ଶ୍ରମିକ ସଙ୍ଗଠନ ଓ ଆନେ୍ଦାଳନର ଇତିବୃତ୍ତ
ମାୟାଧର ନାୟକ : ୧୮୮୬ ମସିହା ମଇ ପହିଲାର ପୂର୍ବବର୍ତ୍ତୀ ଦିବସ ଗୁଡ଼ିକ ଥିଲା - ଅନ୍ଧକାରର ଯୁଗ । ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସମାଲିକମାନଙ୍କର ଚରାଭୂଇଁ ଥିଲା ସମଗ୍ର ବିଶ୍ୱ । ଶ୍ରମଜୀବୀ ଶ୍ରେଣୀ ଥିଲା - କ୍ରୀତଦାସ । ପଶୁଠାରୁ ଆହୁରି ହୀନ ଜୀବନଯାପନ କରୁଥିଲେ ଶ୍ରମିକମାନେ । ଜଣେ ଜଣେ ମାଲିକ ହଜାର ହଜାର ଶ୍ରମିକଙ୍କୁ ରାତିଦିନ ପଶୁଭଳି ଖଟାଉଥିଲେ । ପ୍ରତିରୋଧ ଦୂରେ ଥାଉ, ପ୍ରତିବାଦର କ୍ଷୀଣ ଶବ୍ଦଟାଏ ମଧ୍ୟ ଶ୍ରମିକ କଣ୍ଠରୁ ଶୁଭୁ ନଥିଲା । ଶ୍ରମିକମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ, ବ୍ୟଭିଚାର ଚରମ ସୀମା ଲଂଘନ କରିସାରିଥିଲା । ମୁଖ ମଣ୍ଡଳରେ ସାମାନ୍ୟ ଅସନ୍ତୋଷର ପୁରସ୍କାର ଥିଲା - ଜଘନ୍ୟ ମୃତୁ୍ୟ । ଶ୍ରମିକମାନେ ଅଶାନ୍ତି ଅସନ୍ତୋଷରେ ଜର୍ଜରିତ ବହ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହେଉଥାଏ, କିନ୍ତୁ ବିସ୍ପୋରଣ ହେବାକୁ ଅହରହ ରାସ୍ତା ଖୋଜୁଥାଏ । ସଚେତନ ସଂଗଠିତ ଶକ୍ତି - ଗୋଷ୍ଠୀ-ଦଳ ଅଭାବରୁ ସବୁ ଫସର ଫାଟିଯାଉଥିଲା ।
ଏହି ଐତିହାସିକ ଦିଗଟି ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ, ୟୁରୋପର ବିଭିନ୍ନ ଦେଶମାନଙ୍କରେ ଶ୍ରମିକମାନଙ୍କୁ ପଶୁମାନଙ୍କ ଭଳି ବ୍ୟବହାର କରାଯାଉଥିଲା । ଶିଳ୍ପପତିମାନେ ଅତ୍ୟଧିକ ମୁନାଫା ବଢ଼ାଇବା ଲାଳସାରେ ଶ୍ରମିକମାନଙ୍କ ଉପରେ ଅକଥନୀୟ କାମର ବୋଝ ଲଦି ଦେଉଥିଲେ । ସେମାନଙ୍କୁ ଦୈନିକ କୋଡ଼ିଏ ଘଣ୍ଟା ଲେଖାଏଁ କଠିନ ପରିଶ୍ରମ କରିବାକୁ ପଡୁଥିଲା । କୌଣସି ସାମାଜିକ ଆଇନକାନୁନ ନଥିଲା । କାମରେ ହେଳା କଲେ ଅଶ୍ଳୀଳ ଗାଳିଗୁଲଜ, ଚାବୁକ୍ ମାଡ଼ ଓ ପାଶବିକ ଅତ୍ୟାଚାର ମଧ୍ୟ ସେମାନଙ୍କୁ ସହ୍ୟ କରିବାକୁ ପଡୁଥିଲା । କଳକାରଖାନାର ପଚାପୂତ୍ତି ଗନ୍ଧମୟ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଅସଂଖ୍ୟ କିଶୋର କିଶୋରୀ ଯୌବନରେ ପାଦ ନ ଦେଉଣୁ ଅକାଳରେ ମୃତୁ୍ୟବରଣ କରୁଥିଲେ । ଶ୍ରମିକମାନେ ଅକାଳ ବାର୍ଦ୍ଧକ୍ୟର ଶିକାର ହେଉଥିଲେ । ଅନ୍ଧ, ଛୋଟା, ବିକଳାଙ୍ଗ ଓ ରୁଗ୍ଣ ହୋଇଗଲେ ସେମାନଙ୍କ ପାଇଁ କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ନଥିଲା । ଏପ୍ରକାର ଦୁଃସହଣୀୟ ପରିସ୍ଥିତି ବିରୁଦ୍ଧରେ ଉନବିଂଶ ଶତାବ୍ଦୀର ପଞ୍ଚମ ଦଶକରେ ଇଂଲଣ୍ଡରେ ଶ୍ରମିକ ଆନେ୍ଦାଳନ ଦେଖାଦେଇଥିଲା । ଶିଳ୍ପପତିମାନଙ୍କୁ ଆକ୍ରମଣ କରିବା, କାରଖାନା ପୋଡ଼ିଦେବା, ସମ୍ପତ୍ତି ଲୁଟ୍ କରିଦେବା ଜରିଆରେ ଶ୍ରମିକମାନେ ସେମାନଙ୍କ ଅସନ୍ତୋଷ ଓ ପ୍ରତିବାଦ କରିଥିଲେ । ଫଳରେ ଇଂଲଣ୍ଡରେ କେତେକ ଶ୍ରମିକ ମଙ୍ଗଳ ଆଇନ ତିଆରି ହେଲା । କିନ୍ତୁ ଶ୍ରମିକମାନଙ୍କର ଏକ ସଚେତନ ସଂଗଠିତ ଶକ୍ତି ଓ କ୍ରମାଗତ ଆନେ୍ଦାଳନ ଅଭାବରୁ ଆଇନ କାନୁନ୍ କାଗଜ କଲମରେ ଅଟକିଗଲା । ୧୮୮୬ ମସିହା ମଇ ପହିଲାରେ ଆମେରିକାର ଶ୍ରମିକଶ୍ରେଣୀ ଅତ୍ୟନ୍ତ ମାନବିକ ଗଣତାନ୍ତ୍ରିକ ଓ ନିମ୍ନତମ ଦାବି ଦିନକୁ ଆଠଘଣ୍ଟା ଶ୍ରମ ଦାବିରେ ମାଲିକଶ୍ରେଣୀ ବିରୁଦ୍ଧରେ ଏକ ଅଭୂତପୂର୍ବ ଧର୍ମଘଟ କରିଥିଲେ । ଶ୍ରମିକମାନଙ୍କ ବିକ୍ଷୋଭ ଶୋଭାଯାତ୍ରା ଉପରେ ମାଲିକ ଓ ପୋଲିସ୍ ବାହିନୀର ବର୍ବର ଓ ଅମାନୁଷିକ ଆକ୍ରମଣ ଫଳରେ ବହୁ ଶ୍ରମିକ ମୃତୁ୍ୟବରଣ କଲେ । ଧର୍ମଘଟକାରୀ ଶ୍ରମିକମାନଙ୍କ ମୃତୁ୍ୟରେ ଚିକାଗୋ ସହର ରକ୍ତରଞ୍ଜିତ ହୋଇଗଲା । କିନ୍ତୁ ମାଲିକଶ୍ରେଣୀର ସେହି ପାଶବିକ ଆକ୍ରମଣ ଆଗରେ ଶ୍ରମିକଶ୍ରେଣୀ ସେଦିନ ମଥାନତ କରି ନଥିଲା । ଶ୍ରମିକର ରକ୍ତରଞ୍ଜିତ ଲାଲ ପତାକା ସାରା ବିଶ୍ୱରେ ଉତ୍ତୋଳିତ ହୋଇଥିଲା । ଶ୍ରମିକମାନଙ୍କର ରକ୍ତକ୍ଷୟୀ ସଂଗ୍ରାମ ଓ ପରିଶେଷରେ ବିଜୟ ଓ ଆଠଘଣ୍ଟିଆ ଶ୍ରମଦିବସ ଘୋଷଣା ସାରା ବିଶ୍ୱର ଶ୍ରମିକଶ୍ରେଣୀ ନିକଟରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ସାରା ଦୁନିଆଁରୁ ସମସ୍ତ ପ୍ରକାର ଶୋଷଣ କଷଣ ଲୋପ କରିବା ପାଇଁ ବିଶ୍ୱ ଶ୍ରମିକଶ୍ରେଣୀକୁ ଆହ୍ୱାନ ଦିଆଯାଇଥିଲା । ବାସ୍ତବରେ ଏହି ଦାବି ହାସଲ ହେବା ପଛରେ ବିଭିନ୍ନ ଦେଶରେ ଶହ ଶହ ଶ୍ରମିକର ଆତ୍ମତ୍ୟାଗର ମର୍ମସ୍ପର୍ଶୀ ଓ ଆପୋଷହୀନ ସଂଗ୍ରାମର ଇତିହାସ ରକ୍ତର ଅକ୍ଷରରେ ଲେଖାଯାଇଚି । ପୁଞ୍ଜିପତି ମାଲିକମାନେ ଶ୍ରମିକମାନଙ୍କୁ ସୂର୍ଯେ୍ୟାଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବାରରୁ ଚଉଦ ଏପରିକି ଅଠର ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ । ଏହି ଅମାନୁଷିକ ନିର୍ମମ ନିଷ୍ଠୁର ଶୋଷଣ ଉପରେ ପୁଞ୍ଜିବାଦ ସମୃଦ୍ଧିର ସୌଧ ନିର୍ମାଣ ହୋଇଛି । ପୃଥିବୀର କେତେ ନଦୀରେ କେତେ ଜଳ ବହିଗଲାଣି । ଦେଶେ ଦେଶେ କେତେ ଯେ ମୌସୁମି ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗପୂତ ଲଢ଼େଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି, ତା’ର ପଟାନ୍ତର ନାହିଁ । ଆଜି ମଧ୍ୟ ପୁଞ୍ଜିପତି ଶ୍ରେଣୀ ଓ ସାମ୍ରାଜ୍ୟବାଦୀ ଶାସନର ଯଜ୍ଞବେଦୀରେ ଲକ୍ଷ ଲକ୍ଷ ଶ୍ରମିକ କୃଷକ ଖଟିଖିଆ ମଣିଷ ବଳି ପଡୁଛନ୍ତି । ଏହି ଶୋଷଣ ବିରୁଦ୍ଧରେ ଅଗଣିତ ମୁକ୍ତି ପିପାସୁ ଶ୍ରମଜୀବୀ ମଣିଷ ଘୋଷଣା କରିଛି ମରଣପଣ ରକ୍ତକ୍ଷୟୀ ସଂଗ୍ରାମ । ସାରା ବିଶ୍ୱରେ ୧୮୮୬ ମସିହାରେ ରକ୍ତରଞ୍ଜିତ ମଇ ପହିଲା କୋଟି କୋଟି ନିପୀଡିତ ନିଷ୍ପେସିତ ଜନଗଣଙ୍କୁ ଆଲୋକର ସନ୍ଧାନ ଦେଇଆସିଛି । ବିଶ୍ୱ ସର୍ବହରାଶ୍ରେଣୀ ମୁକ୍ତିର ପ୍ରଥମ ପଥ ପ୍ରଦର୍ଶକ ମହାନ୍ କାର୍ଲମାର୍କସ୍ ଏବଂ ତାଙ୍କ ସହ ଯୋଦ୍ଧା ଏଞ୍ଜେଲସ୍ଙ୍କ ଉପଯୁକ୍ତ ଦାୟାଦ ମହାନ୍ କମ୍ରେଡ ଲେନିନ୍ଙ୍କ ନେତୃତ୍ୱରେ ୧୯୧୭ ମସିହାରେ ରୁଷ ବିପ୍ଳବ ଫଳରେ ବିଶ୍ୱ ଇତିହାସରେ ସର୍ବ ପ୍ରଥମ ଏକ ନୂତନ ସମାଜତାନ୍ତ୍ରିକ ରାଷ୍ଟ୍ର ଜନ୍ମ ନେଲା । ସେହିଦିନଠାରୁ ବିଭିନ୍ନ ଦେଶରେ ସଂଗ୍ରାମୀ ଶ୍ରମିକଶ୍ରେଣୀ ସଚେତନ ଓ ସଂଗଠିତ ଶକ୍ତିର ଆଘାତରେ ପୁଞ୍ଜିବାଦର ଧ୍ୱଂସସ୍ତୁପ ଉପରେ ସମାଜବାଦ ପ୍ରତିଷ୍ଠା କରିଛନ୍ତି । ସର୍ବହରା ଶ୍ରେଣୀର ଅନ୍ୟତମ ମହାନ ନେତା କମ୍ରେଡ ମାଓ ସେ ତୁଂ ମଇ ଦିବସ ସ୍ୱପ୍ନକୁ ବାସ୍ତବ ରୂପଦେଇ ଚୀନ୍ରେ ବିପ୍ଳବ ସଫଳ କରାଇ ସମାଜତନ୍ତ୍ର ପ୍ରତିଷ୍ଠା କଲେ । ପୃଥିବୀର ଏକ ତୃତୀୟାଂଶ ଦେଶରେ ଶ୍ରମିକଶ୍ରେଣୀର ରାଷ୍ଟ୍ର ପ୍ରତିଷ୍ଠା ହେବା ଫଳରେ ପୁଞ୍ଜିବାଦ ସାମ୍ରାଜ୍ୟବାଦ ଶିବିରର କ୍ଷମତା ଓ ପରିସର ଖର୍ବ ହେବା ସଙ୍ଗେ ସଙ୍ଗେ ମାର୍କ୍ସବାଦ ପ୍ରଦର୍ଶିତ ବିଜ୍ଞାନସମ୍ମତ ରାସ୍ତାରେ ପ୍ରତି ଦେଶରେ ଶ୍ରମିକଶ୍ରେଣୀ ନେତୃତ୍ୱରେ ସମାଜତନ୍ତ୍ରର ଜୟଯାତ୍ରା ଆଗେଇ ଚାଲିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ବେଦନାର ସହ ସ୍ୱୀକାର କରିବାକୁ ହେବ ଯେ - ସଂଶୋଧନବାଦ ସଂସ୍କାରବାଦ ଇତ୍ୟାଦି ଲେନିନ୍ବାଦ ଆଦର୍ଶର ବିବୃତକାରୀ ଭାବଧାରା ଗୁଡ଼ିକର ପ୍ରାଧାନ୍ୟ ଓ ପ୍ରଭାବ ଫଳରେ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ଶିବିର ବିରୁଦ୍ଧରେ ଶ୍ରମିକଶ୍ରେଣୀର ସଂଗ୍ରାମରେ ବିଭ୍ରାନ୍ତି, ବିଭେଦ, ବିଚୁ୍ୟତି, ଦୋଦୁଲ୍ୟମାନତା ତଥା ଶିଥିଳତା ଦେଖାଦେଇଛି । ଫଳରେ ବିଶ୍ୱ ଶ୍ରମିକ ଆନେ୍ଦାଳନର ଅଗ୍ରଗତି ପଥରୁଦ୍ଧ ହୋଇଛି । ସେଦିନ ଓ ଆଜି ମଧ୍ୟରେ ଅନେକ ତଫାତ୍ । ସମଗ୍ର ବିଶ୍ୱର ପରିସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତି କରୁଛି । ପ୍ରତିନିୟତ ପରିବର୍ତ୍ତନର ଧାରା ପ୍ରବାହିତ ହେବାରେ ଲାଗିଛି । କାଲି ଯାହା ସତ୍ୟ, ପ୍ରଗତିଶୀଳ ଏବଂ ସର୍ବାଧୁନିକ ଥିଲା - ଆଜି ତାହା ପୁରୁଣା ହୋଇଯାଉଛି । ନୂଆ ନୂଆ ଘଟଣା ପ୍ରତ୍ୟେକ ମୁହୂର୍ତ୍ତରେ ଘଟିଚାଲିଛି । ଅଭିନବ ଉଦ୍ଭାବନ ଅହରହ ସୃଷ୍ଟି ହେଉଛି । ବିଶ୍ୱର କୋଣେ ଅନୁକୋଣେ ଯେକୌଣସି ସାଧାରଣ - ଅସାଧାରଣ ଘଟଣା - ଅଘଟଣା ଘଟିଯାଉଛି, ଆଖି ପିଛୁଳାକେ ସମୁଦ୍ରର ଢ଼େଉ ଭଳି ଜନମାନସରେ ପ୍ରତିଧ୍ୱନିତ ହେଉଛି । ଗଣମାଧ୍ୟମର ଦ୍ରୁତ ବିକାଶ ଘଟିଚାଲିଛି । ଯାହା ଯୋଗୁଁ ଅଛପାବୋଲି କିଛି ରହୁନାହିଁ ।
ଶ୍ରମିକମାନେ ଆଠଘଣ୍ଟା ଶ୍ରମଦିବସ ଘୋଷଣାପାଇଁ ଦିନେ ରକ୍ତର ନଈ ବୁହେଇ ଦେଇଥିଲେ । ଶେଷରେ ବିଜୟ ମଣ୍ଡିତ ହେଲେ । କିନ୍ତୁ ଆଜି ପ୍ରତିଦିନ ରକ୍ତନଦୀ ବୋହିଗଲେ ମଧ୍ୟ ସାମାନ୍ୟତମ ଦାବି ପୂରଣ ହେବା ଅସମ୍ଭବ ହୋଇପଡିଛି । ଶ୍ରମିକଶ୍ରେଣୀ ରାଷ୍ଟ୍ରର ଅଧଃପତନ ହେବା ସଂଗେ ସଂଗେ ମାନବଶକ୍ତି ବଦଳରେ ଯନ୍ତ୍ରଶକ୍ତିର ବ୍ୟବହାର ବହୁଳ ଭାବେ ଦେଖାଦେଇଛି । ବର୍ତ୍ତମାନର ସଙ୍କଟଗ୍ରସ୍ତ ବିଶ୍ୱ ପୁଞ୍ଜିବାଦର ଅଙ୍ଗ ଭାବେ ଭାରତୀୟ ପୁଞ୍ଜିବାଦୀ ଅର୍ଥନୀତି ଚରମ ସଂକଟରେ ଜର୍ଜରିତ । ନିଜକୁ ରକ୍ଷା କରିବା ପାଇଁ ସର୍ବାତ୍ମକ ଫାସୀବାଦ ଆଡକୁ ମୁହାଁଇଛି । ଅନ୍ୟ ପକ୍ଷେ, ଶ୍ରମିକଶ୍ରେଣୀ ଐକ୍ୟକୁ ଧ୍ୱଂସ କରିବାପାଇଁ ପ୍ରାଦେଶିକତା ସାମ୍ପ୍ରଦାୟିକତା, ଆଞ୍ଚଳିକତା, ଜାତିଆଣ ଓ ଗୋଷ୍ଠୀଗତ ମାନସିକତାକୁ ଉସ୍କାଇ ପୁଞ୍ଜିପତି ଶ୍ରେଣୀ ଓ ତା’ର ରାଜନୈତିକ ଦଳଗୁଡ଼ିକ ଶୋଷିତ ମଣିଷ ମଧ୍ୟରେ ବିଭେଦ, ବିଦ୍ୱେଷ ଓ ମତଭେଦ ପ୍ରବଳ ଭାବେ ବୃଦ୍ଧି କରାଉଛନ୍ତି । ସାଧାରଣ ମଣିଷର ଶିକ୍ଷା ଓ ଜ୍ଞାନ ଚର୍ଚ୍ଚାର ପଥରୋଧ କରାଯାଇଛି । ଶ୍ରମିକ ଆନେ୍ଦାଳନର ପ୍ରଧାନ ଧାରାଟି ଅର୍ଥନୀତିବାଦ, ସୁବିଧାବାଦ ଓ ସଂସ୍କାରବାଦ ନାଗଫାଶ ବନ୍ଧନରେ ଆବଦ୍ଧ ଦକ୍ଷିଣପନ୍ଥୀ ଓ ତଥାକଥିତ ବାମପନ୍ଥୀ ନେତୃତ୍ୱରେ ପରିଚାଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସଙ୍ଗେ ଯୁକ୍ତ ଅଧିକାଂଶ ଶ୍ରମିକର ଜୀବନ ପଚା ପୂତିଗନ୍ଧମୟ ଆବର୍ଜନାମୂଳକ ପୁଞ୍ଜିବାଦୀ ସଂସ୍କୃତିର ପଙ୍କରେ ନିମଜ୍ଜିତ ।
ଆମ ସାମ୍ନାରେ ଅନେକ ସମସ୍ୟା ରହିଛି । ବେକାରୀ ସମସ୍ୟା, ମୁଦ୍ରାସ୍ପୀତି, ପ୍ରତିନିୟତ କ୍ରମ ବର୍ଦ୍ଧମାନ ଆକାଶଛୁଆଁ ଦରବୃଦ୍ଧି ସହିତ ଦେଶର ଲକ୍ଷ ଲକ୍ଷ କଳକାରଖାନା ବନ୍ଦ ହୋଇଛି ଅଥବା ରୁଗ୍ଣ ହୋଇପଡିଛି । ସଙ୍କଟଗ୍ରସ୍ତ ପୁଞ୍ଜିପତି ଶ୍ରେଣୀ ଅତିରିକ୍ତ ମୁନାଫା ଲୁଟ୍ କରିବା ପାଇଁ କମ ଶ୍ରମିକ ଦ୍ୱାରା ଅଧିକ କାମ କରାଇବା ପାଇଁ ବିଭିନ୍ନ ପ୍ରକାର ଘୃଣ୍ୟ କାରସାଦି ଅବଲମ୍ବନ କରୁଛି । ଆଧୁନିକୀକରଣ ଓ ଆଧୁନିକୀ କାରିଗରୀ ବିଦ୍ୟା ପ୍ରଚଳନ ନାଁରେ ସେମାନେ ମେସିନ୍, ଅଟୋ ମେସିନ୍ ଓ କମ୍ପୁଟର ପ୍ରଚଳନ କରୁଛନ୍ତି । ଛଟେଇ, ସ୍ୱେଚ୍ଛାକୃତ ଅବସର ଗ୍ରହଣ ସ୍କିମ୍ର ଛଦ୍ମ ଆବରଣ ତଳେ ଲକ୍ଷ ଲକ୍ଷ କୋଟି କୋଟି ଶ୍ରମିକଙ୍କୁ ଅକାର୍ଯ୍ୟକାରୀ କରି ପକାଉଛନ୍ତି । ନୂତନ ଶିଳ୍ପନୀତି ପ୍ରଚଳନ କରି ଶ୍ରମ ପ୍ରଧାନ ଶିଳ୍ପ ପରିବର୍ତ୍ତେ ପୁଞ୍ଜି ପ୍ରଧାନ ଶିଳ୍ପ ପ୍ରତିଷ୍ଠାର ଧାରାକୁ ସଂହତ କରୁଛନ୍ତି । ନୂତନ ଅର୍ଥନୀତି, ବାଣିଜ୍ୟ ନୀତି ଓ ଶିଳ୍ପନୀତି ଜରିଆରେ ସେମାନେ ରାଷ୍ଟ୍ରାୟତ ସେକ୍ଟରକୁ ଘରୋଇ ଉଦ୍ୟୋଗ ହାତକୁ ଟେକିଦେବା ପାଇଁ ସୁନିର୍ଦ୍ଦିଷ୍ଟ ଯୋଜନା କରିଛନ୍ତି । ଏହା ସଙ୍ଗେ ସଙ୍ଗେ ଶ୍ରମିକଶ୍ରେଣୀର ଅସନ୍ତୋଷ ଓ ପ୍ରତିବାଦକୁ ଦମନ ଓ ଏହାକୁ ମୂଳପୋଛ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ଜନବିରୋଧୀ ଅଗଣତାନ୍ତ୍ରିକ ପଦକ୍ଷେପ ନେଇ ପୋଲିସ୍ ଓ ପ୍ରଶାସନିକ ହାତରେ ଅଧିକରୁ ଅଧିକ କ୍ଷମତା କେନ୍ଦ୍ରୀଭୂତ କରୁଛନ୍ତି । ଏହା ସଙ୍ଗେ ସଙ୍ଗେ ଟ୍ରେଡ୍ ୟୁନିୟନ୍ ଅଧିକାରଗୁଡ଼ିକୁ ସଙ୍କୁଚିତ ଓ ଖର୍ବ କରିବା ପାଇଁ ବହୁ କଳା ବିଲ୍ ଆଣୁଛନ୍ତି ।
ଏକଥା ଦୁଃଖଦାୟକ ହେଲେବି ସତ୍ୟ ଯେ ଆଜିକାର ପରିସ୍ଥିତିରେ ଯେତେବେଳେ ଐକ୍ୟବଦ୍ଧ ଟ୍ରେଡ୍ ୟୁନିୟନ୍ ଆନେ୍ଦାଳନ ଅତ୍ୟନ୍ତ ଜରୁରି, ସେତେବେଳେ ଏହି ଆନେ୍ଦାଳନ ବହୁ ଭାଗରେ ବିଭକ୍ତ । ଅଧିକାଂଶ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ କେବଳ ଆନେ୍ଦାଳନର ପଥ ପରିତ୍ୟାଗ କରିନାହାନ୍ତି, ଅଧିକନ୍ତୁ ଆନେ୍ଦାଳନକୁ ଆଇନର ଚଉହଦି ଭିତରେ ଆବଦ୍ଧ କରି ରଖୁଛନ୍ତି । ଏହାଦ୍ୱାରା ସେମାନେ ଜାଣତରେହେଉ କିମ୍ବା ଅଜାଣତରେ ହେଉ ପୁଞ୍ଜିପତି ଶ୍ରେଣୀର ଶ୍ରମିକଶ୍ରେଣୀ ବିରୋଧୀ ଘୃଣ୍ୟ ଚକ୍ରାନ୍ତକୁ ସହାୟତା କରୁଛନ୍ତି ଓ ଏହାଦ୍ୱାରା ଶ୍ରମିକଶ୍ରେଣୀ ଆନେ୍ଦାଳନ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି । ଫଳରେ ଆମ ଦେଶରେ ଓ ଅନ୍ୟାନ୍ୟ ପୁଞ୍ଜିବାଦୀ ଦେଶରେ ଫାସିବାଦର କରାଳଛାୟା ମାଡ଼ିଯାଇଛି । ସଂକଟଗ୍ରସ୍ତ ଜର୍ଜରିତ ଭାରତୀୟ ପୁଞ୍ଜିପତି ଶ୍ରେଣୀ ବିଶ୍ୱୀକରଣ, ଉଦାରୀକରଣ, ଘରୋଇକରଣ ପଥରେ ଯାଇ ସଂକଟର ସମସ୍ତ ବୋଝକୁ ଶ୍ରମିକଶ୍ରେଣୀ ମୁଣ୍ଡରେ ଲଦି ଦେଇଛନ୍ତି । ସାଧାରଣ ମଣିଷ ସୀମାହୀନ ଦୁଃଖଦୁର୍ଦ୍ଦଶା, ନିର୍ଯାତନା ଭୋଗ କରୁଛନ୍ତି । ସମସ୍ତ ନୀତି ନୈତିକତା ମାନବିକ ମୂଲ୍ୟବୋଧ ପ୍ରତିଦିନ ଅବକ୍ଷୟ ହେବାରେ ଲାଗିଛି । ସରକାର ଓ ଦେଶୀ-ବିଦେଶୀ ପୁଞ୍ଜିପତିଙ୍କ ଅଶୁଭ ମୈତ୍ରୀ ଗଣତାନ୍ତ୍ରିକ ପରମ୍ପରାକୁ ଧ୍ୱଂସ କରି ଫାସିବାଦୀ ଆକ୍ରମଣ ଚଳାଇଛନ୍ତି । ଯୁବ ସମ୍ପ୍ରଦାୟଙ୍କ ମଧ୍ୟରେ ମାଦକ ଦ୍ରବ୍ୟ ଓ ଯୌନ ପ୍ରବଣତାରେ ବୁଡେଇ ରଖି ଅନ୍ଧ ଉନ୍ମାଦନା ଭାବନାରେ ହତାଶ ଓ ଶକ୍ତିହୀନ କରିପକାଇଛି ।
ଏହା କାହାକୁ ଅଛପା ନୁହେଁ ଯେ ବି୍ରଟିଶ ସାମ୍ରାଜ୍ୟବାଦୀ ଶାସନରୁ ଭାରତବର୍ଷ ୭୬ ବର୍ଷ ସ୍ୱାଧୀନ ହେବା ମଧ୍ୟରେ ଅର୍ଥନୈତିକ, ସାମାଜିକ କ୍ଷେତ୍ରରେ ବହୁଳ ପରିବର୍ତ୍ତନ ହୋଇଛି କିନ୍ତୁ ଜନସାଧାରଣଙ୍କ ମୂଳ ସମସ୍ୟା ଗରିବୀ-ବେରୋଜଗାରୀ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନି । ପୃଥିବୀର ୩ ଭାଗରୁ ଭାଗେ ଲୋକ ଭାରତରେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ । ପୁଣି ସାରା ପୃଥିବୀରେ ଯେତେ ଲୋକ ନିରକ୍ଷର-ଅଶିକ୍ଷିତ, ତା’ର ଅଧେ ଲୋକ ଭାରତରେ । ସମଗ୍ର ବିଶ୍ୱରେ ସବୁଠାରୁ ବେଶି ଲୋକ ଭାରତରେ ବେରୋଜଗାରୀ-ବେକାରୀ । ସବୁ ପ୍ରକାର ମାରାତ୍ମକ ରୋଗ ଭାରତରେ ବସା ବାନ୍ଧିଛନ୍ତି । ଅନ୍ୟ ପକ୍ଷେ ପ୍ରାଦେଶିକତା, ସାମ୍ପ୍ରଦାୟିକତା, ବର୍ଣ୍ଣବିଦ୍ୱେଷ, ଜାତିଗତ ଓ ଆଞ୍ଚଳିକତାକୁ ବ୍ୟବହାର କରି ଶୋଷିତ ମଣିଷ ମଧ୍ୟରେ ବିଭେଦ ଓ ବିଦ୍ୱେଷ ଓ ମତଭେଦ ପ୍ରବଳ ଭାବରେ ବୃଦ୍ଧି କରାଯାଉଛି । ବିରାଟ ଭାରତବର୍ଷରେ ବହୁ ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଭାଷାଭାଷୀ ଜନଗଣ ଅଛନ୍ତି । ଏମାନଙ୍କ ମଧ୍ୟରୁ ବିରାଟ ଅଂଶ ଶ୍ରମିକ ଶ୍ରେଣୀ । ଯଦି ନାନା ଭାଷାଭାଷୀ ଶ୍ରମିକମାନଙ୍କ ମଧ୍ୟରେ ଆଦର୍ଶଗତ ଐକ୍ୟ ପ୍ରତିଷ୍ଠା ନହୁଏ, ସାରା ଦେଶର ଶ୍ରମିକ ଆନେ୍ଦାଳନ ଗଢ଼ି ଉଠିବା ଅସମ୍ଭବ । ତେଣୁ ଶ୍ରମିକ ଶ୍ରେଣୀ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ସଚେତନ ହୋଇ ଶ୍ରମିକ ଶ୍ରେଣୀ ଗଣ ଆନେ୍ଦାଳନରେ ସ୍ୱେଚ୍ଛାକୃତ ଭାବେ ସକ୍ରିୟ ଭାଗ ନେଲେ ଦେଶରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ହେବ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପ୍ରସାରିତ ଓ ପୂର୍ଣ୍ଣ ପ୍ରତିଷ୍ଠିତ ହେବ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩