ଦୁଇ ଟେକ୍ସଟାଇଲ ପାର୍କ ଲୋକାର୍ପିତ

 ଭୁବନେଶ୍ୱର : ଟେକ୍ସାଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି  । ଏହାଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ  ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ଓଡିଶା ଟେକ୍ସଟାଇଲ କନକ୍ଳେଭରେ ଏହା ଘୋଷଣା କରିଛନ୍ତି  । ଏହାସହିତ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଏବଂ ଭଦ୍ରକ ଠାରେ ଦୁଇଟି ଟେକ୍ସଟାଇଲ ଓ ଫୁଟ୍ୱେୟାର ପାର୍କର ଲୋକାର୍ପଣ କରିଥିଲେ ।
ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓ-ଟେକ୍ସ ୨୦୨୫ ହେଉଛି ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନ୍କ୍ଳେଭ  । ଏଥିରେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ ଯୋଗ ଦେଇଥିଲେ  । ବିଶ୍ୱର ନାମୀଦାମୀ ବ୍ରାଣ୍ଡ ଏଥିରେ ଅଂଶଗ୍ରହଣ କରିଥିଲେ  । ଦେଶର ବୟନ ଓ ପୋଷାକ ଶିଳ୍ପକ୍ଷେତ୍ରର ଅଧିକାଂଶ ଶିଳ୍ପପତି ଉପସ୍ଥିତ ଥିଲେ  । ଏହା ପୂର୍ବଭାରତର ସର୍ବବୃହତ ଟେକ୍ସଟାଇଲ କନକ୍ଳେଭ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ  । ଏହି ଅବସରରେ ୩୩ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଆସିଛି  । ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ୫୩,୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟିହେବ  । ଏହାସହିତ ପ୍ରତିବର୍ଷ ଏହି କନକ୍ଳେଭ ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଓଡିଶାର ବସ୍ତ୍ର ଶିଳ୍ପ ବହୁତ ପ୍ରାଚୀନ  । ଆମ ସଂସ୍କୃତି ଏବଂ ପରମ୍ପରା ସହିତ ଆମ ପୋଷାକ ଓ ପରିଧାନ ଜଡିତ ହୋଇ ରହିଛି । ପଶ୍ଚିମ ଓଡିଶାର ପାରମ୍ପାରିକ ବସ୍ତ୍ର ପ୍ରସ୍ତୁତି ପ୍ରକ୍ରିୟା, ବ୍ରହ୍ମପୁରର ରେଶମ, ଗଜପତି, କେନ୍ଦୁଝରର ଟସର ଏବଂ ମାଣିଆବନ୍ଧ ସୂକ୍ଷ୍ମକଳାର ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି  । ଏହି ସମସ୍ତ ପୋଷାକର ପ୍ରଚାର ପ୍ରସାର ମାଧ୍ୟମରେ ଓଡିଶାକୁ ଟେକ୍ସଟାଇଲ ହବ୍ କରିବା ପାଇଁ ଆମ ସରକାର ଉଦ୍ୟମ କରୁଛନ୍ତି  । ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବା ସହିତ ୫ଟି ଟେକ୍ସଟାଇଲ ଓ ଆପାରେଲ୍ ପାର୍କ ବିକଶିତ କରିବା ଦିଗରେ ଆମ ସରକାର ଯୋଜନା କରୁଛନ୍ତି ।
ସେ ପୁଣି କହିଥିଲେ, ଓଡିଶା ପୁଞ୍ଜିନିବେଶକାରୀମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି  । ଚଳିତ ଆର୍ଥିକ ବର୍ଷରେ ଦେଶର ସମୁଦାୟ ଘରୋଇ ନିବେଶର ୪୦% ଓଡିଶାକୁ ଆସିଛି  । ଏହା ବିଶ୍ୱର ଉଦ୍ୟୋଗ ଜଗତର ଆମ ସରକାରଙ୍କ ଉପରେ ଥିବା ଆସ୍ଥାକୁ ଦର୍ଶାଉଛି  । ଏହି ଭରସାକୁ ଅତୁଟ ରଖିବା ଦିଗରେ ଆମର ଉଦ୍ୟମ ଜାରି ରହିବ ।  ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଅନ୍ୟାନ୍ୟ ଶିଳ୍ପ ସହିତ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ମଧ୍ୟ ଓଡିଶା ଦେଶର ସବୁଠାରୁ ଆକର୍ଷଣୀୟ ସ୍ଥାନ ଭାବେ ପରିଗଣିତ ହୋଇପାରିଛି  । ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରର ସବୁଠାରୁ ବଡ ଆକର୍ଷଣ ହେଉଛି  ଏ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି । ବିଶେଷକରି ମହିଳାମାନଙ୍କୁ ଅଧିକ ନିଯୁକ୍ତିର ସୁଯୋଗ ରହିଛି  । ଓଡିଶାର ଗ୍ରାମାଞ୍ଚଳ ଓ ଅର୍ଥନୈତିକ ପଛୁଆ ବର୍ଗର ଯୁବକ ଯୁବତୀମାନଙ୍କ ପାଇଁ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହିତ ଓଡିଶାର ଆର୍ଥିକ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।
କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତିଯେ, "ଓଡିଶା ଟେକ୍ସ ୨୦୨୫ ଓଡ଼ିଶାର ବୟନ ଶିଳ୍ପ ପାଇଁ ଏକ ନୂତନ ଯୁଗର ଶୁଭାରମ୍ଭ କରୁଛି ।  ଦକ୍ଷତା ଏବଂ ଶିଳ୍ପ ଦ୍ୱାରା, ଓଡ଼ିଶାର ସ୍ଥାୟୀ ଅଭିବୃଦ୍ଧି, ଆଞ୍ଚଳିକ ବିକାଶ ଏବଂ ଏକ ଉସôର୍ଗୀକୃତ ଟାସ୍କ ଫୋର୍ସ ମାଧ୍ୟମରେ ନିବେଶକମାନଙ୍କୁ ଆକୃଷ୍ଟ କରୁଛି । ଓଡ଼ିଶାରେ କଞ୍ଚାମାଲ ଉପଲବ୍ଧତା ଠାରୁ ବନ୍ଦର ସଂଯୋଗୀକରଣ ଏବଂ ଏକ ସହାୟକ ନୀତି ବୟନ ଏବଂ ପୋଷାକ ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି ।
ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତିଯେ, "ଆମର ପ୍ରତିବଦ୍ଧତା ହେଉଛି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ସୁଦୃଢ଼ କରିବା ସହିତ ଆଧୁନିକ ବୟନ ନିବେଶକୁ ଦ୍ୱିଗୁଣିତ କରିବା  । ଏକ ଦୃଢ଼ ବୟନ ଇକୋସିଷ୍ଟମର ବିକାଶକୁ ପ୍ରାଥମିକତା ଦେଇ, ପାରମ୍ପରିକ ବୁଣାକାରମାନଙ୍କୁ ସଶକ୍ତ ଏବଂ ବଜାର ବ୍ୟବସ୍ଥାକୁ ବୃଦ୍ଧି କରି, ସରକାର ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରିଛନ୍ତି  ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଦେଶର କୋଣ ଅନୁକୋଣରୁ ଆସିଥିବା ଟେକ୍ସଟାଇଲ ଉଦ୍ୟୋଗୀ ଏବଂ ଶିଳ୍ପପତିମାନେ ଉପସ୍ଥିତ ଥିଲେ  । କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଦେଇଥିଲେ  ।