ବର୍ଷା ବିତ୍ପାତ; ଯାଜପୁରରେ ଜନଜୀବନ ଅସ୍ତବ୍ୟସ୍ତ : ଯାଜପୁରରେ ଜନଜୀବନ ଅସ୍ତବ୍ୟସ୍ତ

 ଯାଜପୁର : ବର୍ଷା ହୁଏ ଛାଡ଼ିଯାଏ । କିନ୍ତୁ ଆଜିର ଅବିରତ ବର୍ଷା ଯାଜପୁରରେ ତାଣ୍ଡବ ରଚିଛି । ଲଘୁଚାପ ଜନିତ ବର୍ଷାରେ ଜିଲାବାସୀ କଲବଲ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଘଣ୍ଟାଏକି ଦୁଇଘଣ୍ଟା ନୁହେଁ ୬ଘଣ୍ଟାରୁ ଅଧିକ ସମୟଧରି ମୁସଳଧାରାର ବର୍ଷାବନ୍ୟାର ଭ୍ରମ ସୃଷ୍ଟି କରିଥିଲା । ରାସ୍ତାଘାଟ ଠାରୁ ଆରମ୍ଭ କରି ହାଟବଜାର ସବୁଠି ପାଣି ହିଁ ପାଣି । ଲଗାଣବର୍ଷାରେ ହଜାର ହଜାରପରିବାର ପ୍ରଭାବିତ ହୋଇଥିଲେ । କୋଉଠି ଘର ଭିତରେ ପାଣିତ କୋଉଠି ବିଦ୍ୟାଳୟ ଭିତରେ ଖେଳିଥିଲା ପାଣିର ଲହରି । ଯାଜପୁର ଜିଲାର ଚଣ୍ଡିଖୋଲ ଠାରୁ ଆରମ୍ଭ କରି ଧର୍ମଶାଳା, ପାଣିକୋଇଲି, ବ୍ୟାସନଗର, ବିଞ୍ଝାରପୁର, ଯାଜପୁର ଟାଉନ, ଦାନଗଦୀ ଏବଂ ସୁକିନ୍ଦା ସବୁଠି ସମାନଅବସ୍ଥା ଦେଖିବାକୁ ମିଳିଥିଲା । ତେବେ ଆଜି ବର୍ଷା ରେକର୍ଡ଼ କହୁଛି, ୮ଘଣ୍ଟାରେ ୯ଶହ ମିମି ବର୍ଷା ହୋଇଛି । ସର୍ବାଧିକ ବର୍ଷା ଦାନଗଦୀ ବ୍ଲକରେ ହୋଇଥିବା ବେଳେ ସର୍ବନିମ୍ନବିଞ୍ଝାରପୁର ବ୍ଲକରେ ହୋଇଛି । ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଯାଜପୁର ବ୍ଲକରେ ୧୨୧ ମିମି, ବିଞ୍ଝାରପୁରରେ ୨୫ ମିମି, ଦଶରଥପୁରରେ ୯୦ ମିମି, କୋରେଇରେ ୧୦୨ ମିମି, ଦାନଗଦୀରେ ୧୪୭ ମିମି, ସୁକିନ୍ଦାରେ ୧୨୬ମିମି, ରସୁଲପୁରର ୬୩.୦୮, ଧର୍ମଶାଳା ୧୪୨ମିମି, ବଡ଼ଚଣା ୪୪ମିମି, ବରୀରେ ୩୧.୦୬ ମିମି ବର୍ଷା ରେକର୍ଡ଼ କରାଯାଇଛି । ମୋଟ ଉପରେ ୮୯୧.୬୮ ମିମି ବର୍ଷା ହୋଇଛି ।