ସରିଲା ରତ୍ନଭଣ୍ଡାର ମରାମତି

 ପୁରୀ : ମହାପ୍ରଭୁଙ୍କ କରୁଣାରୁ ନୀଳାଦ୍ରି ବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ଭଣ୍ଡାରଘର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି  । ଆପାତତଃ ଆସନ୍ତା ୨ ଶହ ବର୍ଷ ପାଇଁ ଏହା ସଂରକ୍ଷିତ ରହିବ  । ୯୫ ଦିନ ବା ୩୩୨ ଘଣ୍ଟା ୪୭ ମିନିଟ୍ ମରାମତି କାର୍ଯ୍ୟ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ ଓ ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡ଼. ଡ଼ି.ବି. ଗଡ଼ନାୟକ ପ୍ରକାଶ କରିଛନ୍ତି  ।
ଗଣମାଧ୍ୟମକୁ ସୂଚନା ଦେଇ ସେମାନେ କହିଛନ୍ତିଯେ, ପୁରୁଣା ବିମ୍କୁ ମିଶାଇ ୨୧ଟି ବିମ୍ ଲଗାଯାଇଛି  । ଆଜି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି  । ଗ୍ରାନାଇଟ୍ ଚଟାଣ ନିର୍ମାଣ ସହ ଛାତରେ ୧୫ଟି ଷ୍ଟେନ୍ଲେସ୍ ଷ୍ଟିଲ ବିମ୍ ଲଗାଯାଇଛି  । ବର୍ମାଟିକ୍ କାଠରେ ଦ୍ୱାର ହୋଇଥିବା ବେଳେ ବାହାର ଭଣ୍ଡାରଘର ଦ୍ୱାର ରୂପା ଛାଉଣୀ କରାଯିବ  । ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରାଯାଇଛି  । ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନଗୁଡ଼ିକୁ ସ୍ଥାନାନ୍ତର କରାଯିବ  । ଏହାପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସ୍ୱତନ୍ତ୍ର ଏସ୍ଓପି ମାଧ୍ୟମରେ ରତ୍ନଭଣ୍ଡାରର ରତ୍ନଗୁଡ଼ିକର ଗଣତି ମଣତି କାର୍ଯ୍ୟ କରାଯିବ  ।
ସୂଚନାଯୋଗ୍ୟଯେ, ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା  । ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା  । ୨୦୨୪ ଅଗଷ୍ଟ ୨୩ରେ ଆଇରନ୍ ସିନ୍ଧୁକ ସ୍ଥାନାନ୍ତର ହୋଇଥିଲା  । ପରେ ସେପ୍ଟେମ୍ବର ୨୪ରେ ଏଏସ୍ଆଇ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଯାଞ୍ଚଞ୍ଚ କରିଥିଲା  । ଏହାପରେ ରିପୋର୍ଟ ଆଧାରରେ ୧୭ ଡ଼ିସେମ୍ବରରେ କାର୍ଯ୍ୟ ଆରମ୍ଭ ହୋଇଥିଲା  । ଯାହାକି ୨୮ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଜାରି ରହିଥିଲା  । ତେବେ ଭଣ୍ଡାର ମରାମତି କାର୍ଯ୍ୟ କରିବାକୁ ପ୍ରାୟ ୬ ମାସରୁ ଅଧିକ ସମୟ ଲାଗିଥିଲା  ।
ଲେଜର ସ୍କାନିଂ ଓ ଜିପିଆର୍ଏସ୍ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତି ଆଧାରରେ ଏଏସ୍ଆଇ ପକ୍ଷରୁ ସଂରକ୍ଷଣ ଓ ମରାମତି କାର୍ଯ୍ୟ କରାଯାଇଛି । ଏହା ମଧ୍ୟରେ ଜଏଣ୍ଟ ସିଲିଂ, ଗ୍ରାଉଟି. ଷ୍ଟେନଲେସ୍ ଷ୍ଟିଲ୍ ବକ୍ସ ବିମ୍, କେମିକାଲ ୱାସିଂ କରାଯାଇଛି । ଦୁର୍ବଳ ଓ ଖରାପ ହୋଇଯାଇଥିବା ବାହାର ରତ୍ନଭଣ୍ଡାରର ପୁରୁଣା କବାଟ କଢାଯାଇ ବର୍ମାଟିକ୍ କାଠରେ ଦ୍ୱାର କରାଯାଇଛି । ଏହି ଦ୍ୱାରକୁ ରୂପା ଛାଉଣୀ କରାଯିବ । ସେହିପରି ଭିତର ରତ୍ନଭଣ୍ଡାର ଦ୍ୱାରକୁ ସୁନା ଛାଉଣୀ କରାଯିବ । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରରେ ତିନୋଟି ଲେଖାଏଁ ତାଲା ପକାଇ ଜଉମୁଦ ଦିଆଯାଇ ଚାବି ଉପଯୁକ୍ତ ସ୍ଥାନରେ ରଖାଯାଇଛି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଓ ସ୍ୱତନ୍ତ୍ର ଏସ୍ଓପି ଅନୁଯାୟୀ ଅସ୍ଥାୟୀ ଖଟ ଓ ଫୁଲଶେଯ ଘରେ ଥିବା ରତ୍ନଅଳଙ୍କାର ବାହାର ଭିତର ରତ୍ନଭଣ୍ଡାରକୁ ଅଣାଯିବ ।