ରକ୍ତଶିକୁଳି ପଞ୍ଝାରେ ୧୭୧୪ ଆକ୍ରାନ୍ତ
ନବରଙ୍ଗପୁର : ରକ୍ତଶିକୁଳି (ସିକଲସେଲ) ରୋଗ ପଞ୍ଝାରେ ଏବେ ପୂରା ଜିଲ୍ଲା । ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ଜିଲ୍ଲାର ୧୦ରୁ କୌଣସି ଗୋଟିଏ ବି ବ୍ଳକ ଏଥିରୁ ବାଦ୍ ପଡ଼ିନି । କୋଷାଗୁମୁଡ଼ା ବ୍ଳକରେ ସର୍ବାଧିକ ୩୦୪ ରୋଗୀ ରହିଛନ୍ତି । ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଯୋଗୁ ରୋଗ ବଢୁଥିବା ବେଳେ ଏଥିପାଇଁ ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ କୌଣସି ସଚେତନତାମୂଳକ ପଦକ୍ଷେପ ନିଆଯାଉନି । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବୃଦ୍ଧିଜୀବୀ । ୨୦୨୪-୨୫ରେ ଜିଲ୍ଲାରେ ୧ ଲକ୍ଷ ୮୧ ହଜାର ୪୬୯ ଜଣଙ୍କ ରକ୍ତନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୭୧୪ଜଣ ରକ୍ତ ଶିକୁଳିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ସର୍ବାଧିକ ୩୦୪ ରୋଗୀ ରହିଛନ୍ତି କୋଷାଗୁମୁଡା ବ୍ଲକରେ । ଦ୍ୱିତୀୟରେ ପାପଡାହାଣ୍ଡି ବ୍ଳକରେ ୨୪୯, ନବରଙ୍ଗପୁର ବ୍ଳକରେ ୨୪୩, ଚନ୍ଦାହାଣ୍ଡିରେ ୧୫୯, ରାଇଘର ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୫୧ ଜଣ ଲେଖାଏଁ ରୋଗୀ ରହିଛନ୍ତି । ଝରିଗାଁ ବ୍ଳକରେ ୧୮୨, ଉମରକୋଟ ବ୍ଳକରେ ୧୪୬, ଡାବୁଗାଁ ବ୍ଳକରେ ୬୮ ଓ ନନ୍ଦାହାଣ୍ଡି ବ୍ଳକରେ ୬୧ଜଣ ରୋଗୀ ଅଛନ୍ତି । ଡିପିଏଚ୍ ଡା. ନବକିଶୋର ବେହେରା କହିଛନ୍ତି, ରକ୍ତଶିକୁଳି ରୋଗ ହେଉଛି ଜେନେଟିକ୍ ବା ବଂଶଗତ । ଏହାର ମୂଳକାରଣ ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ । ବିବାହ ପୂର୍ବରୁ ମେଡିକାଲରେ ଉଭୟ ପୁଅ ଝିଅଙ୍କ ରକ୍ତ ନମୁନା ପରୀକ୍ଷା କରିବା ଜରୁରି । ସଚେତନତା ଅଭାବରୁ ଏହାକୁ ଅନେକ ଲୋକ ଗ୍ରହଣ କରୁନାହାନ୍ତି । ପରବର୍ତ୍ତୀ ସମୟରେ ରକ୍ତଶିକୁଳି ରୋଗରେ ପୂରା ପରିବାର ଓ ଆଗାମୀ ପିଢି ବିପଦକୁ ଠେଲି ହୋଇଯାଉଛନ୍ତି । ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।ରକ୍ତ ଶିକୁଳି ପଜେଟିଭି ରୋଗୀଙ୍କୁ ମାଗଣାରେ ରକ୍ତ ଦିଆଯିବା ସହ ଔଷଧ ପ୍ରଦାନ କରାଯାଉଛି । ଏଥି ସହ ଡାକ୍ତରଖାନାକୁ ଯାତାୟାତ ଖର୍ଚ୍ଚ ବାବଦକୁ ରୋଗୀଙ୍କୁ ମାସକୁ ୫୦୦ ଟଙ୍କା ପ୍ରଦାନ କରା ଯାଉଥିବା ଡା.ବେହେରା କହିଛନ୍ତି । କାଗଜ କଲମରେ ଏ ସବୁ ଚାଲୁଥିବା ବେଳେ ସଠିକ ରୂପାୟନ କିନ୍ତୁ ରୋଗୀଙ୍କ ପାଖରେ ପହଞ୍ଚି ପାରୁନଥିବା ଦେଖିବାକୁ ମିଳିଛି ।