ସରିଲା ରୌପ୍ୟ ନଗରୀରେ ରଜ ମଉଜ
କଟକ : ରୌପ୍ୟ ନଗରୀରେ ସୋମବାର ବିଦାୟ ନେଇଛି ରଜ । ସହରବାସୀ ଶେଷ ରଜକୁ ବେଶ ଧୁମଧାମରେ ପାଳନ କରିଥିଲେ । ୩ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବକୁ ଅଧିକ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ରଜ ମଉଜ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । କୁଆଁରୀ ଝିଅଙ୍କ ଠାରୁ ଆରମ୍ଭ କରି ବିବାହିତା ନାରୀମାନେ ସଜେଇ ହୋଇ ଶେଷ ରଜରେ ଦୋଳି ଖେଳିଥିଲେ । ସେହିପରି ପିଲାଠୁ ବୁଢ଼ା ସମସ୍ତେ ରଜ ପର୍ବରେ ନିଜକୁ ସାମିଲ କରି ଏହି ପର୍ବର ମଜା ଉଠାଇଥିଲେ । ପିଠା, ମିଠା, ପାନ ଓ ଦୋଳିର ଆସର ସହ ସାରମ୍ପରିକ ନାଚଗୀତର ପ୍ରତିଯୋଗିତା ସାଂଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମାହୋଲକୁ ଆହୁରି ରଂଗୀନ କରିଦେଇଥିଲା । ଗତ ୨ଦିନ ଭଳି ଆଜି ଝିଅ ଓ ମହିଳାମାନେ ପାଦରେ ଅଳତା, ମଥାରେ କୁଙ୍କୁମ ଏବଂ ନବ ବସ୍ତ୍ର ପରିଧାନ କରି ରଜ ପର୍ବକୁ ପାଳିଥିଲେ । ପୂର୍ବଦିନ ଭଳି ରଜ ପାନର ସ୍ୱାଦ ନେବାକୁ ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଥିଲା । ଘରେ ଘରେ ପିଠା ପଣା ସହିତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସା ଯାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ତାସ, ଲୁଡ଼ୁ ଓ କବାଡ଼ି ଖେଳର ଆସର ଜମିଥିଲା । ସହରର ବିଭିନ୍ନ ସ୍ଥାନରେ ରଜ ଦୋଳି ବନ୍ଧା ଯାଇଥିଲା । ଯୁବତୀମାନେ ଦୋଳିରେ ବସି ରଜଗୀତ ଗାଇବାର ଦୃଶ୍ୟ ଆକର୍ଷଣୀୟ ଥିଲା । ଏହାଛଡ଼ା ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀକୂଳ ସିଲିଭରସିଟି ବୋଟ କ୍ଲବରେ ହେଉଥିବା ରଜ ମହୋସôବରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ବିଶେଷ କରି ବୋଟିଂ କ୍ଲବର ଆକର୍ଷଣୀୟ ସାଜସଜା ସହ ସୁସଜିତ ରଜଦୋଳି, ପାରମ୍ପରିକ ପିଠା, ସ୍ୱତନ୍ତ୍ର ସେଲଫି ଜୋନ ସହ ମହାନଦୀରେ ବୋଟିଂର ମଜା ଲୋକମାନେ ଉଠାଇଥିଲେ । ଆସନ୍ତା କାଲି ବସୁମତୀ ସ୍ନାନ ପାଳନ କରାଯିବ । ରଜ ପାଇଁ ସହରର ସପିଙ୍ଗ ମଲ ସମ୍ମୁଖରେ ବ୍ୟବସାୟୀମାନେ ମେହେନ୍ଦି ପସରା ମେଲାଇ ବସିଥିଲେ । ମେହେନ୍ଦି କରିବା ପାଇଁ ସେଠାରେ ଯୁବତୀମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା । ରଜରେ ପାନ ଖଣ୍ଡ ଦର ୧୦ଟଙ୍କାରୁ ଆରମ୍ଭ କରି ୧୦୦ଟଙ୍କା ପର୍ଯ୍ୟନ୍ତ ରହିଥିଲା । ଏହାଛଡ଼ା ରଜ ବଜାରରେ ପୋଡ଼ପିଠା ଦର କିଲୋ ପିଛା ୪୦୦ଟଙ୍କାରେ ବିକ୍ରୟ ହୋଇଥିଲା । ଏଭଳି ଭାବେ ରୌପ୍ୟ ନଗରୀରୁ ଚଳିତବର୍ଷ ରଜପର୍ବ ବିଦାୟ ନେଇଛି । ପୁଣି ଅପେକ୍ଷା ଆର ବରଷକୁ ।