ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦ୍ୟାପିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ କେଉଟବାଡ଼ ପକ୍ଷରୁ ମହାଆଡମ୍ବର ସହକାରେ ଉଦ୍ୟାପିତ ହୋଇଯାଇଛି । ଯାତ୍ରା ସକାଶେ ÿ ତୋରଣ, ରଙ୍ଗ ବେରଙ୍ଗର ବାନାମାଳ ସହ ଅଲୋକମାଳାରେ ସହର ଝଲସି ଉଠିଥିଲା । ପ୍ରଥମ ୨ ଦିନ ଭଳି ଅନ୍ତିମ ଦିବସରେ ପ୍ରାତଃରୁ ମାନସିକଧାରୀ ବହୁ ଶ୍ରଦ୍ଧାଳୁ କୃଷ୍ଣ, ବଳରାମ, ରାମ, ସୀତା, ହନୁମାନ, ବାଘ- ବାଘୁଣି, ଡାହାଣି, ଅସୁରୁଣି, ବାଘ, କାଚରା, ଖଟବିଦ୍ୟା, ମେହେନ୍ତର, କୁଷ୍ଠରୋଗୀ, ଦଣ୍ଡନାଚ ସମେତ ବିଭିନ୍ନ ଦଳଗତ ବେଶ ଭୁଷାରେ ଆବରଣ ହୋଇ ଗ୍ରାମ ପରିକ୍ରମା କରିଥିଲେ । ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳରୁ ହଜାର ହଜାର ଭକ୍ତ, ଦର୍ଶନାର୍ଥୀ ଓ ଯାତ୍ରାପ୍ରେମୀଙ୍କ ପ୍ରାତଃରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ପ୍ରବଳ ଭିଡ ଜମି ରହିଥିିଲା । ବିଶେଷତଃ ସନ୍ଧ୍ୟା ପର ଠାରୁ ସହରର ବିଭିନ୍ନ ସାହି ବସ୍ତିରେ ସ୍ଥାପନ କରାଯାଇଥିବା ଆକର୍ଷଣୀୟ କଳାକୁଞ୍ଜ ସ୍ଥଳରେ ପ୍ରବଳ ଜନସମାଗମ ହୋଇଥିଲା । ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ରାଜା ସାହିରେ ବୀର ଇନ୍ଦ୍ରଜିତ ରଥ, ଦେଓଘର ସାହିରେ ବୀର ଅର୍ଜୁନ ରଥ,ଶ୍ରୀ ଜଗନ୍ନାଥ ରଥ ସମେତ ବଳି ରାଜାଙ୍କ ୩ ପାଦ ଭୂମି ପ୍ରଦାନ, ବାହୁବଳୀ ଓ ମୋଟୁ ପତଲୁ କଳାକୁଞ୍ଜ ସ୍ଥାପନ କରାଯାଇଥିଲ । ସେହିପରି କେଉଟ ସାହିରେ ଗରୁଡ ରୂଢ ବିଷ୍ଣ, କାମଧେନୁ ଗାଇ, କୈଳାସ ପର୍ବତରେ ଭଗବାନ ଶିବଙ୍କ ତପସ୍ୟା, ନାରାୟଣଙ୍କ ଅନନ୍ତ ଶୟନ, ଢେଙ୍କିଶାଳ କଳାକୁଞ୍ଜ ସମେତ ଜଗନ୍ନାଥ ରଥ ରହିଥିଲା । ଥାନା ସାହିରେ ବୀର ପର୍ଶୁରାମ, ଦାନ ବୀର ହରିଶ୍ଚନ୍ଦ୍ର, କଳାକୁଞ୍ଜ ସ୍ଥାପନ କରାଯାଇଥିବା ବେଳେ ବଡ ରଙ୍ଗଣି ସାହିରେ ଅଗ୍ରଜ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ରାଧାକୃଷ୍ଣ ଝୁଲଣ, ବୀର ହନୁମାନ କଳାକୁଞ୍ଜ ସମେତ ଜଗନ୍ନାଥ ରଥକୁ ଆମନ୍ତ୍ରିତ କରାଯାଇଥିଲା । ଭକ୍ତମାନଙ୍କୁ ପାନୀୟ ଜଳ ଯୋଗାଣ ସକାଶେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଅସମ୍ଭାଳ ଭିଡ଼କୁ ଆଖି ଆଗରେ ରଖି ଆଇନଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ସକାଶେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ବିଳମ୍ବିତ ରାତ୍ରରେ କେଉଟବାଡ ପକ୍ଷରୁ ହିଞ୍ଜିିଳିକାଟୁ ପ୍ରସିଦ୍ଧ ବାଣ ଯାତ୍ରା ରାଜବାଟି ସମ୍ମୁଖରେ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା । ବାଣଯାତ୍ରା ପରିସମାପ୍ତି ପରେ ସ୍ଥାନୀୟ ସହରର ଇଷ୍ଟଦେବ ଶ୍ରୀ ଶ୍ରୀଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା, ଘଣ୍ଟ, ମହୁରୀ, ଶଙ୍ଖର ତାଳେ ତାଳେ ବିଭିନ୍ନ ରକମର ମନୁଷ୍ୟକୃତ ପଶୁନୃତ୍ୟ ଯଥା ବାଘ, ହାତୀ, ଘୋଡା, ରାଜା ରାଣୀ ଆଦି ବେଶରେ ସୁସଜ୍ଜିତ ପଟୁଆରରେ ବିମାନ ଯୋଗେ ନଗର ପରିକ୍ରମା କରାଯାଇଥିଲା ।