ମୋବାଇଲ ଲୁଟେରା ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଜଣେ ଯୁବକଙ୍କ ଠାରୁ ମୋବାଇଲ ଓ ଆଧାରକାର୍ଡ ଲୁଟିନେବା ଘଟଣାରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗ୍ରାମର କାଳିଆ ଗୌଡ (୨୧) । ଗିରଫ ଯୁବକଙ୍କ ଠାରୁ ଲୁଟ୍ ହୋଇଥିବା ମୋବାଇଲ ଫୋନ୍ ଓ ଆଧାର କାର୍ଡକୁ ପୁଲିସ ଜବତ କରିଛି । ପ୍ରକାଶ ଯେ, ହିଞ୍ଜିଳି ଥାନା ପଥରପୁଞ୍ଜି ଗ୍ରାମର ଅନାଦି ଗୌଡ ଓ ତାଙ୍କ ବାପା ବାଇକ୍ ଯୋଗେ ପୁରୀ ଠାରୁ ଗ୍ରାମକୁ ଫେରୁଥିଲେ । ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଗ୍ରାମର କାଳିଆ ଗୌଡ ଓ କ୍ରିଷ୍ଣା ରେଡ୍ଡୀ ଦୁହେଁ ବାଇକ୍ ଯୋଗେ ହିଞ୍ଜିଳିକାଟୁ ଠାରୁ ଗ୍ରାମକୁ ଫେରୁଥିଲେ । ହିଞ୍ଜିଳି ଥାନା ପୋଚିଲିମା - ସାରୁ ମଧ୍ୟବର୍ତ୍ତୀ ରାସ୍ତାରେ ଅନାଦି ଓ କାଳିଆ ଉଭୟଙ୍କ ମୋଟର ସାଇକେଲ ସହ ଧକ୍କା ଘଟିଥିଲା । ଘଟଣାସ୍ଥଳରେ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା । ପରେ କାଳିଆ ଓ କ୍ରୀଷ୍ଣା ମିଶି ଅନାଦିଙ୍କ ମୋବାଇଲ ଫୋନ୍ ଓ ଆଧାର କାର୍ଡ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଥାନା ଏସଆଇ ରଶ୍ମି ରଞ୍ଜନ ସାମଲ ଘଟଣାର ତଦନ୍ତ ଚଳାଇଥିଲେ । ମୋବାଇଲ ଫୋନ୍ ଆଇଏମଆଇ ନମ୍ବର ଟ୍ରାକିଂ କରି କାଳିଆଙ୍କୁ ଗିରଫ କରିବା ବେଳେ ସହଯୋଗୀ କ୍ରିଷ୍ଣା ଫେରାର ଅଛନ୍ତି । ଯଥାଶୀଘ୍ର ସହଯୋଗୀ କ୍ରୀଷ୍ଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।