ମିରଟରେ ଏଗ୍ରିଟେକ୍ ଇନୋଭେସନ ହବ୍ ଲୋକାର୍ପିତ : କୃଷି ଅର୍ଥନୀତିକୁ ମିଳିବ ନୂଆ ଦିଗ: ଧର୍ମେନ୍ଦ୍ର

 ମିରଟ : ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଆଜିର ସମୟର ଆବଶ୍ୟକତା । ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ୍ ହବ୍ ନିଶ୍ଚିତ ଭାବରେ ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଏବଂ ଗତି ପ୍ରଦାନ କରିବ । ମଙ୍ଗଳବାର ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ମିରଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ ହବ୍ର ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ସେ କହିଛନ୍ତି ବିକଶିତ ଗ୍ରାମ ଏବଂ ଚାଷୀଙ୍କ ସମୃଦ୍ଧି ବିନା ବିକଶିତ ଭାରତର କଳ୍ପନା କରିହେବ ନାହିଁ । ଆଜିର କାର୍ଯ୍ୟକ୍ରମ ସେହି ଦିଗରେ ଏକ ଐତିହାସିକ ପଦକ୍ଷେପ । ଏହି କ୍ରମରେ ଗତ କେନ୍ଦ୍ର ବଜେଟରେ ‘ସେଣ୍ଟର ଫର ଏକ୍ସଲେନ୍ସ' ଘୋଷଣା କରାଯାଇଥିଲା । ଏଆଇ, ମେସିନ୍ ଲର୍ଣ୍ଣିଂ ଏବଂ ଡାଟା ଆନାଲିଟିକ୍ସ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ଲାଭ ଭାରତର ଚାଷଜମି ପର୍ଯ୍ୟନ୍ତ ପହଞ୍ଚାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା । ସେହି ଆଧାରରେ ଆଇଆଇଟି ରୋପାରକୁ "କୃଷିରେ ଏଆଇ’ ଉପରେ କାମ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଆଜି ଲୋକାର୍ପିତ ଏଗ୍ରିଟେକ୍ ଇନୋଭେସନ୍ ହବ୍ ତାହାର ପ୍ରତିଫଳନ ବୋଲି ସେ କହିଛନ୍ତି । ଭାରତର ଚାଷ ଅର୍ଥନୀତିର ମେରୁଦଣ୍ଡ । ଆମର ସେବା କ୍ଷେତ୍ର ହୁଏତ ବିଶ୍ୱ ମାନଦଣ୍ଡ ଛୁଇଁଛି, କିନ୍ତୁ ଭାରତର ସମୃଦ୍ଧିର ମୂଳ ଭିତ୍ତିଭୂମି ହେଉଛି ଏହାର କୃଷି ଭୂମି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ କୃଷକମାନଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାକୁ ବାସ୍ତବରେ ପରିଣତ କରାଯାଉଛି ବୋଲି କହିଛନ୍ତି ।