ମିନାକ୍ଷୀ ମହିଳା କଂଗ୍ରେସ ସଭାନେତ୍ରୀ
ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆଜି ଓଡିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ମିନାକ୍ଷୀ ବାହିନୀପତିଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେସି ଭେଣୁ ଗୋପାଳ ଘୋଷଣା କରିଛନ୍ତି । ଶ୍ରୀମତୀ ବାହିନୀପତି ପୂର୍ବରୁ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବରେ କାର୍ୟ୍ୟକରିଥିଲେ । ଏତଦଭିନ୍ନ ସେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ୧୦ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କୋରାପୁଟ ପୌରାଞ୍ଚଳର ଅଧ୍ୟକ୍ଷା ଭାବରେ ସେ ଦୁଇଥର ନିର୍ବାଚିତ ହୋଇଥିଲେ । ଏହି ନିଯୁକ୍ତି ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲ ଏବଂ ଅଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ ଅଳକା ଲାମ୍ବାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଅଖିଳ ଭାରତ କଂଗ୍ରେସ କମଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଦର୍ଶ, ଦର୍ଶନ ଓ ମହିଳାମାନଙ୍କ ପ୍ରତି ଥିବା ସେମାନଙ୍କର ପ୍ରତିବଦ୍ଧତାକୁ ଅନୁସରଣ କରି ଓଡିଶାରେ ମହିଳା ସଂଗଠନକୁ ସୁଦୃଢ଼ କରାଯିବା ସହ ନାରୀ ନ୍ୟାୟ ସଂଗ୍ରାମକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀମତୀ ବାହିନୀପତି କହିଛନ୍ତି ।