ମୋକଦ୍ଦମା ପାଇଁ ଓକିଲ ସଂଘର ନୋଟିସ
ପୁରୀ : ଦେୱାନୀ ଆଇନର ଧାରା ୮୦ରେ ସିଭିଲ୍ କୋର୍ଟରେ ମୋକଦ୍ଦମା ଦାଖଲ ପାଇଁ କେନ୍ଦ୍ର ପରିବେଶ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଅଧ୍ୟକ୍ଷ ଓଡ଼ିଶା କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ, ଜଙ୍ଗଲ ଓ ପରିବେଶ ସଚିବ, ରାଜସ୍ୱ ସଚିବ, ଆଇନ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ଜିଲ୍ଳାପାଳ, ଇଏସ୍ଜେଡ୍ର ଅଧ୍ୟକ୍ଷ, ଉପଜିଲ୍ଳାପାଳ, ପିକେଡ଼ିଏ ସଚିବ, ପୌର ଅଧିକାରୀ ଓ ତହସିଲଦାରଙ୍କୁ ପକ୍ଷ କରି ରେଜିଷ୍ଟ୍ରି ଡ଼ାକ ଯୋଗେ ନୋଟିସ୍ ପଠାଇଛନ୍ତି ପୁରୀ ଓକିଲ ସଂଘର ସଂପାଦକ ଶରତ ରାୟଗୁରୁ । ୬୦ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ପୁରୀର ସିଭିଲ କୋର୍ଟରେ ମକୋଦମା ଦାଖଲ କରାଯିବ ବୋଲି ସୂଚାଇ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ପୁରୀ କୋର୍ଟ କୋଠା ଐତିହ୍ୟ ମର୍ଯ୍ୟାଦା ପାଇଥିବା ବେଳେ, ସହରର ମୁଖ୍ୟ ସ୍ଥାନରେ ଗୋଟିଏ ଜାଗାରେ କୋର୍ଟ ଓ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସବ୍ରେଜିଷ୍ଟ୍ରାର ଅଫିସର ପର୍ଯ୍ୟନ୍ତ ସମସ୍ତ ସୁବିଧା ଲୋକମାନେ ପାଉଛନ୍ତି । ଏହାକୁ ସରକାର ବିଚାର ନ କରି ବିଚାର ବିଭାଗକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ୫ଏକର ଜମି ପ୍ରଦାନ କରିଛନ୍ତି । ଯାହା ମଧୁର ଜଳ, ଇକୋ ଓ ସିଆରଜେଡ଼୍ରେ ଅନ୍ତର୍ଭୁକ୍ତ । ତହସିଲଦାର, ଉପଜିଲ୍ଳାପାଳ, ଜିଲ୍ଳାପାଳ ଓ ଆରଡ଼ିସି ଏହାକୁ ସ୍ୱୀକାର କରିଛନ୍ତି । ତଥାପି ସେ ଅଞ୍ଚଳରେ ବହୁତଳ କୋଠା କିଭଳି ନିର୍ମାଣ ହେବ ଏବଂ ସେଥିପାଇଁ ପ୍ଲାନ କିଭଳି ମଞ୍ଚୁର ହେବ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି । ଉକ୍ତ ଅଞ୍ଚଳରେ ସିଆରଜେଡ଼ ମାମଲା ଓ ମଧୁର ଜଳ ମାମଲା ପାଇଁ ସ୍ଥିତାବସ୍ଥା ବଜାୟ ରହିଥିବା ବେଳେ ରାଜସ୍ୱ ବିଭାଗ କିଭଳି ଖାତା ନମ୍ବର ୯୩ ଓ ପ୍ଲଟ୍ ୫୦/୧୯୩ର ୪୭ଏକର ଜମିରୁ ୫ଏକର ଓଜିଏଲ୍ଏସ୍ ଆକ୍ଟରେ ଆଲିଏନେସନ୍ କେସ୍ ଦ୍ୱାରା ଆଇନ ବିଭାଗକୁ ପ୍ରଦାନ କରିଛନ୍ତି ତାହା ବିସ୍ମୟ ସୃଷ୍ଟି କରିଛି । ଯେଉଁଠାରେ ସାଧାରଣ ଲୋକ ଘର ପାଇଁ ପିକେଡ଼ିଏରୁ ପ୍ଲାନ୍ ପାଉନାହାନ୍ତି ସେଠାରେ କିଭଳି ଅଦାଲତ କୋଠା ନିର୍ମାଣ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।