୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ : ୧୭ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସଂଲଗ୍ନ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୧୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଅପରପକ୍ଷରେ ଆସନ୍ତାକାଲି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗର ଉପରେ ରହିଛି । ଯାହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ସେହିପରି ପୂର୍ବ ରାଜସ୍ଥାନର ମଧ୍ୟଭାଗରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଥିବା ଘୂର୍ଣ୍ଣିବଳୟ ମୌସୁମୀ ଟ୍ରଫ ସହିତ ମିଶିଯାଇଛି । ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଟକା ପବନର ବେଗ ୩୦ରୁ ୪୦ କିମି ବେଗରେ ବହିବା ସହ ବଜ୍ରପାତ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ଏହାଛଡ଼ା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ଦେବଗଡ଼, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ । ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତିରେ ୩୦ରୁ ୪୦ କିମି ବେଗରେ ଝଟକା ପବନ ସହ ବଜ୍ରପାତର ସମ୍ଭାବନା ଅଛି ।
...