ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ବିକାଶର ଗତି ବଢ଼ାଅ’


 ନୂଆଦିଲ୍ଲୀ : ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବା ପାଇଁ ବିକାଶର ଗତି ବଢ଼ାଅ । ପ୍ରତି ରାଜ୍ୟରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି କର  । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଥିଲେଯେ, ପ୍ରତି ରାଜ୍ୟରେ ଅତିକମ୍ରେ ଗୋଟିଏ ସ୍ଥାନରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା ହେବା ଦରକାର । ‘ୱାନ ଷ୍ଟେଟ୍-ୱାନ୍ ଗ୍ଳୋବାଲ ଡେଷ୍ଟିନେସନ୍’ ପ୍ରତିଷ୍ଠା ହେଉ  । ଯାହାଫଳରେ ପଡ଼ୋଶୀ ସହର ବି ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହୋଇପାରିବ  । ବିକଶିତ ଭାରତ ଉପରେ ମୋଦି ଗୁରୁତ୍ୱାରୋପ କରିବା ସହ ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ  । ଭବିଷ୍ୟତକୁ ଆଖିଆଗରେ ରଖି ‘ଅଭିବୃଦ୍ଧି, ଉଦ୍ଭାବନ, ଚିରସ୍ଥାୟୀ’ ମନ୍ତ୍ର ଆଧାରରେ ସହରକୁ ବିକଶିତ କରିବା ପାଇଁ ମୋଦି କହିଥିଲେ  । ବିକଶିତ ଭାରତ ପାଇଁ ସବୁ ରାଜ୍ୟ ବିକଶିତ, ସବୁ ସହର ବିକଶିତ, ସବୁ ନଗର ପାଳିକା ବିକଶିତ ଓ ସବୁ ଗାଁ ବିକଶିତ ହେବା ଦରକାର ।  ଏଭଳି ଲକ୍ଷ୍ୟ ନେଇ କାମ କଲେ ବିକଶିତ ଭାରତ ପାଇଁ ୨୦୪୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି  । ସେହିପରି ମହିଳା ଅନ୍ତର୍ଭୁକ୍ତିକରଣ ଉପରେ ବି ସେ ଗୁରୁତ୍ୱାରୋପ କରିଛନ୍ତି  । ମହିଳାମାନେ ସମ୍ମାନର ସହ କାମ କରିବା ପାଇଁ ନୀତି ଓ ଆଇନ୍ ପ୍ରଣୟନ କରିବାକୁ ସେ କହିଛନ୍ତି । ଆଜିର ଏହି ନୀତି ଆୟୋଗ ବୈଠକରେ ପୁଡ଼ୁଚେରୀ, କର୍ଣ୍ଣାଟକ ଓ କେରଳର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇନଥିଲେ  । ତେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନାଥ ରେଡ୍ଡୀ ଉପସ୍ଥିତ ଥିଲେ  । ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ଯୋଗ ଦେଇଥିଲେ  ।