ଧୂଳିଗଡ ଦେଖିବ ଶଳା ଭିଣୋଇ ପତିଆରା ଲଢେଇ
ଯାଜପୁର/ଯଖପୁରା,୨୦ା୫: ମୁଣ୍ଡ ଉପରେ ନିର୍ବାଚନ । ନିର୍ବାଚନ ବୈତରଣୀ ପାରି ହେବାକୁ ପ୍ରାର୍ଥୀ ପ୍ରତି ସମୟରେ କରୁଛନ୍ତି ରଣନୀତି । କିଏ ପ୍ରତିପକ୍ଷ ଦଳର ଟାଣୁଆ କର୍ମୀଙ୍କୁ ତ କିଏ କାର୍ଯ୍ୟକର୍ତାଙ୍କୁ ନିଜ ଦଳକୁ ଆଣିବାର ଗୋଟି ଚାଳନା କରୁଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏହା ଅଧିକରୁ ଅଧିକ ଦେଖିବାକୁ ମିଳିଛି । ଏଠି ପ୍ରତ୍ୟେକ ଦିନ ବିଜେଡ଼ି-ବିଜେପିର ଚାଲିଛି ମିଶ୍ରଣ ପର୍ବ । ବିଜେଡ଼ି ଗଡ଼ ସୁକିନ୍ଦାରେ ପଦ୍ମ ଫୁଟାଇବାକୁ ବିଜେପି ମିଶ୍ରଣ ପର୍ବ ରଣନୀତିକୁ ବିଶେଷ ଆପଣାଇଛି ।
ବିଜେଡ଼ି-କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା, କର୍ମୀଙ୍କୁ ଦଳରେ ମିଶାଯାଉଛି । ବିଜେଡ଼ି ମଧ୍ୟ କୈାଣସି ପ୍ରକାର ପଛରେ ପଡ଼ିବାକୁ ଚାହିଁନି । ବିଜେଡ଼ିରେ ମଧ୍ୟ ଦୈନିକ ଚାଲିଛି ମିଶ୍ରଣ ପର୍ବ । ପଞ୍ଚାୟତରୁ ପଞ୍ଚାୟତ ନେତାକର୍ମୀ ମିଶ୍ରଣପର୍ବ ଭିତରେ ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତ ଯୁବ ନେତା ପବିତ୍ର ଜେନାମଣି ବିଜେପିରେ ଯୋଗ ଦେବାପରେ ସାଧାରଣ ନିର୍ବାଚନରେ ପଞ୍ଚାୟତବାସୀ ଶଳା-ଭିଣୋଇର ପତିଆରା ଲଢେଇ ଦେଖିବାକୁ ପାଇବେ ବୋଲି ରାଜନୈତିକ ଖଟିରେ ଜୋରଦାର ଚର୍ଚ୍ଚା ହେଉଛି । ଶଳା ରୁୂଦ୍ର ବିଜେଡ଼ି ଦଳର ଜଣେ ଯୁବ ଚେହେରା । ଭିଣୋଇ ପବିତ୍ର ଜେନାମଣି ବିଜେପି ଯୁବ ନେତା । ଧୂଳିଗଡ଼ ପଞ୍ଚାୟତରେ ଉଭୟଙ୍କ ଦବଦବା ରହିଛି । ଭିଣୋଇ ପବିତ୍ର କଂଗ୍ରେସ ହାତଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । କିନ୍ତୁ ନିକଟରେ ସେ ବିଜେଡ଼ି ଛାଡ଼ି ବିଜେପିରେ ହୋଇଛନ୍ତି ସାମିଲ । ଦଳ ତାଙ୍କୁ ସଠିକ୍ ଭାବରେ ଉପଯୋଗ ନ କରିବାରୁ ସେ ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ପବିତ୍ର ବିଜେପିକୁ ଯିବା ପରେ ଧୂଳିଗଡ଼ ପଞ୍ଚାୟତରେ ଆଲୋଚନା ହେଉଛି ନିର୍ବାଚନରେ ଶଳା-ଭିଣୋଇଙ୍କ ପତିଆରା ଲଢେଇ ଦେଖିବାକୁ ମିଳିବ । କାରଣ ପବିତ୍ର ଜେନାମଣି ହେଉଛନ୍ତି ସେହି ଧୂଳିଗଡ ପଞ୍ଚାୟତର ବିଜେଡି ଯୁବ ନେତା ରୁଦ୍ରଙ୍କ ଭିଣୋଇ । ଯେହେତୁ ରୁଦ୍ର ବିଜେଡିର ଆଗଧାଡିର ନେତା ତେଣୁ ଏହାକୁ ନେଇ ରାଜନୀତି ବେଶ୍ ହେଉଥିବାର ଦେଖିବାକୁ ମିଳୁଛି । ଦେଖିବାକୁ ଗଲେ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବାବେଳେ ଧୂଲିଗଡ ପଞ୍ଚାୟତରେ ଶଳା ଭିଣୋଇଙ୍କ ଲଢେଇ ଦେଖିବାକୁ ମିଳିବ । ଯାହା ଏକ ରୋଚକ ମୋଡରେ ରହିଛି । ଦାନଗଦୀ ରାଜନୀତିରେ ପବିତ୍ର ଜେନାମଣିଙ୍କ ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ରୁଦ୍ର ମଧ୍ୟ ପଛରେ ନାହାନ୍ତି । ଆଗାମୀ ନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଧୂଳିଗଡ଼ ପଞ୍ଚାୟତରେ ଜୋରଦାର ହେବାକୁ ଯାଉଛି । ସମୟ କହିବ ଏହି ରାଜନୀତି ଲଢେଇରେ ଶଳା ରୁଦ୍ରର ଜିତ୍ ହେଉଛି ନା ଭିଣୋଇ ପବିତ୍ର ଜେନାମଣିଙ୍କ ବିଜୟ । ଜୁନ ୧ତାରିଖ ହେବାକୁ ଯାଉଥିବା ଭୋଟରେ ଧୂଳିଗଡ ପଞ୍ଚାୟତରୁ ଉଭୟ ଉଭୟ ଦଳ ବା ବିଜେପି-ବିଜେଡିକୁ ଅଧିକ ଭୋଟ ମିଳିବ ସେଥିପାଇଁ ଦିନରାତିକୁ ଏକ କରିଦେବେ । ଦାନଗଦୀ ବ୍ଲକ୍ରେ ଏହି ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଛି । ହେଲେ ଧୂଳିଗଡ଼ରେ ବିଜେପିର ସମର୍ଥକ ଅଧିକ ରହିଥିବା ଗଲା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିିଥିଲା । ଆଉ ଯେଉଁ ନିର୍ବାଚନ ବେଳେ ଉଭୟ ରୁଦ୍ର ଓ ପବିତ୍ର ଏକାଠି ବିିଜେଡ଼ିରେ ରହିଥିଲେ । ହେଲେ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ପଛକୁ ଠେଲି ଦେଇଥିଲା ବିଜେପି । ଧୂଳିଗଡ ପଞ୍ଚାୟତରେ ଉଭୟ ସରପଞ୍ଚ ଓ ସମିତିସଭ୍ୟା ବିଜେପି ପାର୍ଟିରୁ ଜିତିଥିବା ବେଳେ ଜିଲାପରିଷଦ ସଭ୍ୟା ପଞ୍ଚାୟତରୁ ଅଧିକ ଭୋଟ ପାଇଥିଲେ । ପଞ୍ଚାୟତରୁ ବିଜେପିର ଜିଲା ପରିଷଦ ପ୍ରାର୍ଥୀ ସୁନାମଣି ସଏଙ୍କୁ ୧୫୭୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଟିନା ହାଇବ୍ରୁଙ୍କୁ ୧୩୯୮ ଖଣ୍ଡ ଭୋଟ ମିଳିଥିଲା । ଅତଏବ ବିଜେପି ଏହି ପଞ୍ଚାୟତରେ ସର୍ବାଧିକ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା । ଯେତେ ବେଳେ କି ଉଭୟ ରୁଦ୍ର ଓ ପବିତ୍ର ବିଜେଡ଼ି ପାଇଁ କାର୍ଯ୍ୟ କରୁଥିଲେ । ଏହାରି ଭିତରେ ପବିତ୍ର ବିଜେଡିକୁ ବାଏ ବାଏ କରି ବିଜେପିରେ ସାମିଲ ହୋଇଛନ୍ତି । ଫଳରେ ବିଜେପି ଏହି ପଞ୍ଚାୟତରେ ଶକ୍ତିଶାଳୀ ହୋଇଥିବା ବେଳେ ବିଜେଡି ଯୁବନେତା ରୁଦ୍ର ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଯୁବନେତା ରୁଦ୍ର ନିଜର ଦବଦବା ଫଳରେ ଜଣେ ସଫଳ ରାଜନେତା ସହିତ ଠିକାଦାର ହୋଇପାରିଛନ୍ତି । ତାଙ୍କର ଠିକାଦାର ପାଇଁ ଅନେକ ସମୟରେ ସ୍ଥାନୀୟ ଅଞ୍ଚଳର ଅନେକ ବିରୋଧ କରିବାର ନଜିର ରହିଛି । ମାନପୁର୍ ରେଲୱେ ସାଇଡିଂରେ ଅଲୋଡ଼ିଂର ଠିକାଦାରି ପାଇଁ ରୁଦ୍ରକୁ କାର୍ଯ୍ୟାଦେଶ ମିଳିଛି । ଫଳରେ ରେଲୱେ ଅଲୋଡିଂରୁ ପ୍ରତିଦିନ ହଜାର ହଜାର ଟଙ୍କାର ଲାଭମିଳୁଛି । ଯେଉଁ କାର୍ଯ୍ୟକୁ ବିରୋଧ କରି ମାନପୁର୍ ଗ୍ରାମର ମଦନ ସାହୁ ଅସନ୍ତୋଷରେ ଥିଲେ । ଫଳରେ ନିର୍ବାଚନର ସୁଯୋଗ ଦେଖି ମଦନ ନିଜର ସମର୍ଥକଙ୍କୁ ସାଙ୍ଗରେ ନେଇ ବିଜେପିରେ ଯୋଗ ଦେଇଛନ୍ତି । ଯାହା ଏହି ଠିକାଦାରିକୁ ନେଇ ହୋଇଛି ବୋଲି ଆଲୋଚନା ହୁଏ । ଦେଖିବାକୁ ଗଲେ ବର୍ତମାନ ବିଜେଡି ଯୁବ ନେତା ରୁଦ୍ର ପାଇଁ ଧୂଳିଗଡ ପଞ୍ଚାୟତରେ ବିଜେଡି ଭୋଟ ବ୍ୟାଙ୍କ୍ କିପରି ରହୁଛି ତାହା ଚାଲେଞ୍ଜ ସୃଷ୍ଟି କରିଛି । ଧୂଳିଗଡ ପଞ୍ଚାୟତରେ କାହାର ପଲ୍ଲା ଭାରି ରହୁଛି ତାହାତ ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡ଼ିଯିବ । କିନ୍ତୁ ଶଳା ବିଜେଡି ନେତା ରୁଦ୍ର ଓ ଭିଣୋଇ ବିଜେପି ନେତା ପବିତ୍ର ଦଳପାଇଁ ଭୋଟ ଯୋଗାଡ଼ ଲଢେଇ ବେଶ୍ ରୋଚକ ହେବ ଏହାକୁ ଅସ୍ୱିକାର କରାଯାଇପାରେ ନା । ଏଠାରେ ସୂଚନା ଥାଉକି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଦାନଗଦୀ ବ୍ଲକ୍ ରାଜନୀତି ଦୃଷ୍ଟି କୋଣରୁ ଗୁରୁତ୍ୱ ବହନ କରେ । ଦାନଗଦୀ ବ୍ଲକ୍ଟି ତିନୋଟି ଜିଲା ପରିଷଦ ଜୋନ ଓ ମୋଟ ଉପରେ ୨୩ ଗୋଟି ପଞ୍ଚାୟତକୁ ନେଇ ଗଠିତ । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦନଗଦୀ ବ୍ଲକରେ ଅନେକ ଶିଳ୍ପାଞ୍ଚଳ ରହିଛି । ତେଣୁ ଶିଳ୍ପାଞ୍ଚଳକୁ ନେଇ ଦାନଗଦୀରେ ଅନେକ ସମୟରେ ରାଜନୀତି ହୁଏ । ଦାନଗଦୀ ବ୍ଲକ୍ର ଅନେକ ଆଗଧାଡିର ନେତା ସୁକିନ୍ଦା ରାଜନୀତିକୁ ପ୍ରଭାବିତ କରନ୍ତି । ଯେହେତୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ହେର୍ଡକ୍ୱାର୍ଟର ଦାନଗଦୀ ରହୁଛି ତେଣୁ ଏଠାରେ ବିଭିନ୍ନ ରାଜନୀତି ଦଳର ପତିଆରା ଲଢେଇ ଦେଖିବାକୁ ମିଳେ । ଅଶୀ ଦଶକର ଦାନଗଦୀ ବ୍ଲକ୍ କଂଗ୍ରେସ ଦଳ ଅଧିନରେ ରହୁଥିଲା । କିନ୍ତୁ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଆଗମନ ପରେ କଂଗ୍ରେସ ଏଠି ଛତ୍ର ଭଙ୍ଗ ଦେଇଥିଲା ଆଉ ପ୍ରଫୁଲ୍ଲ ଘଡାଇ ଯୁଗ ଆରମ୍ଭ ହୋଇଥିଲା । ଦାନଗଦୀ ବ୍ଲକ୍ରେ ଧୂଳିଗଡ ପଞ୍ଚାୟତର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସେହି ପଞ୍ଚାୟତଟି ଏକଦା କଂଗ୍ରେସର ଗଡ ଭାବେ ରହିଆସିଥିଲା । କାରଣ ଏହି ପଞ୍ଚାୟତରେ ବରିଷ୍ଟ କଂଗ୍ରେସ ନେତା ପବିତ୍ର ନିଜର ଦବଦବା ରଖିଆସୁଥିଲେ । ମାତ୍ର ଓଡ଼ିଶା କଂଗ୍ରେସର ଦଶା ଦିନକୁ ଦିନ ନିମ୍ନଗାମୀ ହେବା ଫଳରେ ପବିତ୍ର କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ଥିଲେ ।