ଶିଶୁବାଟିକା ଓ ନବୋଦୟ ଛାତ୍ରଙ୍କ କୃତିତ୍ୱ

କବାଟବନ୍ଧ : ନୂତନ ଜାତୀୟ ଶିକ୍ଷାନିତୀ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦେଶ୍ୟରେ ରାଜ୍ୟ ସରକାର ଚଳିତବର୍ଷ ନୂତନ ଶିକ୍ଷାନୀତି ଆରମ୍ଭ କରିଛନ୍ତି । ସେହି ଉଦେ୍ଦଶ୍ୟରେ ଧର୍ମଶାଳା ବ୍ଲକ ଶିକ୍ଷାମଣ୍ଡଳ ଅଧୀନ କୃଷ୍ଣଚନ୍ଦ୍ରପୁର କ୍ଲଷ୍ଟର ଅନ୍ତର୍ଗତ ନୂଆଗଡ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ ଉତ୍ସବ ପ୍ରଧାନ ଶିକ୍ଷକ ମହେଶ୍ୱର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଜବାହାର ନବୋଦୟ ବିଦ୍ୟାଳୟ ଓ ଓଡ଼ିଆ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଏହି ବିଦ୍ୟାଳୟର ପଂଚମ ଶ୍ରେଣୀର ଛାତ୍ର ଦିବ୍ୟାଂଶୁ ଦେବ ମଲ୍ଲ କୃତକାର୍ଯ୍ୟ ହୋଇଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହିମାଂଶୁ ଭୂଷଣ ଧୀର,ପ୍ରଭାକର ଧୀର,ବିଶ୍ୱନାଥ ମହାନ୍ତି,ବିଭୁତି ଭୂଷଣ ଜେନା,ମମତା ମଳିକଙ୍କ ସମେତ ସମସ୍ତ ଅଭିଭାବକ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦିବ୍ୟାଂଶୁ ଦେବଙ୍କ ଘର ତାଳଜଙ୍ଗ ଗ୍ରାମର ଶିକ୍ଷକ ସଞ୍ଜୟ କୁମାର ମଲ୍ଲ ଓ କୁନ୍ତଳା ରାଉତଙ୍କ ପୁତ୍ର ଅଟନ୍ତି । ତାଙ୍କର ବାପା ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ । ଦିବ୍ୟାଂଶୁ ଦେବ ଏହି ସଫଳତାର ଶ୍ରେୟ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପିତା, ମାତାଙ୍କୁ ଦେଇଛନ୍ତି । ଦିବ୍ୟାଂଶୁ ଦେବଙ୍କ କୃତକାର୍ଯ୍ୟ ପାଇଁ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।