ବର୍ଷାରେ ଦବିଲା ସିଡିଏ ରାସ୍ତା 

କଟକ : ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କଟକ ସହର ଏଥିରୁ ବାଦ୍ ପଡି ନାହିଁ । କଟକ ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଦିନତମାମ ବର୍ଷା ହୋଇଛି । ବର୍ଷା ଯୋଗୁଁ କିଛିସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ଦୃଷ୍ଟି ଗୋଚର ହୋଇଛି ।  ଲଗାଣ ବର୍ଷା ଯୋଗୁଁ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡିଛି । ବିଲଡିଂ କାନ୍ଥ ଭୁଶୁଡ଼ିବାରୁ କିଛି ବାଇକ୍ ଚାପି ହୋଇଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର କିମ୍ୱା ଆହତ ହୋଇଥିବା ଖବର ଜଣାପଡିନାହିଁ । ଏହି କୋଠା ଗତ ଏପ୍ରିଲ ମାସରେ ଉଦ୍ଘାଟନ ହୋଇଥିଲା । ସେହିପରି ସିଡିଏରେ ଏକ ରାସ୍ତା ଧସିଛି । ସିଡିଏ ସେକ୍ଟର-୧୦ ଅଞ୍ଚଳରେ ରାସ୍ତା ଧସିଛି । ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦ ଫୁଟ ରାସ୍ତା ଦବିଛି । ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ରାସ୍ତା ଧସିବା ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହେଉଛି । ସହରରେ ଏବେ ବିଭିନ୍ନ ସ୍ଥାନରେ ହଠାତ ରାସ୍ତା ଧସିଯିବା ଯୋଗୁଁ ସହରବାସୀ ଆତଙ୍କିତ ହୋଇ ପଡିଛନ୍ତି ।