ମାନବବାଦ ଓ ଶ୍ରୀଜଗନ୍ନାଥ


ସୃଷ୍ଟିର ମଣିଷ ଜୀବନ ଦୁର୍ଲ୍ଲଭ । ମଣିଷ ସମାଜ ଓ ବ୍ୟକ୍ତିର ମଙ୍ଗଳ ପାଇଁ ପ୍ରତିମାପୂଜା, ଧର୍ମାନୁଷ୍ଠାନ ଗଠନ ଏବଂ ଶ୍ରୀଜଗନ୍ନାଥଙ୍କ ଆରାଧନା । କହୁଁ ପ୍ରତିମା ପୂଜା ବା ଶ୍ରୀଜଗନ୍ନାଥଙ୍କ ଆରାଧନା ମୂଳରେ ମନୁଷ୍ୟର କଲ୍ୟାଣ ସାଧନ ମୂଳ ଲକ୍ଷ୍ୟ । ମଣିଷ ହିଁ ମଣିଷର ମୁଖ୍ୟ ଅଧ୍ୟୟନ ବସ୍ତୁ । ନାରୀ ଓ ପୁରୁଷ ସୃଷ୍ଟିର ମୂଳ । ତହୁଁ ନର, ନାରୀ ସମ୍ପର୍କ ମଧ୍ୟ ଗଭୀର ହେବାକୁ ବାଧ୍ୟ । ଏହା ଶ୍ରଦ୍ଧା, ସାମାଜିକତା ଆକର୍ଷଣ ମଧ୍ୟରେ ପରିସ୍ଫୁଟ । ଏହା କେବଳ ଦେହ ସମ୍ପର୍କୀୟ ଏକ ସ୍ଥୂଳ ବ୍ୟବସ୍ଥା ନୁହେଁ । ମାତ୍ର ନାରୀ ଓ ନର ପ୍ରତି ଆକର୍ଷଣ ମୂଳରେ କାମ ନିଶ୍ଚୟ ଅଛି । ଏହି କାମ ଉପରକୁ ମନକୁ ଓ ସମାଜକୁ ନେବାରେ ପ୍ରତିମାପୂଜା ଏକ ପ୍ରଧାନ ଉପାୟ ବା କୌଶଳ । ମଣିଷ ମନକୁ ମହତ୍ତର କରିବା ପ୍ରତିମାପୂଜା ଶିକ୍ଷା ଦିଏ । ପ୍ରତିମାପୂଜା ବିବର୍ତ୍ତନ ଇତିହାସ ସହ ମଣିଷ ମନର ଉକ୍ରର୍ଷ ଗଭୀର ଭାବରେ ସମ୍ବନ୍ଧଶୀଳ ।
ତନ୍ତ୍ର, ଶକ୍ତି ଉପାସନା ବା ମାତୃପୂଜାରେ ଏହି ସୃଷ୍ଟି ତତ୍ତ୍ୱ ନିବିଡ଼ ଭାବରେ ସଂପୃକ୍ତ । ମାଆ ହେଉଛି ଜନ୍ମଦାତ୍ରୀ ଏବଂ ମଣିଷ ଜୀବନର ମୂଳଦୁଆ । ତହୁଁ ମାତୃପୂଜା ଆଦି ଭାରତୀୟ ଧର୍ମ ଧାରଣାର ଏକ ଅଙ୍ଗ ବେଦପୂର୍ବରୁ ବୋଲି ସୁବିଦିତ । ଦାମ୍ପତ୍ୟ ଜୀବନକୁ ମଧୁର, ମହତ୍ତର କରିବା ପ୍ରତିମା ପୂଜା ବା ବହୁ ଧର୍ମ ଧାରାର ମୂଳ ଉଦେ୍ଦଶ୍ୟ । ତହୁଁ ପ୍ରତିମା ପୂଜା ବା ଧର୍ମାନୁଷ୍ଠାନରେ ମଣିଷକୁ ତ୍ୟାଗକରି କୌଣସି ଅବାସ୍ତବ ଆଦର୍ଶ ଅଭିମୁଖୀ ନୁହେଁ ।
ମଣିଷର ବ୍ୟକ୍ତିଗତ ଓ ସାମାଜିକ କଲ୍ୟାଣ ସାଧନ ପାଇଁ ଶ୍ରୀଜଗନ୍ନାଥଙ୍କ ପୂଜା, ପର୍ବ-ପର୍ବାଣି ଏବଂ ଅର୍ଚ୍ଚନା, ଆରାଧନା । ଏହି ମାନବ ବାଦ ରୁକ୍ଷ ଜଡ଼ବାଦୀ ମାନବବାଦ ଠାରୁ ପୃଥକ ଓ ସ୍ୱତନ୍ତ୍ର । ଚେତନଶୂନ୍ୟ ଜଡ଼ରୁ ଜଡ଼ ସିନା ସୃଷ୍ଟି ହୋଇପାରେ, ମାତ୍ର ଚେତନ ଜଡ଼ ମଧ୍ୟରୁ କିପରି ଆସେ? ଶ୍ରୀଜଗନ୍ନାଥ ଜଡ଼ ଦେବତା ନୁହନ୍ତି । ସେ ଏକ ମହାଚେତନ ଶକ୍ତିର ପରିପ୍ରକାଶ ଓ ପ୍ରତୀକ । 
ଶ୍ରୀଜଗନ୍ନାଥଙ୍କୁ କେବଳ ଧାର୍ମିକ ଦୃଷ୍ଟିରେ ଦେଖିଲେ ସମ୍ୟକ ଦର୍ଶନ ହେବନାହିଁ । ସେ ଓଡ଼ିଶା ଓ ଭାରତ ଇତିହାସ ଓ ଲୋକମାନଙ୍କ ଜୀବନ ସହ ସଂପୃକ୍ତ । ଶ୍ରୀଜଗନ୍ନାଥ ଲୋକ ଦେବତା । ତାଙ୍କ ନାଁଟି ବିଶ୍ୱବୋଧ ସୂଚୀତ । ଓଡ଼ିଶାର ସାଧାରଣ ଜୀବନକୁ ଦୁଇଟି ଶକ୍ତି ବିଶେଷ ପ୍ରଭାବ ପକାଇଛି । ଏକ ହେଲା ଶ୍ରୀଜଗନ୍ନାଥ ଦାଶଙ୍କ ଓଡ଼ିଆ ଏକାଦଶ ସ୍କନ୍ଦ ଭାଗବତ । ଦ୍ୱିତୀୟଟି ହେଲା ଶ୍ରୀଜଗନ୍ନାଥ ଅନୁଷ୍ଠାନ । ଓଡ଼ିଆ ଭାଗବତ ରଚନା ପୂର୍ବରୁ ଶ୍ରୀଜଗନ୍ନାଥ ପ୍ରତିଷ୍ଠିତ ଓ ତାଙ୍କ ମହିମା ସଂଚାଳିତ । ହିନ୍ଦୀ ସାହିତ୍ୟରେ ତୁଳସୀ ଦାଶ ଶ୍ରୀରାଚରିତ ମାନସ ଭଳି ଓଡ଼ିଆରେ ଭାଗବତ । ସଂସ୍କୃତ ଲୋକେ ବୁଝି ପାରିବେ ନାହିଁ ବୋଲି ଶ୍ରୀଜଗନ୍ନାଥ ଦାଶ ଓଡ଼ିଆ ଜାତୀୟ ଜୀବନରେ ଅକ୍ଷୟ ଉପକାର ସାଧନ କରିଯାଇଅଛନ୍ତି । ଶ୍ରୀଜଗନ୍ନାଥ ଏକମାତ୍ର ଦେବତା ସେ ଓଡ଼ିଶାର ଗ୍ରାମେ ଗ୍ରାମେ ପରିଚିତ । ଆର୍ଯ୍ୟମାନଙ୍କ ଧର୍ମ ଧାରାରେ ପ୍ରତିମା ପୂଜା ନାହିଁ । ଆର୍ଯ୍ୟମାନେ ହୋମ ଓ ନିରାକାର ବ୍ରହ୍ମଙ୍କୁ ପ୍ରାର୍ଥନା କରନ୍ତି । ଆର୍ଯ୍ୟ ମାନଙ୍କ ଚଳଣିରେ ଜାତି ଭେଦ ନାହିଁ । ଏବେ ବି ଦିଲ୍ଲୀ ଆର୍ଯ୍ୟ ସମାଜରେ ନିର୍ଦ୍ଦିଷ୍ଟ ବ୍ରାହ୍ମଣ ବା ପୁରୋହିତ ନାହାନ୍ତି । ଧର୍ମସଭା ଓ ହୋମ ସମୟରେ ଜଣେ ପୁରୋଧା ବା ପୁରୋହିତ କାର୍ଯ୍ୟ ସମ୍ପାଦନ କରନ୍ତି । 
ବିଶ୍ୱର ସବୁ ଧର୍ମ ସଂସ୍କୃତିର ମୂଳପିଣ୍ଡ ଶ୍ରୀଜଗନ୍ନାଥ ହେଉଛନ୍ତି ଏକ ଗଣଦେବତା । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଗଣ ସଂସ୍କୃତିରେ ପରିଚିତ ହେବା ସ୍ୱାଭାବିକ । ଓଡ଼ିଶାର ଧର୍ମ, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ପ୍ରବାହ ସର୍ବଜନସ୍ୱୀକୃତ । ଓଡ଼ିଶାର ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଜାତୀୟ ଓ ଅନ୍ତର୍ଜାତୀୟ ସଂହତିର ପ୍ରତୀକ ଅଟନ୍ତି । ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଜାତୀୟ ଜୀବନର ପ୍ରତୀକ । ସେ ହିଁ ଏକମାତ୍ର ସେବ୍ୟ ଅନ୍ୟ ସମସ୍ତେ ସେବକ । ସେ ମନୁଷ୍ୟ ଠାରୁ ଆରମ୍ଭ କରି କୀଟ ପତଙ୍ଗ ସଚରାଚର ସମସ୍ତଙ୍କର ନାଥ ସେ ଅଦ୍ୱିତୀୟ । 
ଡା.ରାମପ୍ରସାଦ ରାୟ,ମୋ: ୮୨୬୦୪୦୮୮୩୬