ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ରାୟଗଡ଼ା : ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଷମକଟକ ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦ୍ଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧିକାରୀ ସ୍ୱାତୀ ଏସ୍ କୁମାର, ବନଖଣ୍ଡିୟ ଅଧିକାରୀ ସଚିନ ଆନ୍ନା ସାହେବ, ଗୁଣପୁର ଉପଜିଲ୍ଲାପାଳ କିରନଦୀପ କୌର ସହତା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷଯ ଖମୁଣ୍ଡୁ, ପ୍ରକଳ୍ପ ପ୍ରଶାସକ ଅଜୟ ପ୍ରଧାନ, ଜିଲ୍ଲା ସ୍ୱାସ୍ଥ୍ୟ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଲଳିତ ମୋହନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆୟୋଜିତ ଏହି ମୋଟ ୩୯ଟି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ୩୫ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୪ଗୋଟି ସାମୂହିକ ଅଭିଯୋଗ ଥିଲା । ବିଶେଷ କରି ସ୍ୱାସ୍ଥ୍ୟଗତ ସମସ୍ୟା, ଜମିଜମା, ପାରିବାରିକ ସମସ୍ୟା, ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଓ ବିଦୁ୍ୟତ ଯୋଗାଣ, ପିଡ଼ିଏସ ଯୋଗାଣ ଆଦି ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଅଭିଯୋଗ ପାଇବାପରେ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଷମକଟକ ଶିବ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ ପରିଚାଳନା କରିଥିଲେ ।