ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ର କାର୍ଯ୍ୟକାରିତା ସମୀକ୍ଷା କଲେ ଆହୁଜା
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ର ସଫଳ କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ଓ ଅଗ୍ରଗତି ସଂପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା । ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ପୂର୍ବକ ଏହି ଯୋଜନାରୁ ଗୋପାଳନ କରୁଥିବା ଚାଷୀ ଏବଂ କୃଷି ଉଦ୍ୟୋଗୀମାନେ କିପରି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବ, ସେଥିପାଇଁ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟରେ କୃଷି ସହିତ ଗୋପାଳନ କୃଷକମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସର୍ବଦା ଗୁରୁତ୍ୱ ବହନ କରୁଛି । ରାଜ୍ୟରେ ଗୋପାଳନ କ୍ଷେତ୍ରକୁ ଅଗ୍ରାଧିକାର ଦେବା ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟ ଆକଳନ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ଗତ ବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ । ୨୦୨୪ ଡିସେମ୍ବର ୪ ତାରିଖରେ ଏହି ଯୋଜନା ଅନ୍ତର୍ଗତ ଉପ-ଯୋଜନାଗୁଡିକର କାର୍ଯ୍ୟକାରିତା ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ଦୈନିକ ଦୁଗ୍ଧ ଉତ୍ପାଦନ ୬୫ ଲକ୍ଷ ଲିଟରରୁ ୫ ବର୍ଷ ମଧ୍ୟରେ ଦୈନିକ ୧୩୦ ଲକ୍ଷ ଲିଟର ଉତ୍ପାଦନ ଲକ୍ଷ୍ୟ ରହିଛି । ମୁଖ୍ୟ ଶାସନ ସଚିବ ଏହି ଯୋଜନାରୁ ଚାଷୀମାନେ ଯେପରି ଲାଭ ଉଠାଇ ଅଧିକରୁ ଅଧିକ ଉପକୃତ ହୋଇପାରିବେ ଏବଂ ସେମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇ ପାରିବ, ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି ) ର ବିଶେଷଜ୍ଞଙ୍କ ଦ୍ୱାରା ଯୋଜନା କାର୍ଯ୍ୟକାରିତାର ମୂଲ୍ୟାୟନ ଓ ସେମାନଙ୍କ ଠାରୁ ଆବଶ୍ୟକ ପରାମର୍ଶ ଦେବା ସଂପର୍କରେ ସେ ଗୁରୁତ୍ୱ ଦେଇଥିଲେ ।