍ଠ । ପ୍ରକୃତିରାଣୀ ଦେଇଥିବା ସବୁଜିମା ଲୁଗା ପରିଧାନ କରି ଧରଣୀ ରାଣୀ କାଶତଣ୍ଡୀ ଫୁଲକୁ ଧବଳ ଚାମର ରୁପେ  ବ୍ୟବହାର କରି ଆଲଟ ଚାମର ଦ୍ୱାରା ସ୍ୱାଗତ କରୁଛି ଜଗଜ୍ଜନନୀ ଦୁର୍ଗତି ନାଶିନୀ ମାଁ ଦୁର୍ଗାଙ୍କୁ । ଭାରତବର୍ଷରେ ଶାକ୍ତ ସଂସ୍କୃତିର ଏ÷ତିହ ରହି ଆସିଛି । ପ୍ରଚଳିତ ଶାକ୍ତ ବ୍ରତ ଗୁଡିକରେ ଦୁର୍ଗା, ଲକ୍ଷ୍ମୀ, ମହାକାଳୀ ,ମଙ୍ଗଳା, ସାବିତ୍ରୀ, ପାର୍ବତୀ, ଉତ୍ତରାୟଣୀ, ସମଲେଶ୍ୱରୀ ମାଣିକେଶ୍ୱରୀ, ରକ୍ତାମ୍ବରୀ, ପାଟଣେଶ୍ୱରୀ ଆରାଧ୍ୟ ଦେବୀ ରୁପେ ପୂଜା ପାଆନ୍ତି । ଦଶହରାରେ ଲୋକେ ମାଁ ଦୁର୍ଗାଙ୍କୁ ପୂଜା କରିଥାନ୍ତି । ଦୁର୍ଗାପୂଜା ଶରତ ଋତୁରେ ପାଳିତ ହୁଏ ବୋଲି ମାଁ ଦୁର୍ଗାଙ୍କ ଅନ୍ୟ ନାମ ସାରଦା । ବିଭିନ୍ନ ପୂଜାମଣ୍ଡପ ଶକ୍ତି ପୀଠରେ ପୂଜା ପାଇବେ ଦୁର୍ଗତି ନାଶିନୀ ମାଁ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିବ ବିଭିନ୍ନ ଶକ୍ତିପୀଠ । ବିଭିନ୍ନ ପୂଜାକମିଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଏବର୍ଷର ଦୁର୍ଗାପୂଜାକୁ କିଏ କେତେ ସ୍ୱତନ୍ତ୍ର କରିପାରିବ ଏଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି । କେଉଁ ପୂଜା କମିଟି ତୋରଣକୁ ଗୁରୁତ୍ୱ ଦେଉଥିବା ବେଳେ, କିଏ ମାଁଙ୍କ ପାରମ୍ପରିକ ପୂଜାକୁ ଗୁରୁତ୍ୱ ଦେଉଛି ଏବଂ କିଛି ପୂଜାକମିଟି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଷେଶ ଗୁରୁତ୍ୱ ଦେଉଛନ୍ତି । ବିଭିନ୍ନ ଶକ୍ତିପୀଠରେ  ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ଦିନଠାରୁ ନବରାତ୍ର ଓ ନବଦୁର୍ଗା ଉପାସନା ଆରମ୍ଭ ହୋଇଯାଇଥାଏ ।
ନବରାତ୍ରରେ ବିଭିନ୍ନ ଶକ୍ତିପୀଠ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉତ୍ସବ ମୁଖରିତ ହୋଇଉଠେ । ଏହି ନବରାତ୍ରରେ ମାତା ଆଦ୍ୟଶକ୍ତି , ନଅ ଦିନରେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା,  କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୁପରେ  ପୂଜା ପାଇଥାନ୍ତି । ଦଶମ ଦିନ ଦଶହରାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଏହି ନବରାତ୍ର ପୂଜାକରି ରାବଣକୁ ନିଧନ କରିଥିବାରୁ ଏହାକୁ କୁହାଯାଏ ବିଜୟା ଦଶମୀ ବା ଦଶହରା । ଏହି ପରିପେକ୍ଷୀରେ ନୂଆପଡା ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ନବରାତ୍ର ପାଇଁ ଚଳଚଞ୍ଚଳ ହୋଇଉଠିଛି । ପାତାଳ ଗଙ୍ଗା ଶକ୍ତିପୀଠ, ଖଡିଆଳ ଶିବଦୁର୍ଗା ଶକ୍ତିପୀଠ, ସିନାପାଲିର ଦୁର୍ଗା ମନ୍ଦିର ଶକ୍ତିପୀଠ ଭଲି ଅନେକ ସ୍ଥାନରେ ନବରାତ୍ର ପୂଜା ଆରମ୍ଭ  ହୋଇଯାଇଛି  । ଶକ୍ତି ଉପାସକ ମାନେ ସଂକଳ୍ପ ନେଇ ନିଜଘରେ ମଧ୍ୟ ନବରାତ୍ର ପୂଜା କରିଥାନ୍ତି । ଦଶହରାରେ ଆମ ଅଞ୍ଚଳର ଭବାନିପାଟଣାର ମାଁ ମାଣିକେଶ୍ୱରୀ, ଜୁନାଗଡରେ ମାଁ ଲଙ୍କେଶ୍ୱରୀ, ସିନାପାଲିରେ ମାଁ ମହୁଲଗଛିଏନ, ଖଡିଆଳ ରେ ମାଁ ସମଲେଶ୍ୱରୀ, ମାଁ ରକ୍ତାମ୍ବରୀ, ମାଁ ପାଟଣେଶ୍ୱରୀ, ବୈଜଲଗଡ ରେ ମାଁ ସମଲେଶ୍ୱରୀଙ୍କ ଛତର ଯାତ୍ରା ମହା ସମାରୋହ ଅନୁଷ୍ଠିତ ହୋଇଥାଏ  । ସିନାପାଲି ଅଞ୍ଚଳରେ ସିନାପାଲି ନେହେରୁ ମଣ୍ଡପ, ଜଗନ୍ନାଥ ଛକ ,ଟିମନପୁର, ନିଲଜୀ, ଚଲନା, ଗଣ୍ଡାବାହାଲି ଓ ସିଂଝର ଗ୍ରାମରେ ମହା ଆଡମ୍ବରରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ  । ଏହା ସହିତ ସିନାପାଲିରେ ହନୁମାନ ଏବଂ ଶ୍ରୀରାମଚନ୍ଦ୍ରଙ୍କ ପୂଜା  ମହାସମାରୋହରେ ଅନୁଷ୍ଠିତ ହୋଇଥାଏ, ତାହା ସହିତ ରାବଣ ଛକ ଠାରେ ରାବଣର ପ୍ରତିମୂର୍ତ୍ତି ସ୍ଥାପନ କରି ବିଜୟା ଦଶମୀ ଦିନ ତାକୁ ବଧ୍ଧ କରାଯାଇଥାଏ । ବିଜୟା ଦଶମୀ ଦିନ ଭବାନିପାଟଣା, ଖଡିଆଳ, ଟିମନପୁର, ନିଲଜୀ, ଗ୍ରାମରେ ରାବଣ ପୋଡି କାର୍ଯ୍ୟକ୍ରମ ଧୁମ୍ଧାମ୍ର ସହିତ ଅନୁଷ୍ଠିତ କରାଯାଇଥାଏ  । ଏବର୍ଷ ସିନାପାଲିରେ ମଧ୍ୟ ରାବଣ ପୋଡି କରିବା ପାଇଁ ସିନାପାଲି ହାଇସ୍କୁଲ ପଡାର ଯୁବକ ମାନେ ମନସ୍ଥ କରିଛନ୍ତି । ଦଶହରାରେ ମାଁ ଦୁର୍ଗାଙ୍କ ପୂଜା ସହିତ ଦଶହରା ବଜାର ଯୋରଦାର ଜମିଥାଏ  ।