ମୈଦଲପୁରକୁ ବ୍ଲକ୍ ଘୋଷଣା ଦାବି
ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ଅଞ୍ଚଳକୁ ନୂତନ ବ୍ଲକ୍ ମାନ୍ୟତା ଦାବିରେ ମୈଦଲପୁର ଯୁବ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପାପଡାହାଣ୍ଡି ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ୨୩ ପଞ୍ଚାୟତକୁ ନେଇ ଗଠିତ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଠାରୁ ମୈଦଲପୁରର ଦୂରତା ଅଧିକ ରହୁଥିବାରୁ ଏଥିରୁ ବର୍ତ୍ତିବା ପାଇଁ ଉପରୋକ୍ତ ଦାବି କରାଯାଇଛି । କୌଣସି ସ୍ଥାନୀୟ ସମସ୍ୟା ନେଇ ବ୍ଲକ୍ କାର୍ଯ୍ୟାଳୟକୁ ଆସିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଫଳରେ ଅନେକ ସ୍ଥାନୀୟ ସମସ୍ୟାର ସମାଧାନରେ ଅହେତୁକ ବିଳମ୍ବ ହେଉଛି ।
ଗତ ୨୦୧୮ରେ ଏକ ଷ୍ଟାଣ୍ଡିଂ ଟିମ ଆସି ମୈଦଲପୁର ଗସ୍ତ କରି ଜିଲ୍ଲାର ଚାରୋଟି ସ୍ଥାନରେ ନୂତନ ବ୍ଲକ୍ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ସେଥିରୁ ମୈଦଲପୁର ଠାରେ ମଧ୍ୟ ନୂତନ ବ୍ଲକ କାର୍ଯ୍ୟାଳୟ କରିବା ପାଇଁ ପ୍ରସ୍ତାବ ରହିଥିଲା । ନୂତନ ବ୍ଲକ ପାଇଁ ଯେଉଁ ମାନଦଣ୍ଡ ରହିଛି ମୈଦଲପୁର ସେସବୁ ପୂରଣ କରୁଥିବାରୁ ଏହାକୁ ଖୁବ୍ଶୀଘ୍ର ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଯୁବ ପରିଷଦର ସଦସ୍ୟ ସନ୍ତୋଷ ପାଣିଗ୍ରାହୀ, ଅରବିନ୍ଦ ପାଞ୍ଜିଆ, ନିର୍ମଳ ବିଷୋୟୀ, ପ୍ରଦୀପ ସେନା, ନୀତେଶ ପଟ୍ଟନାୟକ, ଅମିତି ମହାନ୍ତି, ମୋହନ କଲାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।