ମାସେଜ ପାର୍ଲର ନାଁରେ ଚାଲିଛି ଅନୈତିକ କାର୍ଯ୍ୟ

 ବ୍ୟାସନଗର: ପୌରାଞ୍ଚଳ ତଥା ଆଖାପାଖ ଅଞ୍ଚଳରେ ଛତୁ ଫୁଟିଲା ଭଳି ଖୋଲି ଚାଲିଛି ମାସେଜ ନାଁରେ ବିୟୁଟି ପାର୍ଲର । ଅନୈତିକ କାର୍ଯ୍ୟ ପାଇଁ ଖୋଲିଥିବା ପାର୍ଲର ଗୁଡିକ ବିଶେଷକରି ଉପର ତାଲା ନହେଲେ ଗଲିକନ୍ଦିକୁ ଉପଯୁକ୍ତ ସ୍ଥାନ ବାଛିଥାନ୍ତି । ପାର୍ଲର ସାମ୍ନାରେ ବଡ ବଡ ଅକ୍ଷରରେ ସାଇନ ବୋର୍ଡରେ ମାସେଜ ପାର୍ଲର ନଚେତ ବିୟୁଟି ପାର୍ଲର ବୋଲି ଲେଖିଥାନ୍ତି । କିନ୍ତୁ ଭିତରେ କାମ ଚାଲେ ଅଲଗା । ପାର୍ଲରରେ ନିୟୋଜିତ ଝିଅ ମାନେ ବିଶେଷକରି ପଶ୍ଚିମବଙ୍ଗ ଓ ନେପାଳରୁ ଅଣାଯାଇଥାଏ । ସେମାନଙ୍କୁ ଏଠାରେ କାମରେ ଲଗାଇବା ପାଇଁ ପାର୍ଲରର ମାଲିକ ମାନେ ଦଲାଲର ସହଯୋଗ ନେଇଥାନ୍ତି । ମାସେଜ ହେଉ କିମ୍ବା ସୌନ୍ଦର୍ଯ୍ୟ ଉପରେ ଏମାନଙ୍କର କୌଣସି ଜ୍ଞାନ ନଥାଏ ଖାଲି ରୂପ ଦେଖାଇ ଅନୈତିକ କାର୍ଯ୍ୟ କରି ଗ୍ରାହକଙ୍କ ଠାରୁ ଟଙ୍କା ଲୁଟିଥାନ୍ତି । ବିଶେଷକରି ଯୁବକ ମାନେ ଏଥିରେ ଆକର୍ଷିତ ହୋଇ ପଥଭ୍ରଷ୍ଟ ହୋଇଥାନ୍ତି । ବ୍ୟାସନଗରରେ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଓଡିଶା ବାହାର ଲୋକ ବହୁ ପରିମାଣରେ ବସବାସ କରୁଥିବାରୁ ସେଥିପାଇଁ ଅନୈତିକ କାର୍ଯ୍ୟ ପାଇଁ ଏଠାରେ ପାର୍ଲର ଖୋଲିବା ପାଇଁ ପ୍ରକୃଷ୍ଟ ସ୍ଥାନ ବାଛିଛନ୍ତି । ଅନୈତିକ କାର୍ଯ୍ୟରେ ଲିପ୍ତ ନଥିବା ପାର୍ଲର ମାଲିକ ମାନଙ୍କ ପାଇଁ ଏହା ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଯଦି ଏହି ଭୁଲ କାମ ବନ୍ଦ ନହୁଏ ତେବେ ଭଲ ଉଦେ୍ଦଶ୍ୟ ନେଇ ଯାଉଥିବା ମହିଳା ହୁଅନ୍ତୁ ବା ଯୁବକଯୁବତୀ ପାର୍ଲର ଯିବାକୁ ଉଚିତ ମନେ କରିବେ ନାହିଁ । କିଛି ଦିନ ପୂର୍ବରୁ ବହୁ ପରିମାଣରେ ପାର୍ଲରରେ ଅନୈତିକ କାର୍ଯ୍ୟ ଚାଲିଥିଲା କିନ୍ତୁ ସେତେବେଳର ଥାନା ଅଧିକାରୀ ଏହା ଉପରେ ଚଢାଉ କରି ସମ୍ପୂର୍ଣ୍ଣ ଭାବରେ ଏହାକୁ ବନ୍ଦ କରିଦେଇଥିଲେ । ଯଦି ଏହା ଉପରେ ପୁଲିସ ପ୍ରଶାସନର ଅଙ୍କୁଶ ନରହେ ତେବେ ଆଗାମୀ ଦିନରେ ବ୍ୟାସନଗର ବାସୀଙ୍କ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ହେବ । ଘର ମାଲିକ ବ୍ୟବସାୟୀ ଉଦେ୍ଦଶ୍ୟରେ ଘର ଭଡା ଦେବାବେଳେ ଏଥି ପ୍ରତି ଲକ୍ଷ ରଖିବାର ଆବଶ୍ୟକତା ଅଛି ବୋଲି ସାଧାରଣରେ ଦାବି ହେଉଛି ।