ମିଲରଙ୍କ ମନମାନି, ତାତିଲେ ଚାଷୀ
ଛତ୍ରପୁର: କଥା ଦେଇ କଥା ରଖିଲେ ନାହିଁ ସରକାର । ଯାହାକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । କେମିତି ଧାର କରଜ ସୁଝିବେ ଆଉ ପରିବାର ପ୍ରତିପୋଷଣ କରିବାକୁ ତାକୁ ନେଇ ଚିନ୍ତାରେ ଚାଷୀ କୂଳ । ଧାନ କିଣିବା ପାଇ ଗଞ୍ଜାମ ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇଛି, ମାତ୍ର ଚାଷୀଙ୍କ ଧାନ ନେଉନାହାନ୍ତି ମିଲର । ମିଲରମାନେ ମନମୁଖି କାର୍ଯ୍ୟ ଚଳାଇଛନ୍ତି, କେଉଁ ଠାରେ ଚାଷୀଙ୍କ ଠାରୁ ନିୟମରୁ ଅଧିକ ଧାନ ନେଉଥିବାବେଳେ ଆଉ କେଉଁ ସ୍ଥାନରେ ଜମାରୁ ଚାଷୀଙ୍କ ଧାନ ସଂଗ୍ରହ କରୁନାହାନ୍ତି । ଏ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ବିଭାଗ ଜଣାଯାଇଥିଲେ ମଧ୍ୟ ଚାଷୀଙ୍କ ଦୁଃଖ କିଏ ବୁଝୁନାହାନ୍ତି, ଯାହାଫଳରେ ଚାଷୀ ଚିନ୍ତାରେ ରହିଛନ୍ତି । ଏପଟେ ଖୋଦ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଅଂଚଳରେ ଏପରି ସମସ୍ୟା ବେଶୀ ଲାଗି ରହିଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଭେଟିଛନ୍ତି ପୋଟଲାମପୁର ପଂଚାୟତର ଚାଷୀ । ନିଜର ହକ୍ ପାଇଁ ଚାଷୀମାନେ ପ୍ରତିବାଦ କରିଛନ୍ତି । ମିଲରମାନେ ଠିକ୍ରେ ସେମାନଙ୍କ ଧାନ ଉଠାଉ ନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଷୀ । ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀଙ୍କ ସମସ୍ତ ଧାନ କିଣାଯିବ ବୋଲି ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କ ଧାନ କାହିଁକି କିଣା ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ ନେତା ରାଜେନ୍ଦ୍ର ନାହାକ । ଆମର ଧାନ କିଣା ହେଲେ ତ ଆମେ ବୋନସ୍ ପାଇବୁ । ଏଣୁ ଆମ ପଂଚାୟତର ସମସ୍ତ ଧାନ ୭ଦିନ ମଧ୍ୟରେ କ୍ରୟ କରା ନ ଗଲେ ପିଏଚ୍ଡି ଅଫିସ ତାଲା ପକାଇ ରାଜ ରାସ୍ତା ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ପୋଟଲାମପୁର ସମିତି ସଭ୍ୟ ଶମ୍ଭୁ ସ୍ୱାଇଁ କହିଛନ୍ତି । ଏହା ସହିତ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଗଣପତି ବାରିକ, ଶତ୍ରୁଘନ ବିଶ୍ୱାଳ, ଶମ୍ଭୁନାଥ ସ୍ୱାଇଁ ଓ ରାଜେନ୍ଦ୍ର ନାହାକଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ । ତେବେ ଏହି ଘଟଣାର ସୂଚନା ପାଇ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଚାଷୀଙ୍କ ସମସ୍ୟାର କିପରି ସମାଧାନ ହେବେ ସେ ନେଇ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।