ତୀରନ୍ଦାଜ ପ୍ରତିଯୋଗିତା
ପୁରୀ : ଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍ରେ ତୃତୀୟ ଏନ୍ଟିପିସି ସର୍ବ ଭାରତୀୟ ର୍ୟାକିଂ ତୀରନ୍ଦାଜ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟଅତିଥି ସ୍ପୋର୍ଟସ ଡାଇରେକ୍ଟର ଦୀପଙ୍କର ମହାପାତ୍ର ଯୋଗଦାନ କରି କହିଥିଲେ ଯେ, ଆଗାମୀ ଦିନରେ ଏନ୍ଟିପିସି ଏବଂ ସ୍ପୋର୍ଟସ ଡିପାର୍ଟମେଣ୍ଟ ମଧ୍ୟରେ ଏକ ବୁଝାମଣା ହୋଇଛି । ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଳାରେ ଆରଚେରୀ ଟ୍ରେନିଂ ସେଣ୍ଟର ଖୋଲାଯିବ । ଓଡ଼ିଶାରେ ଆଗାମୀ ଦିନରେ ଆରଚେରୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତିବଦ୍ଧ । ଆସୋସିଏସ୍ନର ସଭାପତି ଗୋକୁଳ ଚନ୍ଦ୍ର ପତି ସରକାର ଏହି ପ୍ରତିଯୋଗିତା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଆସୋସିଏସନର ସମ୍ପାଦକ ସଂପୂର୍ଣ୍ଣାନନ୍ଦ ଦାସ ଏହି ର୍ୟାଙ୍କିଙ୍ଗ ପ୍ରତିଯୋଗିତାରେ ୩୭୬ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି ବୋଲି କହିଥିଲେ । ଏହି ପ୍ରତିଯୋଗିତା ୧୦ ଦିନ ଧରି ଚାଲିବ ଏବଂ ଆସନ୍ତା ୯ ତାରିଖରେ ଏହି ପ୍ରତିଯୋଗିତା ଉଦ୍ୟାପିତ ହେବ । ପ୍ରତିଯୋଗୀତାରେ ଅଲମ୍ପିୟାନ ଦୀପିକା କୁମାର, ଅତନୁ ଦାସ, ବି. ଧୀରଜ, ଜୟନ୍ତ ତାଲୁକଦାର ପ୍ରମୁଖ ଅଂଶଗ୍ରହଣ କରିଛନ୍ତି । ଏନ୍ଟିପିସି ରିଜିଓନାଲ ଡିରେକ୍ଟର ଅରିନ୍ଦମ ସିହ୍ନା ଉପସ୍ଥିତତ ଥିଲେ ।