କ୍ଷୟ ହୋଇଯିବ ଖଣିଜ ସଂପଦ

 ମାୟାଧର ନାୟକ : 
ଏସିଆ ମହାଦେଶରେ କେବଳ ଓଡିଶାର ସୁକିନ୍ଦାରେ ହିଁ ୯୬% କ୍ରୋମପଥର ଅଛି । ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, କାଜାକ୍ସ୍ଥାନରେ ଗଚ୍ଛିତ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ । କ୍ରୋମର ବ୍ୟବହାର ସଂପର୍କରେ କେବଳ ଓଡ଼ିଶାବାସୀ ନୁହଁନ୍ତି ସାରା ପୃଥିବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ । କ୍ରୋମ ପଥର ବିଶେଷଭାବରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସବୁଠୁ ବେଶି ସହାୟକ, ଇସ୍ପାତ ସହିତ ମିଶ୍ରଣ କରାଯାଇ ଶକ୍ତିଶାଳୀ, କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ । ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି - ସେଥିରେ କ୍ରୋମାଇଟ ହିଁ ମୁଖ୍ୟ ଅଂଶ ଗ୍ରହଣ କରେ । ବଲବ୍ ବେରିଙ୍ଗଠାରୁ ଆରମ୍ଭ କରି କ୍ରୋମ ମିଶ୍ରିତ ଇସ୍ପାତ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ ।
ଦଧୀଚିର ଅସ୍ଥି - ଯାହାକୁ ନେଇ ବଜ୍ର । ଏ କ୍ରୋମାଇଟ ହେଉଛି - କଳିକାଳର ଦଧୀଚି ହାଡ଼ - ଯାହାକୁ ନେଇ ଆଧୁନିକ ମାରଣାସ୍ତ୍ରର ପ୍ରସ୍ତୁତି । ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା । ଏସୀୟ ରାଷ୍ଟ୍ର ଚୀନ ଓ ଜାପାନ ଚାଟିନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟର ବହୁଳାଂଶ । ଯେଉଁ ଦେଶର ଖଣିଜ କଂଚାମାଲ ରପ୍ତାନି ହୁଏ, ସେ ଦେଶର ଲୋକେ ହତଭାଗା । ଆମେ ସେହି ହତଭାଗା ଭାରତୀୟ - ଲକ୍ଷ ଲକ୍ଷ ବର୍ଷ ଧରି ଆମ ମାଟି ତଳେ ଗଚ୍ଛିତ ଥିବା ମୂଲ୍ୟବାନ ଖଣିଜ ପଦାର୍ଥକୁ ବିଦେଶକୁ ଶାଗମାଛ ମୂଲରେ ବିକ୍ରି କରିଦେଉଛେ ।              ତେବେ ସୁକିନ୍ଦା ଉପତ୍ୟକାରେ ଯେତେ କ୍ରୋମାଇଟ ଅଛି - ତାହା ବେପରୁଆ ଭାବେ ଉତୋଳନ କରି ବିକ୍ରି କରୁଥିଲେ - କି ଚୋରି କରୁଥିଲେ - ତାହା ଦିନେ ଶେଷ ହୋଇଯିବ । ସେତେବେଳେ ସୁକିନ୍ଦା ଖଣି ଅଂଚଳ ‘ଭୂତଳ ଅଂଚଳ’ରେ ପରିଣତ ହେବ । ବର୍ମାରେ ଗଚ୍ଛିତ ଡିଜେଲ, ପେଟ୍ରୋଲ ଶେଷ ହୋଇଗଲା ପରେ ଯାହା ଅବସ୍ଥା ହେଲା, ସୁକିନ୍ଦା କ୍ରୋମାଇଟ ସରିଗଲେ - କ’ଣ ହେବ ଏବଠୁ କହିହେବନି ।             କ୍ରୋମାଇଟ ଯଦି ମାଟି ଉପରେ ବାଲିଗୋଡ଼ି ଭଳି ଥୁଆ ହୋଇଥାନ୍ତା - ତା’ହେଲେ ସେ କେବେଠୁଁ ଶେଷ ହୋଇସାରନ୍ତାଣି । କ୍ରୋମାଇଟ ଅଛି ସାତତଳ ପଙ୍କ ଭିତରେ ମାଟିତଳ ଗୋଦାମରେ । ଉପରେ ଜଂଗଲ, ଗଛମାଳମାଳ, ଝରଣା, ତଳେ ୧୦୦ ମିଟରରୁ ୫ ହଜାର ମିଟର ଗଭୀରରେ ଅଛି କ୍ରୋମପଥର । କ୍ରୋମାଇଟ ବାହାର କରିବାକୁ ହେଲେ ଜଂଗଲ ଧ୍ୱଂସ କରିବାକୁ ହେବ - ଝରଣାର ଗତିପଥ ବଦଳାଇ ଦେବାକୁ ହେବ - ମାଟି କାଦୁଅ ଖୋଳିବାକୁ ହେବ - ଖଣିରେ ପାଣି ଭର୍ତ୍ତିହେଲେ -ପାଣି କାଢ଼ି ନଈନାଳକୁ ଛାଡ଼ିବାକୁ ହେବ- ଆଉ ଅନେକ ଅନେକ କାର୍ଯ୍ୟ ଅକାର୍ଯ୍ୟ କରିବାକୁ ହେବ - ଏସବୁ ହେଲେ କ୍ରୋମାଇଟ ‘ମହାପ୍ରଭୁ’ ପଦାକୁ ଆସିବେ । ସେହି କ୍ରୋମାଇଟ ମହାପ୍ରଭୁଙ୍କୁ ଧଳା କାଗଜ କଲମରେ ବିକିବେ, କଳାରେ ଦଶଗୁଣ ବିକିବେ  । ଯାହା ଖର୍ଚ୍ଚ ହୋଇଥିବ ଲାଭ ହେବ ଶହେଗୁଣ । ସେଇ ଲାଭ ଟଙ୍କାରୁ ପାଂଚଦଶ ଭାଗ ‘ଭୋଗ’ ବଂଟାରେ ଯିବ । ଆମ ଓଡ଼ିଶାରେ ମାତ୍ର ସାତଆଠଟି ଲୁହାପଥର ଖଣିଚୋରି ଖୋଳତାଡ଼ ହେବାରୁ ୩ ଲକ୍ଷ କୋଟି ଟଙ୍କା କେହିକେହି ୫ ଲକ୍ଷ କୋଟି ଟଙ୍କା ଦୁର୍ନୀତିକୁ ଶତାବ୍ଦୀର ମହାଦୁର୍ନୀତି ବୋଲି କହୁଛନ୍ତି । ୩୨ ପ୍ରକାର ଖଣିଜ ସଂପଦରୁ ମାତ୍ର ୧ ପ୍ରକାର ଲୁହାପଥର ଖଣି ପୁଣି ମାତ୍ର ୭/୮ଟି ଖଣିରେ ଯଦି ଏତେ ବିପୁଳ ପରିମାଣରେ ଚୋରି ହୋଇଥାଏ, ତା’ହେଲେ ଅତ୍ୟନ୍ତ ମୂଲ୍ୟବାନ ଖଣିଜ ସଂପଦ କ୍ରୋମାଇଟ, କୋଇଲା, ହୀରାମୋତି, ମାଣିକ, ସୂନା, ବକ୍ସାଇଟ, ମାଙ୍ଗାନିଜ ପ୍ରମୁଖ ୩୧ ପ୍ରକାର ଖଣିଜ ପଦାର୍ଥର ପ୍ରାୟ ଏକହଜାର ଖଣିରୁ କେତେ ଚୋରିହୋଇଥିବ ଅନୁମାନ କରନ୍ତୁ ।
ଏଇ ବିଶ୍ୱରେ ଜାଣିଥିଲି – ୩୨ ପ୍ରକାର ଖଣିଜସମ୍ପଦ  । ଏବେ ଜାଣିଲି ଆଉ ୩୦ ପ୍ରକାର ଅତି ପ୍ରୟୋଜନ ଦୁର୍ମୂଲ୍ୟ, ଜଟିଳ ଖଣିଜର ସନ୍ଧାନ ବାବଦୀୟ ବ୍ୟାପାର । ପାଖାପାଖି ୫୦ପ୍ରକାର ଖଣିଜସଂପଦ ମଣିଷ ସଭ୍ୟତାର ବିକାଶରେ ଅତ୍ୟନ୍ତ ପ୍ରୟୋଜନ  । ଏହି ଖଣି ପାଇଁ ସବୁ ଦେଶର ଧନଦାନବମାନେ ପାଗଳ  । ପୃଥିବୀଗ୍ରହରୁ ଚନ୍ଦ୍ର ଉପଗ୍ରହକୁ ଯାଇ ଖଣିଜସଂପଦ ଖୋଜୁଛନ୍ତି  । ଅର୍ଥନୈତିକ ବିକାଶ ଓ ଜାତୀୟ ସୁରକ୍ଷାପାଇଁ ଖଣିଜପଦାର୍ଥ ଅତ୍ୟନ୍ତ ଦରକାରୀ ଓ ଅମୂଲ୍ୟ  । କେବଳ ଭାରତ ନୁହେଁ, ସାରାବିଶ୍ୱ ପାଇଁ ଆବଶ୍ୟକ  । ଲୁହାପଥର, କ୍ରୋମାଇଟ୍, କୋଇଲା, ମାଙ୍ଗାନିଜ୍, ବକ୍ସାଇଟ୍, ହୀରା, ସୁନା, ମଣି, ମାଣିକ୍ୟ ପ୍ରମୁଖ ୩୨ ପ୍ରକାର ଏବଂ ଅତ୍ୟନ୍ତ ଜଟିଳ ଖଣିଜସଂପଦ ଲିଥିୟମ, କୋବାଲ୍ଟ, ନିକେଲ୍, ଭାଣ୍ଡାଡିଅମ୍, ନିଓବିଓମ୍, ସେରାମନିୟମ, ଫେନିୟମ, ବେରିଲିୟମ, ଟାଂଟାଲିଓମ୍, ଷ୍ଟ୍ରୋଟିଲଅମ୍, ଆଂଟିମନି, ବିସ୍ମୁଥ, କୋପର, ଗାଲିୟମ, ଗ୍ରାଫାଇଟ୍, ହାଫନିୟମ୍, ଇଣ୍ଡୁଏମ୍. ମୋଲିବେଭନିୟମ୍, ପ୍ଲାଟିନମ୍ ଗ୍ରୁପ୍, ଫସପରସ୍ ୟିଙ୍ଗସ୍, ପଟାସ୍, ରେଆର ୍ରଅର୍ଥ ଏଲିମେଂଟସ୍, ସିଲିକନ୍, ଟେଲିଟୁରିୟମ୍, ଟିନ୍, ଟାଟାନିୟମ, ଟଙ୍ଗଷ୍ଟେନ୍ ଜିରାକୋନିୟମ, ସିଲେନିୟମ୍, କାଡମିୟମ୍ ପ୍ରଭୃତି ୩୦ ପ୍ରକାର ପାତାଳରେ, ପାହାଡ଼ପର୍ବତରେ ମା’ ମେଦିନୀ ଏହି ପ୍ରାକୃତିକ ପ୍ରାଚୁର୍ଯ୍ୟପୁଂଜକୁ ନିଜ ଗର୍ଭଗୃହ ଅଭ୍ୟନ୍ତରରେ ସଯନେô ସାଇତି ରଖିଛି  । 
ଏ ସମସ୍ତ ଖଣିଜସଂପଦ ସକଳ ଭୂଭାଗରେ ବିଚ୍ଛୁରିତ । ପୃଥିବୀପୃଷ୍ଠରେ ଯିଏ ଯେଉଁଠି ଦେଶ ଗଢ଼ି ବସବାସ କରୁଛନ୍ତି – ସେ ଭୂଖଣ୍ଡଗତ ଖଣିଜ ସଂପଦାବଳୀର ତ ସେଇ ସେଇ ଦେଶ ହିଁ ମାଲିକ  । କିନ୍ତୁ ଖଣିଜସଂପଦ ସମସ୍ତଙ୍କର ବିକାଶର ଅଗ୍ରଗତି ପାଇଁ ଜରୁରି । ତେଣୁ ଖଣିଜସଂପଦ ଆମଦାନି-ରତ୍ପାନି କରାଯାଏ  । ଏଇସବୁ ଖଣିଜସଂପଦରୁ ଯେଉଁସବୁ ପଦାର୍ଥ ପ୍ରସ୍ତୁତ ହୁଏ, ତା’ର ଅମୂଲ୍ୟ ମୂଲ୍ୟ  । ଯାହା ପାଖରେ ଅର୍ଥ – ସେ ହାତେଇନେଇ ‘ଫିନସ୍ଡ୍ ପ୍ରଡକ୍ଟ’ ପ୍ରସ୍ତୁତ କରି ପୁଣି ଆମଦାନି କରିଆଣିଥିବା ଦେଶକୁ ବି ବେଶ୍ ଚଢ଼ାଦରରେ ରତ୍ପାନି କରିବା ଦ୍ୱାରା ଆଖିବୁଜା ମୁନାଫା ଅର୍ଜିପାରେ  । ସୁତରାଂ ଯିଏ ଯେତେ ବେଶି ମୁଣ୍ଡ ଖଟାଇଲା – ସେଇ ଦେଶ ସେତେ ବେଶି ଲାଭ ହାତେଇପାରିଲା  । ଯେଉଁମାନେ ମୁଣ୍ଡ ଖଟେଇ ପାରନ୍ତିନାହିଁ, ସେମାନେ ଆମର ଏ ପ୍ରତାରିତ ଦେଶ ଭାରତ ଭଳି ଖଣିଜ କଂଚାମାଲକୁ ବିକାବିକି କରନ୍ତି – ସେ ଦେଶର ଲୋକେ ହତଭାଗା  ।
ଲିଥିୟମ୍ ହେଉଛି ନୂଆ ଚେହେରାର ଚାନ୍ଦିସୁନା  । ଏହି କଅଁଳ ସିଲ୍ଭର ଧଳାମେଟାଲ୍ରେ ବିଦ୍ୟୁତ୍ଚାଳିତ ଗାଡ଼ିର ବ୍ୟାଟେରୀ, ମୋବାଇଲ୍ ଫୋନ୍ ରିଚାର୍ଜ ବ୍ୟାଟେରୀ, ହାଇଡ୍ରୋଜେନ୍ ଫୁଏଲ୍ ଷ୍ଟୋରେଜ୍, ମିଲିଟାରୀ ବାଲିଷ୍ଟିକ୍ ଆରମୋର୍ଭ, ଏୟାରକ୍ରାଫ୍ଟ, ଟ୍ରେନ୍ କମ୍ପାଟ୍ମେଂଟ୍ସ୍, ଟ୍ରେନ୍ କମ୍ପୋନେଂଟ୍ସ୍ କାର୍ଯ୍ୟରେ ଲାଗେ  । ଏଇ ଲିଥିୟମ ଭାରତରେ ଏକ କିଲୋଗ୍ରାମ୍ ମଧ୍ୟ ନାହିଁ । ଆମେ ହଂକଂ, ଚୀନ୍, ଇଣ୍ଡୋନେସିଆ, ସିଙ୍ଗାପୁର, ଦକ୍ଷିଣକୋରିଆରୁ କିଣୁଛେ  । କୋବାଲ୍ଟ ବ୍ୟବହାର ହୁଏ – ଇଲେକ୍ଟ୍ରି କମ୍ପୋନେଂଟ୍ସ୍, ର୍ଟବାଇନ୍ ଇଂଜିନ୍ କମ୍ପୋନେଂଟ୍ସ୍, ଅଟୋମୋବାଇଲ ଏୟାରବ୍ୟାଗଗ, ଡ୍ରାଇଙ୍ଗ୍ ଏଜେଂଟସ୍ ଅଫ୍ ପେଂଟ୍ସ୍  । ଏହି ସଂପଦ ଆମେ ଚୀନ୍, ବେଲଜିୟମ୍, ନେଦରଲ୍ୟାଣ୍ଡ୍, ଆମେରିକା, ଜାପାନରୁ ଆମଦାନି କରୁଛେ  । 
ନିକେଲ ଖଣିଜସଂପଦ ଜେଟ୍ ଆଣ୍ଡ୍ କମ୍ବିନେସନ୍ ଇଂଜିନ୍ କମ୍ପୋନେଂଟ୍ସ୍ ରିଚାର୍ଜ ବେଲ୍ ବ୍ୟାଟେରୀ ଟୋନସ୍, କମ୍ପ୍ୟୁଟରସ୍, ଇଣ୍ଡରଷ୍ଟ୍ରିଆଲ୍ ମାନ୍ୟୁଫାକ୍ଚରିଙ୍ଗ୍ ମେସିନସ୍ କାର୍ଯ୍ୟରେ ଲାଗେ  । ଚୀନ୍, ସ୍ୱିଡେନ୍, ଇଣ୍ଡୋନେସିଆ, ଜାପାନ, ଫିଲିପାଇନସକୁ ରତ୍ପାନି କରୁଛେ  । ଆମ ଭାରତର ଓଡ଼ିଶା ଅନ୍ତର୍ଗତ ସୁକିନ୍ଦାରେ ନିକେଲ ଅଛି  । ମାଟି ଖୋଳି କ୍ରୋମାଇଟ୍ସ୍ତର ଡେଇଁଲେ ନିକେଲ ମିଳିବ  । କ୍ରୋମାଇଟ୍ ମାଲିକଙ୍କ ଚକ୍ରାନ୍ତରେ ଏହି ନିକେଲ ବାହାରିପାରୁନାହିଁ  । ଭାନାଡିୟମ୍ ବ୍ୟବହାର ହୁଏ ମିଲିଟାରୀ ଆରମୋର୍ଭ ପ୍ଲେଟିଙ୍ଗ୍, ଭେହିକିଲ୍ ଆଙ୍କିସ୍, ନ୍ୟୁକ୍ଲିଅର ରିଆକ୍ଟର କମ୍ପୋନେଂଟସ୍  । ଏହା ଜର୍ମାନୀ, ସାଉଥଆଫ୍ରିକା, ବ୍ରାଜିଲ୍, କୁଏତ୍, ଥାଇଲାଣ୍ଡରେ ମିଳେ  । 
ନିଓବିୟମ୍ ଖଣିଜଧାତୁରେ ଜେଟ୍ ଇଂଜିନ୍, ରକେଟସ୍, ଏମ୍.ଆର.ଆଇ. ସ୍କାନର୍ସ, ଅଏଲ୍ ରିଗସ୍, ପାଇପ୍ ଲାଇନସ୍ରେ ବ୍ୟବହୃତ । ଏହାକୁ ବ୍ରାଜିଲ୍, ଅଷ୍ଟ୍ରେଲିଆ, କାନାଡା, ସାଉଥଆଫ୍ରିକା, ଇଣ୍ଡୋନେସିଆରୁ ରତ୍ପାନି କରୁ  । ଜେରାନିୟମ ଫାଇବ୍ରାଅପଟିକ୍ କମ୍ୟୁନିକେସନ୍ ନେଟ୍ ୱାର୍କସ, କ୍ୟାମେରା ଓ ମାଇକ୍ରୋସ୍କୋପ୍ ଲେନସ୍, ଇନ୍ଫ୍ରାରେଡା ନାଇଟ୍ ଭିଜନ୍ ସିଷ୍ଟମସ୍ରେ ବ୍ୟବହାର ହୁଏ  । ଫେଲିଅମ୍ରେ ଏରୋସ୍ପେସ୍ ପ୍ରଡକ୍ଟ, ରିଫାଇନ୍ ପେଟ୍ରୋଲିୟମ୍ ପ୍ରଡକ୍ଟ ପ୍ରସ୍ତୁତ ହୁଏ  । ଏହା ରୁଷ, ଚୀନ୍, ଇଂଲଣ୍ଡ, ନେଦରଲ୍ୟାଣ୍ଡ୍, ସାଉଥ ଆଫ୍ରିକାରୁ ଆମଦାନି ହୁଏ  । ବେରିଲିୟମ୍ ବ୍ୟବହାର ହୁଏ କମ୍ପ୍ୟୁଟର ଇଲେକ୍ଟ୍ରୋନିକସ୍ ଏବଂ ଅପ୍ଟିକାଲ ପ୍ରଡକ୍ଟସ୍ରେ  । ଟାଂଟାନିୟମରେ କାପାସିଟର, ଗ୍ୟାସ୍ ଟରବିନ୍ କମ୍ପୋନେଂଟ୍ସ୍, ମିଶାଇଲ୍ ଏବଂ ରେଡିଓ କମ୍ୟୁନିକେସନ୍ ସିଷ୍ଟମସ୍ ପ୍ରସ୍ତୁତ ହୁଏ । ଏହା ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସାଉଥ ଆଫ୍ରିକା, ମାଲେସିଆ, ଆମେରିକାରୁ ଆମଦାନି ହୁଏ  । ଷ୍ଟ୍ରୋଣ୍ଟିୟମ୍ରେ ବାଇକ୍ ଆକସେସୋରିଜ୍, କାଷ୍ଟିଙ୍ଗ୍ ଆଏ ନନ୍ଫେରିଏସ୍ରେ ବ୍ୟବହୃତ ହୁଏ  । ଏହା ଚୀନ୍, ଆମେରିକା, ରୁଷିଆ, ଇଷ୍ଟୋନିଆ, ଷ୍ଟୋଭେନିଆରୁ ଆମଦାନି ହୁଏ  । ବାକି ୨୦ପ୍ରକାର ଜଟିଳ ଖଣିଜପଦାର୍ଥରୁ ନୂଆନୂଆ ପରୀକ୍ଷାନିରୀକ୍ଷା କରି ଦୁର୍ମୂଲ୍ୟ ପଦାର୍ଥ ପ୍ରସ୍ତୁତ ହେଉଛି  । 
ଆମ ସରକାରମାନେ ନିଜର ଅପହୃତ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟିହୀନତା ପାଇଁ ଦୁର୍ମୂଲ୍ୟ ଖଣିଜସଂପଦକୁ ଖଣିରୁ ବାହାରକରି କଳକାରଖାନାରେ ବ୍ୟବହାର କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିବା ଆବଶ୍ୟକ – ସେଥିପ୍ରତି ଆଦୌ ଦୃଷ୍ଟି ଦେଇନାହାଁନ୍ତି  । ସବୁ ଖାମଖିଆଲ ଖାଲି ଖଣିଜସଂପଦ ଯେନତେନ ପ୍ରକାରେଣ କାଢି ବସ୍ତାବସ୍ତା ଅର୍ଥ ସାଇତିବା ହେଲା ମୂଳଲକ୍ଷ୍ୟ  । 
ଭାରତର ଏନର୍ଜି ସେକ୍ଟର ଅତ୍ୟନ୍ତ ଦୁର୍ବଳ  । ବର୍ତ୍ତମାନ ସାରାବିଶ୍ୱରେ ବିଜୁଳି, ତେଲର ଆବଶ୍ୟକତା ଅଛି  । ଏହି ବିଜୁଳିଶକ୍ତି, ଡିଜେଲ, ପେଟ୍ରୋଲ୍, କୋଇଲା ଏବଂ ପ୍ରାକୃତିକ ଗ୍ୟାସରୁ ଆସେ  । ଭାରତ ପୃଥିବୀର ଜନସଂଖ୍ୟାରେ ଏକନମ୍ବର କିନ୍ତୁ ଆମ ବୁଦ୍ଧିଆ ଲୋକମାନଙ୍କୁ ବିଦେଶୀମାନେ କିଣିନେଇଛନ୍ତି  । ମୋଟା ଦରମା, ସବୁ ସୁବିଧା ଯୋଗାଇଦେଇ ଆଧୁନିକ ଗୋଲାମକରି ରଖିଛନ୍ତି  । ସେମାନଙ୍କୁ ବୁଦ୍ଧିକୁ ତାଙ୍କ ଦେଶର ସଂପତ୍ତି ବଢାଇବାରେ ଲଗେଇଛନ୍ତି  । ଆଉ ଯେଉଁ ଦ୍ୱିତୀୟ ବୁଦ୍ଧିଆମାନେ ରହିଲେ - ସରକାର ସେମାନଙ୍କ ମୁଣ୍ଡ ଖରାପ କରିଦେଇ ସୁବିଧାବାଦୀଗୋଲାମ କରିଦେଇଛନ୍ତି  । ବାକି ତୃତୀୟ, ଚତୁର୍ଥ ଅଧାପାଠୁଆ ଯୁବଶକ୍ତି ନିଶାଗ୍ରସ୍ତ – ମାଗଣାଖିଆ – ବାକି ପଂଚମ ବୁଦ୍ଧିଆମାନେ ସରଳ, ଶାନ୍ତ, ଚାଷୀମୂଲିଆଶ୍ରମିକ ପେଟକୁ ପୂରା ଦାନା ପାଉଛନ୍ତି  । ଆମ ଭାତହାଣ୍ଡି ଖଣିରୁ ଦେଶୀବିଦେଶୀ ଧନଦାନବମାନେ ସବୁ ଭାତ ନେଇ ହାଣ୍ଡି ଭାଙ୍ଗି ଦେଇଛନ୍ତି  । ଏବେ ଭଙ୍ଗାହାଣ୍ଡିର ଭାରତବର୍ଷର ଜନ୍ତାରେ ପଡ଼ି ଜନତା ଜୀଅନ୍ତା ଜଳୁଛନ୍ତି  । 
କ୍ଷୟ ହୋଇଯିବ ଖଣିଜସଂପଦ – ଏଡ଼ାଇ ହେଉନାହିଁ ଏ ଭୟାନକ ଭବିଷ୍ୟତ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩