ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଠକେଇ
ନିଶ୍ଚିନ୍ତକୋଇଲି : କିଛି ଦିନ ହେବ ଅନ୍ଲାଇନ୍ରେ ହିୟୁଜ ଇଣ୍ଡିଆ ନାମକ ଏକ ୱେବ୍ ସାଇଡ୍ରେ ଟଙ୍କା ଜମା ରଖିଲେ ତାହା କମ୍ ଦିନ ମଧ୍ୟରେ ଅଧିକ ମିଳିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇ ଏଥିରେ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଯୁବଗୋଷ୍ଠୀଙ୍କୁ ଏଥିରେ ଯୋଡାଯାଇଥିଲା । ଅଳ୍ପକିଛି ଦିନ କିଛି କିଛି ଜମାକାରୀଙ୍କୁ କମ୍ପାନୀ ପକ୍ଷରୁ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଏଥିପ୍ରତି ଆକୃଷ୍ଟ ହୋଇ ଅଧିକରୁ ଅଧିକ ଯୁବଗୋଷ୍ଠୀ ଏହି ସଂସ୍ଥାରେ ଅର୍ଥ ଜମା କରିଥିଲେ । ସଂସ୍ଥା ପକ୍ଷରୁ ନିଶ୍ଚିନ୍ତକୋଇଲି ବଜାରରେ ବ୍ୟବସାୟ କରୁଥିବା ଜନୈକ ବ୍ୟକ୍ତି ନିଜକୁ ଏହି ସଂସ୍ଥାର ଆଂଚଳିକ ପରିଚାଳକ ବୋଲି ପରିଚୟ ଦେଇ ନିଶ୍ଚିନ୍ତକୋଇଲି ଅଂଚଳର ବହୁ ଯୁବଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଇଥିଲେ । ସଂପୃକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାକେଶ ପାତ୍ର(ଦିପୁ) । ଜଣେ ବ୍ୟକ୍ତି ୧୬୫୦୦ ଟଙ୍କା ପଇଠ କଲେ ଦୈନିକ ୬୧୫ଟଙ୍କା ଜମାକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ । ପ୍ରତି ସପ୍ତାହର ଗୁରୁବାର ଦିନ ଜମାକରୀ ଟଙ୍କା ଉଠାଇ ପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା । ଏହି ସଂସ୍ଥାରେ ଶ୍ରୀ ପାତ୍ରଙ୍କ ଜରିଆରେ ନିଶ୍ଚିନ୍ତକୋଇଲି ଅଂଚଳର ଯୁବକ ସତ୍ୟଜିତ୍ ମହାପାତ୍ର୧୬୫୦୦ ଟଙ୍କା ପଇଠ କରିଥିଲେ । କେବଳ ସତ୍ୟଜିତ୍ ନୁହଁନ୍ତି ଏ ଅଂଚଳର ହଜାର ହଜାର ବ୍ୟକ୍ତି ସଂପୃକ୍ତ ସଂସ୍ଥାରେ ଅର୍ଥ ପଇଠ କରିଥିବା ସୂଚନା ମିଳିଛି । ୱେବ୍ ସାଇଡ୍ ଆକାଉଣ୍ଟରୁ ପ୍ରତି ସପ୍ତାହର ଗୁରୁବାର ଦିନ ଟଙ୍କା ଉଠାଣ ହୋଇ ପାରିବ ବୋଲି ଆଂଚଳିକ ପରିଚାଳକ ଦେଇଥିବା ପ୍ରତିଶ୍ରୁତି ମୁତାବକ ଜମାକାରୀ ଗତ ୧୪ ତାରିଖ ଗୁରୁବାର ଦିନ ଟଙ୍କା ଉଠାଣ ହୋଇ ନ ପାରିବାରୁ ଶ୍ରୀ ପାତ୍ରଙ୍କୁ ସତ୍ୟଜିତ ଅବଗତ କରାଇଥିଲେ । ଏହାପରେ ଶ୍ରୀ ପାତ୍ର କହିଥିଲେ କି ତୁମେ ବ୍ୟସ୍ତ ହୁଅନାହିଁ । ଏ ବାବଦରେ ମୁଁ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ କଥା ହୋଇସାରିଛି । ଯାହା ସମସ୍ୟାଥିଲା ତା’ର ସମାଧାନ ହୋଇ ସାରିଛି । ଜମାକାରୀମାନେ ଅଗଷ୍ଟମାସ ୧୯ ତାରିଖରୁ ୨୦ ତାରିଖ ମଧ୍ୟରେ ୪୯୫୦ ଟଙ୍କା ଆନୁଆଲ ମ୍ୟାନେଜମେଣ୍ଟ ଫି ବାବଦରେ ସଂସ୍ଥାର ୱେବ୍ ସାଇଡ୍ରେ ପଇଠ କଲେ ପୂର୍ବ ପରି ତୁମେ ଅର୍ଥ ଉଠାଣ କରିପାରିବ । କିନ୍ତୁ ଗତ ୨୦ ତାରିଖ ଠାରୁ ଉକ୍ତ ୱେବ୍ସାଇଡ୍ ସଂପୂର୍ଣ୍ଣ ଅଚଳ ହୋଇଯାଇଥିବାବେଳେ ନିଜକୁ ସଂସ୍ଥାର ଆଂଚଳିକ ପରିଚାଳକ ବୋଲି କହୁଥିବା ରାକେଶ ପାତ୍ର କେଉଁ ଆଡେ ପଳାଇଯାଇଛନ୍ତି । ଏପରିକି ସେ ବ୍ୟବହାର କରୁଥିବା ଦୁଇଗୋଟି ମୋବାଇଲ ନମ୍ବର ୯୦୯୦୦୩୬୩୬୫, ୯୯୩୭୦୩୭୩୭୭ ରେ ଯୋଗାଯୋଗ ସମ୍ଭବ ହୋଇ ପାରୁନାହିଁ । ସତ୍ୟଜିତ୍ଙ୍କ ସମେତ ନିଶ୍ଚିନ୍ତକୋଇଲି ଅଂଚଳର ବହୁ ବ୍ୟକ୍ତି ଶ୍ରୀ ପାତ୍ରଙ୍କ ମାଧ୍ୟମରେ ଅର୍ଥ ଜମା କରି ଅର୍ଥ ନ ପାଇବାରୁ ଏବେ ଚିନ୍ତାରେ ଅଛନ୍ତି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ଶ୍ରୀ ପାତ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସତ୍ୟଜିତ୍ ମହାପାତ୍ର ନିଶ୍ଚିନ୍ତକୋଇଲି ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିବା ଜଣାପଡିଛି ।