ରୁଜୁ ହେବ ନୂଆ ମାମଲା; ଚିହ୍ନଟ ହେବେ ରୋଡ ରୋମିଓ

- ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା
ଭୁବନେଶ୍ୱର, ୧୯ା୯ : ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଇଆଇସିଙ୍କ ସମତେ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏହି ଘଟଣାର ମୂଳ ମାମଲାର ବି ତଦନ୍ତ ହେବ । ପୁଲିସ ଡିଜିପି ୱାଇ ବି ଖୁରାନିଆ ଦେଇଛନ୍ତି ଏହି ନିଦେ୍ର୍ଦଶ । ତେଣୁ ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ନୂଆ ମାମଲା ରୁଜୁ କରାଯିବ । ଏହି ମାମଲା ଆଧାରରେ ସେମାନଙ୍କୁ ରାସ୍ତା ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୋଡ ରୋମିଓଙ୍କୁ ଚିହ୍ନଟ କରାଯିବ । ଏହାପରେ ସେମାନଙ୍କ ଉପରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ପୁଲିସ ଡିଜି ଶ୍ରୀ ଖୁରାନିଆ ।
ସୂଚନା ଯୋଗ୍ୟଯେ, ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ୨୮ ତାରିଖ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାରରେ ଯାଉଥିଲେ । କିନ୍ତୁ ମଝି ରାସ୍ତାରେ ୨ଟି କାର୍ରେ କିଛି ରୋଡ୍ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ । କିନ୍ତୁ ପୁଲିସ ରୋଡ୍ ରୋମିଓଙ୍କୁ ଧରିବ କ’ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା । ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ । ତାହାରି ଭିତରେ ଗୁରୁବଂଶଙ୍କୁ ରାତି ତମାମ୍ ଲକ୍ଅପ୍ରେ ରଖିଥିଲା ପୁଲିସ । ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ । ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ପୁଲିସର ଅତ୍ୟଧିକ ମାଡରେ ଲହୁଲୁହାଣ ହୋଇ ସେ ଏବେ ଭୁବନେଶ୍ୱର ଏମ୍ସରେ ଚିକିସôାଧୀନ ଥିବା ବେଳେ ତାଙ୍କ ଜାମିନ ବି ମଞ୍ଜୁର ହୋଇ ଯାଇଛି । ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ପୁଲିସର ଏପରି ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ । ଏହାପରେ ତତ୍କ୍ଷଣାତ ଆଇଆଇସିଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ପ୍ରଥମେ ବଦଳି ଓ ପରେ ନିଲମ୍ବିତ କରାଯାଇଛି । ତେବେ ଏହି ଘଟଣାର ମୂଳ ମାମଲାର ଏବେ ତଦନ୍ତ ହେବ । ରାଜଧାନୀ ରାସ୍ତାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୋଡ ରୋମିଓଙ୍କୁ ତୁରନ୍ତ ଚିହ୍ନଟ କରାଯିବ ଗିରଫ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ଡିଜିପି ।