ଅତିରିକ୍ତ ତହସିଲଦାରଙ୍କ ବଦଳିକୁ ବିରୋଧ
ପୁରୀ : ପିପିଲିର ଜଣେ ମହିଳା ଆର୍ଆଇଙ୍କୁ ଅସଦାଚରଣ ସହ ଯୌନ ନିର୍ଯାତନା ଅଭିଯୋଗରେ ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କୁ ବ୍ରହ୍ମଗିରି ତହସିଲରେ ଅବସ୍ଥାପିତ କରାଯିବାକୁ ଦୃଢ଼ ବିରୋଧ କରିଛି ବ୍ରହ୍ମଗିରୀ ନାରୀ ଜାଗରଣ ମଞ୍ଚ । ମଞ୍ଚ ପକ୍ଷରୁ ଏ ସଂକ୍ରାନ୍ତରେ ପୁରୀ ଜିଲ୍ଳାପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ସଂପୃକ୍ତ ଅତିରିକ୍ତ ତହସିଲଦାର ପୂର୍ବରୁ ବ୍ରହ୍ମଗିରିରେ କାମ କରୁଥିଲେ । ତାଙ୍କୁ ସେଠାକୁ ବଦଳି କରାଯିବା ଏକ ପୁରସ୍କାର ସଦୃଶ । ଅସଦାଚରଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଜିଲ୍ଳାପାଳ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ମଞ୍ଚର ମହିଳାମାନେ ଦାବି କରିଛନ୍ତି । ନିଷ୍ପତ୍ତିରେ ପରିବର୍ତ୍ତନ କରା ନ ଗଲେ ଆଗାମୀ ଦିନରେ ବ୍ରହ୍ମଗିରିର ମହିଳାମାନେ ସଂପୃକ୍ତ ଅତିରିକ୍ତ ତହସିଲଦାରଙ୍କୁ ଦୃଢ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।