ମିଲରଙ୍କ ମନମାନିରୁ ମଣ୍ଡିରେ ଭିଜୁଛି ଧାନ; ଚିନ୍ତାରେ ଚାଷୀ

 ସିଂହପୁର: ଧାନ କିଣାରେ ସ୍ୱଚ୍ଛତା ରହିବ । କେହିବି ମନମାନି କଲେ ନିଆଯିବ କାର୍ଯ୍ୟାନୁୁଷ୍ଠାନ । କିନ୍ତୁ ଯାଜପୁର ଜିଲାରେ ଧାନକିଣା ଆରମ୍ଭରୁ ଦେଖିବାକୁ ମିଳିଛି ଅବ୍ୟବସ୍ଥା । ମିଲରଙ୍କ ମନମାନିରୁ କୋଉଠି ଚାଷୀ ମଣ୍ଡିରେ ଧାନ ରଖି ଦିନ ପରେ ଦିନ ବସିରହୁଥିବା ବେଳେ କୋଉଠି ରାସ୍ତା ଉପରକୁ ଆସି ଆନେ୍ଦାଳନ କରିଛନ୍ତି । ମନମାନି କରୁଥିବା ମିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ପରିସ୍ଥିତି ଏମିତି ହୋଇଛି ମଣ୍ଡିରେ ଥିବା ଶହଶହ ବସ୍ତା କାଳବୈଶାଖି ବର୍ଷାରେ ଭିଜିବାରେ ଲାଗିଛି । ଗଲାକାଲି ଏବଂ ଆଜି କାଳବୈଶାଖି ବର୍ଷା ଜିଲାର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବେଳେ ବର୍ଷା କାରଣରୁ ମଣ୍ଡିର ଖୋଲା ଆକାଶ ତଳେ ଥିବା ଧାନ ଭିଜିବାରେ ଲାଗିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି । ଏଭଳି ଚିତ୍ର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଓ ଜରୀ ସମବାୟ ସମିତି ମଣ୍ଡିରୁ ଆସିଛି । ଗାଡି ସମସ୍ୟା ଯୋଗୁଁ ଧାନ ମଣ୍ଡିରେ ୯ଦିନ ହେଲା ପଡ଼ିରହିଛି । ଧାନକୁ ଚାଷୀ ଜଗିରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଧାନନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଚାଷୀ ମାନେ ତୀବ୍ରପ୍ରତିକ୍ରିୟା ପ୍ରକାଶ କରିବା ସହଜିଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।