ମୋଟର ଚୋରି, ପମ୍ପ ହାଉସ୍ ଅଚଳ: ପାନୀୟ ଜଳ ସଂକଟ

 ଆସିକା : ଆସିକା ବ୍ଲକର ରାଇପଲ୍ଲି ଗାଁ ମୁଣ୍ଡରେ ଥିବା ପମ୍ପ ହାଉସ୍ରୁ ଦୁଇଟି ମୋଟର ଏବଂ ବିଦୁ୍ୟତ୍ ତାର ଓ ସରଞ୍ଜାମ ଚୋରି ହୋଇଯାଇଛି । ଆଜକୁ ସପ୍ତାହେ ହେଲାଣି ଏହି ଚୋରି ଯାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା ନ ହେବାରୁ ଲୋକେ ଜଳକଷ୍ଟ ଭୋଗୁଛନ୍ତି । ଗ୍ରାମରେ ଦୁଇଟି ନଳ କୂପ, ପୋଖରୀ ଓ କୂଅ ରହିଥିଲେ ମଧ୍ୟ ଗୋଟିଏ ହିଁ ନଳକୂପ କାର୍ଯ୍ୟ କରୁଛି । ତେଣୁ ପିଇବା ପାଣି ପାଇଁ ହା ହା କାର ସୃଷ୍ଟି ହୋଇଛି । ଯେଉଁ ସଚଳ ନଳକୂପ ରହିଛି, ସେହି ପାଖରେ ଗାଁର ମହିଳାମାନେ ପାଣି ଗରାଏ ପାଇଁ ରୁଣ୍ଡ ହେଉଥିଲେ ମଧ୍ୟ ଆବଶ୍ୟକ ପିଇବାକୁ ପାଣି ସଂଗ୍ରହ କରିପାରୁ ନାହାନ୍ତି । ତେଣୁ ଗାଁରେ ଥିବା ଏକ ପରିତ୍ୟକ୍ତ କୂଅକୁ ମୋଟର ଦ୍ୱାରା ସଫା କରାଯାଇ ସେଥିରୁ ପିଇବା ପାଣି ବନେ୍ଦାବସ୍ତ କରି ସେହି ବିଶୁଦ୍ଧ ପାଣି ଗାଁ ଲୋକ ନେଉଛନ୍ତି । ଶହ ଶହ ମହିଳାମାନେ ହାଣ୍ଡି, ମାଠିଆ, ଗରା ଧରି ପିଇବା  ପାଣି ଟୋପେ ପାଇଁ କୂଅ ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ବିଶୁଦ୍ଧ ପାଣିକୁ  ବ୍ୟବହାର କରିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । ସାତଦିନ ଧରି ପିଇବା ପାଣି ସକାଶେ ଗ୍ରାମବାସୀ କଲବଲ ହେଲେଣି । ପ୍ରଶାସନ ତୁରନ୍ତ ଏହାର ସମାଧାନ ନ କଲେ ରାଜ ରାସ୍ତାକୁ ଓହ୍ଲାଇବାର ଧମକ ଦେଇଛନ୍ତି ଗ୍ରାମବାସୀ । ପ୍ରକାଶଥାଉକି, ଗାଁ ମୁଣ୍ଡ ଦେଇ ପ୍ରବାହିତ ହେଉଥିବା ବଡ଼ନଦୀ ତଟରେ ପମ୍ପ ହାଉସ ରହିଥିବାବେଳେ ସେଠୁ  ଦୁର୍ବୃତ୍ତମାନେ ବିଦୁ୍ୟତ ତାର କାଟି ଦୁଇ ଗୋଟି ମୋଟର ଏବଂ ପାଇପ ସହ ବିଭିନ୍ନ ସରଞ୍ଜାମ ଚୋରି ଯାଇଥିଲା । ଏ ନେଇ ପୋଲିସରେ ଗ୍ରାମବାସୀ ମଧ୍ୟ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ତୁରନ୍ତ ପାନୀୟ ବ୍ୟବସ୍ଥା ସୁଧାରିବା ନିମନ୍ତେ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।