ମୋଦି-ମୋହନ ‘ବିକଶିତ ଓଡ଼ିଶା’ ଆଲୋଚନା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିକଶିତ ଓଡ଼ିଶା ନେଇ ୩୫ ମିନିଟ୍ ଧରି ଫଳପ୍ରଦ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟ ଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଗସ୍ତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ସହିତ ଓଡ଼ିଶାର ବିକାଶ ନେଇ ଦୀର୍ଘ ୩୫ ମିନିଟ ଧରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଲୋଚନା ଫଳପ୍ରଦ ହେବା ସହିତ ଆଗାମୀ ଦିନରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ବିକାଶ କିପରି ତ୍ୱରାନ୍ୱିତ ହେବ ସେଥି ଉପରେ ପର୍ଯ୍ୟବସିତ ଥିଲା । ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ଭିଜନ ଡକୁମେଣ୍ଟ ପୁସ୍ତକ ପ୍ରଦାନ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦଳର ସଙ୍ଗଠନ ମନ୍ତ୍ରୀ ବିଏଲ ସନ୍ତୋଷଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ସାକ୍ଷାତ କରିଥିଲେ ।
ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଘଟଣାକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଦେବା ପରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଆଗାମୀ ଦିନରେ ଯେଭଳି କୌଣସି ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ନଘଟେ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟରୁ ଏମ୍ସ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏମ୍ସର ନିଦେ୍ର୍ଦଶକ ଏବଂ ଚିକିସôା କରୁଥିବା ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପା’ମାଙ୍କୁ ଭେଟି ସାନ୍ତ୍ୱନା ଦେବା ସହିତ ସ୍ୱାସ୍ଥ୍ୟବସ୍ଥାରେ ଟିକେ ଉନ୍ନତି ଆସିଲେ ଆବଶ୍ୟକ ହେଲେ ବିମାନ ଯୋଗେ ଛାତ୍ରୀଜଣଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।