ମିଳୁନି ପ୍ରୋତ୍ସାହନ : ଆଖୁ ଗବେଷଣା କେନ୍ଦ୍ର ଦୟନୀୟ!
ଉନ୍ନତଧରଣର ଆଖୁ, ମୁଗ ଏବଂ ଛେନାପୋଡ଼ ପାଇଁ ସମଗ୍ର ଓଡ଼ିଶାରେ ନୟାଗଡ଼ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ଏବଂ ମର୍ଯ୍ୟାଦା ରହିଛି । ଉନ୍ନତ ଧରଣର ସଘନ ଆଖୁ ଚାଷ ଜିଲ୍ଲାର ଅର୍ଥନୀତିକୁ ସମୃଦ୍ଧ କରି ଆସିଛି । ଏହାକୁ ଦୃଷ୍ଟିରେ ରଖି ପାଣିପୋଇଲା ଠାରେ ରାଜ୍ୟର ପ୍ରଥମ ଆଖୁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଏହି ଗବେଷଣା କେନ୍ଦ୍ର ନିଜର କାର୍ଯ୍ୟକୁ କେବଳ ଚାରି କାନ୍ଥ ମଧ୍ୟରେ ସୀମିତ ରଖିନାହିଁ, ଅନ୍ୟପକ୍ଷରେ ଉକ୍ରର୍ଷତା ତଥା ପାରଦର୍ଶିତା ନିମନ୍ତେ କେବଳ ଓଡ଼ିଶାରେ ନୁହେଁ ଜାତୀୟ ସ୍ତରରେ ମଧ୍ୟ ଯଥେଷ୍ଟ ସୁନାମ ଅର୍ଜନ କରିଛି । ନିୟମିତ ବ୍ୟବଧାନରେ ଏଠାରୁ ଉନ୍ନତ ଧରଣର ଆଖୁ ବିହନ ଉଦ୍ଭାବିତ ହେଉଛି । ତେବେ ଗବେଷଣା କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ସଫଳତା ସତ୍ତ୍ୱେ ରାଜ୍ୟସରକାରଙ୍କ ସୁଦୃଷ୍ଟି ଏବଂ ପ୍ରୋତ୍ସାହନ ଅଭାବରୁ ଏହା କ୍ରମଶଃ ରୁଗ୍ଣ ହେବାରେ ଲାଗିଛି ।
ନୟାଗଡ଼ ବ୍ଲକ ପାଣିପୋଇଲା ଠାରେ ଥିବା ରାଜ୍ୟର ଏକମାତ୍ର ଆଖୁ ଗବେଷଣା କେନ୍ଦ୍ର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୨୦୦୯ ମସିହା ଠାରୁ ଧାରାବାହିକ ଭାବେ ଆଖୁ ବିହନ ଉଦ୍ଭାବନ ହୋଇ ଆସୁଛି । ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବର ପ୍ରତୀକ ଏହି ମର୍ଯ୍ୟାଦାଜନକ ଗବେଷଣା କେନ୍ଦ୍ରରେ ଭାରତ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ପରିପ୍ରେକ୍ଷୀରେ ଏଠାରେ ଗୁଣାତ୍ମକ ଗବେଷଣା ଓ ଉଦ୍ଭାବନ କାର୍ଯ୍ୟ ଚାଲୁ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକରେ ୧୧ଟି ଅନୁମୋଦିତ ପଦବୀ ଥିଲା ବେଳେ ସେଥିମଧ୍ୟରୁ ଅନେକ ପଦବୀ ଖାଲିପଡ଼ିଛି । ତେବେ ଏସବୁ ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ୨୦୦୯ ମସିହାରେ ଏଠାରେ ସବିତା ଓ ନୀଳମାଧବ, ୨୦୧୨ମସିହାରେ ରଘୁନାଥ ଓ ନୀଳଚକ୍ର,୨୦୧୬ମସିହାରେ ଚର୍ଚ୍ଚିକା ଏବଂ ୨୦୨୦ ମସିହାରେ କଳିଙ୍ଗ-୩୮୬ ପ୍ରଭୃତି ଉନ୍ନତ ପ୍ରଜାତିର ଆଖୁବିହନ ଉଦ୍ଭାବିତ ହୋଇଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର କିଛି ଅଂଶକୁ ନେଇ ଗଠିତ ପୂର୍ବତଟ ଜୋନରେ ଏସବୁ ନୂତନ ବିହନ ଚାଷୀ ମାନଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି । ଅନ୍ୟପକ୍ଷରେ କଳିଙ୍ଗ-୩୮୬ ବିହନ ପୂର୍ବରୁ ଉଦ୍ଭାବିତ ହୋଇଥିବା ବିହନ ମାନଙ୍କ ଠାରୁ ଅଧିକ ଅମଳକ୍ଷମ, ଅଧିକ ସର୍କରାଯୁକ୍ତ, ଅଧିକରୋଗ ପ୍ରତିରୋଧକ ଶକ୍ତି ଏବଂ ବନ୍ୟାଜଳ ସହିବାର ଅଧିକ କ୍ଷମତା ରହିଛି ।୧୦ ମାସରେ ଅମଳ ହେଉଥିବା ଏହି ସହଳ କିସମର ଆଖୁରେ ସର୍କରା ପରିମାଣ ୧୭.୨୫ଶତାଂଶ ଥିବାବେଳେ ଥିବା ଗୋଟିଏ ହେକ୍ଟରରୁ ୧୨୦ଟନ ଆଖୁ ମଧ୍ୟ ଅଚଳ ହେବ । ନାଲିସଢ଼ା ରୋଗର ପ୍ରତିରୋଧକ ଶକ୍ତି ଏହି ବିହନରେ ରହିଛି । ତେବେ ଏଠାରୁ ଉଦ୍ଭାବିତ ବିହନ ଗୁଡ଼ିକ ଉପରେ ଇଣ୍ଡିଆନ କାଉନସିଲ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ (ଆରସିଏଆର) ଏବଂ କେନ୍ଦ୍ର ସରକାର ଯଥେଷ୍ଟ ପ୍ରାଧାନ୍ୟ ତଥା ଗୁରୁତ୍ୱ ପ୍ରଦାନ କରୁଛନ୍ତି । ନୟାଗଡ଼ରୁ ଉଦ୍ଭାବିତ ସବିତା ଏବଂ ରଘୁନାଥ ଠାରୁ ଯଦି ଅନ୍ୟ ସ୍ଥାନରେ ଥିବା ଗବେଷଣା କେନ୍ଦ୍ରରେ ପ୍ରସ୍ତାବିତ ଅଧିକ ଅମଳ ଏବଂ ଅଧିକ ସର୍କରାଯୁକ୍ତ ବିହନ ଉଦ୍ଭାବନ କରନ୍ତି ତେବେ ତାହାକୁ ସ୍ୱୀକୃତି ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଏଠାରୁ ଉଦ୍ଭାବିତ ବିହନ ଠାରୁ କମ୍ ମାନର ବିହନକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିି ନୟାଗଡ଼ ଜିଲ୍ଲାର ସମ୍ମାନ ଦୁଇଗୁଣିତ ହୋଇଛି । ନୟାଗଡ଼ରେ ଥିବା ରାଜ୍ୟର ଏକମାତ୍ର ଆଖୁ ଗବେଷଣା କେନ୍ଦ୍ରକୁ କେନ୍ଦ୍ର ସରକାର ଏବଂ ରାଜ୍ୟସରକାର ମିଳିତ ଭାବେ ପରିଚାଳନା କରୁଛନ୍ତି । ୧୬ ଏକର ପରିମିତ ଜମି ଉପରେ ଏହି କେନ୍ଦ୍ର ପ୍ରଥମେ ରାଜ୍ୟ ସରକାରଙ୍କ ଦ୍ୱାରା ୧୯୮୯ମସିହାରେ ଏଠାରେ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଏହାର ନାମ ଥିଲା ସୁଗାର କେନ ରିସର୍ଚ୍ଚ ଷ୍ଟେସନ୍(ଏସ୍ଆର୍ଏସ୍) ଥିଲା । ପରବର୍ତ୍ତୀ ସମୟରେ ୧୯୯୮ମସିହାରେ ସମ୍ବଲପୁର ଜିଲ୍ଲା ଚିପିଲିମା ଠାରେ ଥିବା କେନ୍ଦ୍ର ସରକାରଙ୍କ ‘ଅଲ ଇଣ୍ଡିଆ କୋଡ଼ିନେଟର ରିସର୍ଚ୍ଚ ପ୍ରୋଜେକ୍ଟ ଅନ୍ ସୁଗାର କେନ୍' ଅନୁଷ୍ଠାନ ନୟାଗଡ଼କୁ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ ନୟାଗଡ଼ରେ ଥିବା ‘ସୁଗାରକେନ୍ ରିସର୍ଚ୍ଚ ଷ୍ଟେସନ୍' ଏବଂ ଚିପିଲିମାରୁ ଅଲ ଇଣ୍ଡିଆ କୋଡ଼ିନେଟର ରିସର୍ଚ୍ଚ ପ୍ରୋଜେକ୍ଟ ଅନ୍ ସୁଗାର କେନ୍କୁ ସ୍ଥାନାନ୍ତର କରାଯାଇଥିବା ପ୍ରକଳ୍ପ ଦୁଇଟିକୁ ମିଶାଯାଇ ଗୋଟିଏ ଅନୁଷ୍ଠାନରେ ପରିଣତ କରାଯାଇ ଆଖୁ ସମ୍ପର୍କରେ ବ୍ୟାପକ ଗବେଷଣା କରାଯାଉଛି । ଅନ୍ୟପକ୍ଷରେ, ଏହି ଆଖୁ ଗବେଷଣା କେନ୍ଦ୍ର ଠାରୁ ଅନତି ଦୂରରେ ଥିବା କୋସ୍କା ଗ୍ରାମରେ ୧୮ଏକର ଜମିରେ ନିରନ୍ତର ଆଖୁ ଗବେଷଣା କାର୍ଯ୍ୟ ଚାଲୁରହିଛି ।