ମ୍ୟାଚ୍ ପୂର୍ବରୁ ଆକାଶଙ୍କୁ କ୍ୟାନସର ପୀଡ଼ିତା ଭଉଣୀଙ୍କ ପରାମର୍ଶ : ମୋ ପାଇଁ ନୁହଁ, ଦେଶ ପାଇଁ ଚିନ୍ତା କର
ନୂଆଦିଲ୍ଲୀ: ବର୍ମିଂହାମ୍ରେ ତେନ୍ଦୁଲକର-ଆଣ୍ଡର୍ସନ୍ ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ୧୦ ୱିକେଟ୍ ନେଇ ଏବେ ଟେଷ୍ଟ ହିରୋ ପାଲଟିଛନ୍ତି ଭାରତୀୟ ପେସର୍ ଆକାଶଦୀପ । ପ୍ରଥମ ଇନିଂସ୍ରେ ୪ଟି ଏବଂ ଦ୍ୱିତୀୟ ଇଂନିସ୍ରେ ୬ଟି ୱିକେଟ୍ ନେଇ କ୍ରିକେଟ୍ ପ୍ରେମୀଙ୍କ ଆସ୍ଥାଭାଜନ ହୋଇଛନ୍ତି । ଭାରତ ଆଜି ବିଶେଷ ଭାବେ ତାଙ୍କରି ଘାତକ ବୋଲିଂ ପାଇଁ ୧-୧ ସିରିଜ୍ ବଜାୟ ରଖିଛି । ସବୁ ମହଲରୁ ଏବେ ସେ ପ୍ରଶଂସା ସାଉଁଟୁଥିବା ବେଳେ ଏହାର ସବୁତକ ଶ୍ରେୟ ସେ କର୍କଟ ପୀଡ଼ିତା ତାଙ୍କ ଭଉଣୀକୁ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏକ ସାକ୍ଷାତକାରରେ ତାଙ୍କ ଭଉଣୀ ଜ୍ୟୋତି କହିଛନ୍ତି, ଇଂଲଣ୍ଡ ଟୁର୍ ଆଗରୁ ସେ ଆକାଶକୁ ଧୈର୍ଯ୍ୟର ସହ ମନ ସ୍ଥିର ରଖି ଖେଳିବାକୁ କହିଥିଲେ । ଏହାସହ ମୋ ସ୍ୱାସ୍ଥ୍ୟପାଇଁ ଆଦୌ ଚିନ୍ତା ନ କରି ଦେଶର ମାନ ରଖିବାକୁ କହିଥିଲେ । ଆଜି ଆକାଶ ଦୀପଙ୍କ ପ୍ରଦର୍ଶନରେ ଜ୍ୟୋତି ଗଭୀର ଖୁସିବ୍ୟକ୍ତ କରିବା ସହ ଦେଶ ସହିତ ଆଜି ଆମ ପରିବାରରେ ମଧ୍ୟ ସେ ଖୁସି ଆଣିଦେଇଛି ବୋଲି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ।
ଜ୍ୟୋତି ଆହୁରି କହିଛନ୍ତି, ଇଂଲଣ୍ଡ ଟୁର୍ ଲାଗି ଆକାଶକୁ ଆମେ ସପରିବାର ଏୟାରପୋର୍ଟ ଛାଡ଼ିବାକୁ ଯାଇଥିଲୁ । ସେଠାରେ ମୁଁ ତାଙ୍କୁ କହିଥିଲି, ମୁଁ କ୍ୟାନ୍ସର୍ର ଥାର୍ଡ ଷ୍ଟେଜ୍ରେ ଥିଲେ ମଧ୍ୟ ଆହୁରି ୬ ମାସ ଅଧିକ ପର୍ଯ୍ୟନ୍ତ ମୋର ଚିକିତ୍ସା ଜାରି ରହିବ । ଏଣୁ ତା’ ପୂର୍ବରୁ ଖେଳରେ ଉତ୍ତମ ପ୍ରଦର୍ଶନ କରି ପରିବାରକୁ ତଥା ଦେଶକୁ ଗର୍ବିତ କରିବା ଜରୁରୀ । ଆଉ ମୋ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ନ କରି ଖେଳରେ ଏକାଗ୍ରତା ଆଣିବାକୁ କହିଥିଲି । ଆଜି ଭାରତ ବିଜୟ ପରେ ଆକାଶଙ୍କ ପ୍ରଦର୍ଶନକୁ ନେଇ ଯେଉଁ ପ୍ରଶଂସା ହେଉଛି ତାହାକୁ ନେଇ ସତରେ ଖୁବ୍ ଗର୍ବ ଲାଗୁଛି । ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ଆକାଶଙ୍କ ପ୍ରଦର୍ଶନ ଏଭଳି ଉଚ୍ଚକୋଟୀର ହେବ ବୋଲି । ସେହିପରି ଜ୍ୟୋତି କହିଛନ୍ତି ମୋତେ କର୍କଟ ହୋଇଛି ବୋଲି ମୁଁ କାହାକୁ ଜଣାଇବାକୁ ଚାହୁଁ ନ ଥିଲି । କିନ୍ତୁ ବିଜୟ ପରେ ଆକାଶ ଭାବପ୍ରବଣ ହୋଇ ଦୁନିଆ ଆଗରେ ଯେପରି ସବୁତକ ଶ୍ରେୟ ମୋତେ ଦେଇଛନ୍ତି, ତେଣୁ ବାଧ୍ୟ ହୋଇ ଆଜି ମୁଁ କର୍କଟ ରୋଗ ବିଷୟରେ ଜଣାଇଲି ।